‘୩୦୦’ ନା ‘୦’, କେଉଁଟା ସତ?

ରାଜଧାନୀର କେତେ ଶିଶୁ ସ୍କୁଲ ବାହାରେ? ମେଳ ଖାଉନି ସରକାରଙ୍କ ଦୁଇ ବିଭାଗର ତଥ୍ୟ

ଭୁବନେଶ୍ବର: ରାଜଧାନୀରେ କେତେ ଶିଶୁ ବିଦ୍ୟାଳୟ ବାହାରେ ଅଛନ୍ତି? ପାଠ ପଢ଼ିବାକୁ ଯାଉନାହାନ୍ତି? ୬ରୁ ୧୪ବର୍ଷ ବୟସ ମଧ୍ୟରେ ଏଭଳି ପିଲାଙ୍କ ସଂଖ୍ୟା କେତେ? ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତଥ୍ୟ କହୁଛି ୬ରୁ ୧୪ବର୍ଷ ବୟସର ୩୦୦ ପିଲା ବିଦ୍ୟାଳୟ ମାଟି ମାଡ଼ି ନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ କହୁଛି ସବୁ ପିଲା ସ୍କୁଲ ଯାଉଛନ୍ତି। ଜଣେ ବି କେହି ବିଦ୍ୟାଳୟ ବାହାରେ ନାହାନ୍ତି। ସମସ୍ତେ ପାଠ ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ଦୁଇ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ‘୩୦୦’ ନା ‘୦’ କେଉଁଟା ସତ? ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସତ କହୁଛି ନା ଗଣଶିକ୍ଷା ବିଭାଗ। ୬ ମାସ ହେଲା ଏହାକୁ ନେଇ ଦୁଇ ବିଭାଗ ମଧ୍ୟରେ ଟଣାଓଟରା ଜାରି ରହିଛି। ସତ ଜାଣିବା ପାଇଁ ଅନୁଧ୍ୟାନ ମଧ୍ୟ ଚାଲିଛି। ମହିଳା ଓ ଶିଶୁ ବିକାଶ ବିଭାଗର ତାଲିକାକୁ ଧରି ଗଣଶିକ୍ଷା ବିଭାଗର ଅଧିକାରୀମାନେ ବସ୍ତିରୁ ବସ୍ତିକୁ ବୁଲି ପିଲା ଖୋଜୁଛନ୍ତି। ହେଲେ ପିଲା ମିଳୁ ନାହାନ୍ତି। ବିଦ୍ୟାଳୟ ମାଟି ମାଡ଼ି ନ ଥିବା ଯେଉଁ ୩୦୦ ପିଲାଙ୍କ ତାଲିକା ଗଣଶିକ୍ଷା ବିଭାଗ ନିକଟରେ ପହଞ୍ଚିଛି, ସେଥିମଧ୍ୟରୁ ପ୍ରାୟ ୨୦ଜଣ ପିଲାଙ୍କ ଠିକଣା ମିଳିଛି। ବାକି ପିଲାଙ୍କ ନାଁ ଗନ୍ଧ ହିଁ ନାହିଁ। ପିଲା ମିଳିବା ଦୂରର କଥା ସେମାନଙ୍କ ଠିକଣାରେ ବୁଲିବୁଲି ନୟାନ୍ତ ହେଲେଣି ଗଣଶିକ୍ଷା ବିଭାଗର ଅଧିକାରୀମାନେ। ଯେଉଁ ପିଲା ନିର୍ଦ୍ଧାରିତ ଠିକଣାରେ ରହୁଥିବା ଜଣାପଡ଼ିଛି, ସେମାନଙ୍କ ବୟସ ୧୪ ବର୍ଷରୁ ଅଧିକ ଥିବା ଜଣାପଡ଼ିଛି। ଦୁଇ ବିଭାଗ ତଥ୍ୟ ମେଳ ଖାଉ ନଥିବା ବେଳେ ଏବେ ବି ସହରର ବିଭିନ୍ନ ଛକରେ ଛୋଟ ପିଲାମାନେ ଭିକ୍ଷା ବୃତ୍ତି କରୁଛନ୍ତି। ପାଠପଢ଼ା ବୟସରେ ସେମାନେ ଖରାରେ ବୁଲି ଲୋକଙ୍କ ଆଗରେ ହାତ ପତାଇ ଭିକ୍ଷା ମାଗୁଛନ୍ତି। କାହାଠାରୁ ମାଡ଼ ଖାଉଛନ୍ତି ତ ଆଉ କାହାଠାରୁ ଗାଳି। ଏ ପିଲାମାନେ କିଏ? ଏମାନଙ୍କ ବୟସ ୬ରୁ ୧୪ ବର୍ଷ ମଧ୍ୟରେ ହୋଇଥିଲେ ମଧ୍ୟ ବିଦ୍ୟାଳୟ କାହିଁକି ଯାଉନାହାନ୍ତି? ଏମାନେ କ’ଣ ଶିକ୍ଷା ଅଧିକାର ପାଇବା ପାଇଁ ଯୋଗ୍ୟ ନୁହନ୍ତି? ଏମାନଙ୍କୁ ବିଦ୍ୟାଳୟକୁ ଆଣିବା ଦାୟିତ୍ବ କାହାର? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ପଟେ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ମାଳମାଳ ଯୋଜନା କରୁଛନ୍ତି। ମାଗଣା ପୋଷାକ ବଣ୍ଟନଠାରୁ ଆରମ୍ଭ କରି ପୁସ୍ତକ, ସାଇକେଲ୍‌, ମେଧାବୃତ୍ତି, ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଛି। ଏହାପରେ ବି ରାଜଧାନୀ ରାସ୍ତାକଡ଼ରେ ପିଲା ରାତି କାଟୁଛନ୍ତି। ଏହା ପଛରେ ସରକାରୀ ଅଧିକାରୀଙ୍କ ଆନ୍ତରିକତା ଅଭାବକୁ ସିଧାସଳଖ ଦୋଷ ଦେଇଛନ୍ତି ଶିକ୍ଷାବିତ୍‌। ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆୟୋଗ ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଛି।

ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳି କହିଛନ୍ତି ଯେ ୨୦୧୭-୧୮ରେ କରାଯାଇଥିବା ସର୍ଭେ ଅନୁଯାୟୀ ରାଜଧାନୀରେ କୌଣସି ପିଲା ବିଦ୍ୟାଳୟ ବାହାରେ ନାହାନ୍ତି। ସମସ୍ତଙ୍କୁ ଶିକ୍ଷା ଦିଆଯାଉଛି। ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ବସ୍ତି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ହେଉଛି। ଯେଉଁ ପିଲାମାନେ ଆଦୌ ବିଦ୍ୟାଳୟ ଆସୁନାହାନ୍ତି, ଅଧାରୁ ପାଠପଢ଼ା ଛାଡ଼ିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ନାମଲେଖା କରାଯାଉଛି। କେଦାରପଲ୍ଲୀ ବସ୍ତି, ଆର୍‌ଆର୍‌ଏଲ୍‌ ବସ୍ତିର ବହୁ ପିଲା ବିଦ୍ୟାଳୟ ବାହାରେ ରହିଥାନ୍ତି। ତେଣୁ ନାମଲେଖା ବେଳେ ଏହି ଅଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ମହିଳା ଓ ଶିଶୁ ବିଭାଗ ବିଭାଗ ତଥ୍ୟ ଉପରେ ଏବେ ଅନୁଧ୍ୟାନ ଚାଲିଛି। ବହୁ ପିଲାଙ୍କ ଠିକଣା ମଳୁ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର