ରମାଦେବୀକୁ ମିଳିବନି ବାଣୀବିହାର ଜମି!

ଛାତ୍ରଛାତ୍ରୀଙ୍କ କଡ଼ା ବିରୋଧ ପରେ ନିଷ୍ପତ୍ତି ନେଲେ କୁଳପତି
ଜମି ନ ଦେବା ଲାଗି ଗୃହୀତ ହେଲା ୩ଟି ପ୍ରସ୍ତାବ
ଉତ୍କର୍ଷ କେନ୍ଦ୍ର କରିବାକୁ ସରକାରଙ୍କ ସହଯୋଗ ଲୋଡ଼ିଲେ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପ୍ରସ୍ତାବକୁ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀଙ୍କ ପ୍ରବଳ ବିରୋଧ ପରେ ଉତ୍କଳର ଜମି ରମାଦେବୀକୁ ନ ଦେବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଆପାତତଃ ସ୍ଥିର କରିଛନ୍ତି। ଆଜି ଦୀର୍ଘ ଅଢ଼େଇ ଘଣ୍ଟା ଧରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ, କର୍ମଚାରୀ ସଂଘଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଆଗକୁ ସମ୍ପ୍ରସାରିତ ହେବ। ତେଣୁ ବର୍ତମାନ କ୍ୟାମ୍ପସରୁ ଜମି ହସ୍ତାନ୍ତର କରିବା ସମ୍ଭବ ନୁହେଁ ବୋଲି ସମସ୍ତେ ମତ ଦେଇଛନ୍ତି। ଏ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜିର ବୈଠକରେ ତିନିଟି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଥମତଃ ଦର୍ଶାଯାଇଛି ଯେ ଉତ୍କଳ ବିଶ୍ୱବିିଦ୍ୟାଳୟ ନାକ୍‌ ‘ଏ+’ ଗ୍ରେଡ୍‌ ପାଇବା ପରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ବିଶ୍ୱବ୍ୟାଙ୍କ ଓ ବିଭିନ୍ନ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନରୁ ଅର୍ଥ ଆସୁଛି। ବିଶ୍ୱବିଦ୍ୟାଳୟ କାୟା ବିସ୍ତାର କରିବା ସହ ସେଣ୍ଟର ଅଫ୍‌ ଏକ୍ସେଲେନ୍ସ (ଉତ୍କର୍ଷ କେନ୍ଦ୍ର)ରେ ପରିଣତ ହେବାକୁ ଯାଉଛି। ନୂଆ ଯୋଜନା ମଧ୍ୟ ହେଉଛି। ତାହାକୁ ନଜରରେ ରଖି ବିଶ୍ୱବିଦ୍ୟାଳୟ ପାଖରେ ବଳକା ଜମି ଥିବା କହିବା ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବସିତ। ତେଣୁ ଉତ୍କଳରୁ ଜମି ଦିଆଯାଇ ପାରିବ ନାହିଁ। ଦ୍ୱିତୀୟତଃ ଉତ୍କଳକୁ ଏବେ ଆହୁରି ଜମିର ଆବଶ୍ୟକତା ରହିଛି। ତୃତୀୟତଃ କୁଳପତି ସମ୍ମିଳନୀ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର ଏହି ଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ଆହ୍ଵାନ ଦେଇଛନ୍ତି। ଦେଶର ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନିତ କରିବା ପାଇଁ ଶୈକ୍ଷିକ ବାତାବରଣ ଓ ଭିତ୍ତିଭୂମି ବିକାଶ ଦ୍ୱାରା ଏହା ସମ୍ଭବପର ହେବ। ତେଣୁ ରାଜ୍ୟ ସରକାରଙ୍କୁ ସମସ୍ତ ସଂଘ ଅନୁରୋଧ କରୁଛି କି ଏନେଇ ସହଯୋଗ କରିବା ସହ ଉତ୍କଳକୁ ବଢ଼ିବା ଲାଗି ସୁଯୋଗ ଦିଅନ୍ତୁ। ଯଦି ନିଷ୍ପତ୍ତିରେ ପରିବର୍ତନ କରା ନ ଯାଏ ତେବେ ଭବିଷ୍ୟତରେ ଏହାର ବିରୋଧ କରାଯିବ ବୋଲି ସ୍ଥିର ହୋଇଛି।

ରମାଦେବୀର ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ୩୦ ଏକର ଜମି ଚିହ୍ନଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ଚିଠି ଦେବା ପରେ ଉତ୍କଳ କ୍ୟାମ୍ପସ ଅଶାନ୍ତ ହୋଇଥିଲା। ଏତିକିବେଳେ କୁଳପତି ଦିଲ୍ଲୀ ଗସ୍ତରେ ଯାଇଥିବାରୁ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ କୁଳପତି ପ୍ର୍ରଫେସର ପଟ୍ଟନାୟକ କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇ ଯାଇଥିଲା ବିରୋଧ। ଆଜି ପୂର୍ବାହ୍ନ ୧୧ଟା ୩୦ରେ କୁଳପତି ମୁଖ୍ୟ ଫାଟକ ଦେଇ କାର୍ଯ୍ୟାଳୟକୁ ଯିବା ସମୟରେ ଛାତ୍ର ବିଜେଡିର ଛାତ୍ରଛାତ୍ରୀ ସେଠାରେ ବିରୋଧ କରିବାକୁ ସଜବାଜ ହୋଇଥିଲେ। ଅପରପକ୍ଷରେ ସେ ପଛ ପାର୍ଶ୍ୱ ରାସ୍ତା ଦେଇ ଯିବାକୁ ଉଦ୍ୟମ କରିବା ସମୟରେ ଛାତ୍ର କଂଗ୍ରେସର ଛାତ୍ରନେତା ବିରୋଧ କରିଥିଲେ। କୁଳପତିଙ୍କୁ କାର୍ଯ୍ୟାଳୟକୁ ଛାଡ଼ି ନ ଥିଲେ। ପ୍ରଶାସନିକ ବିଲ୍‌ଡିଂରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନେ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ କାର୍ଯ୍ୟ ବନ୍ଦ କରି ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ।

ଏହାପରେ ଗୋଟିଏ ପରେ ଗୋଟିଏ ଛାତ୍ର ସଙ୍ଗଠନ କୁଳପତିଙ୍କୁ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାକୁ ଦାବି ଜଣାଇଥିଲେ। ପ୍ରଫେସର ଓ କର୍ମଚାରୀ ମଧ୍ୟ ସମାନ ଢ଼ଙ୍ଗରେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ମଧ୍ୟ ଫୋନ୍‌ରେ କଥା ହେବା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସମେତ ଟେକ୍ନିସିଆନ୍‌ ସଂଘ, କର୍ମଚାରୀ ସଂଘ, ଅଫିସର ସଂଘ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ପ୍ରତିନିଧିମାନେ ଯୋଗଦେଇ ନିଷ୍ପତ୍ତିର ବିରୋଧ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ବିଭିନ୍ନ ସଂଘ ସହ କୁଳପତି ଆଲୋଚନା କରିବା ପରେ ଛାତ୍ରଛାତ୍ରୀଙ୍କୁ ଡାକି ସେମାନଙ୍କ ମତ ନେଇଥିଲେ। ସେମାନେ ମଧ୍ୟ ବାଣୀବିହାର କ୍ୟାମ୍ପସରୁ ରମାଦେବୀ ଲାଗି ଜମି ଯୋଗାଇ ଦେବା ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ।

ଉତ୍କଳକୁ ଜବରଦଖଲମୁକ୍ତ କରାଯାଉ

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାୟ ୫୦ ଏକରରୁ ଅଧିକ ଜମିକୁ କେତେକ ଅନୁଷ୍ଠାନ ଓ ବ୍ୟକ୍ତିିବିଶେଷ ଚଞ୍ଚକତା କରି ୨୫/୩୦ ବର୍ଷ ହେଲା ଜବରଦଖଲ କରି ରଖିଛନ୍ତି। ଯାହାର ମୂଲ୍ୟ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ହେବ। ଏହି ଜମିକୁ ଉଦ୍ଧାର କରାଯାଉ ନ ଥିବାରୁ କ୍ୟାମ୍ପସ ସମ୍ପ୍ରସାରଣ କାର୍ଯ୍ୟ ହୋଇପାରୁ ନାହିଁ। ବିଶ୍ୱବିଦ୍ୟାଳୟ କୁଳପତି ଓ ରାଜ୍ୟ ସରକାର ଏହି ଜମିକୁ ଜବରଦଖଲ ମୁକ୍ତ କରିବାକୁ ଦାବି ହୋଇଛି। ଏଥିସହ ନିରୀହ ଲୋକଙ୍କ ସ୍ଥିତିବାନ ଜମିକୁ ଉଦ୍ଧାର କରି ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ମଦର ଏଜୁକେସନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଦୀପକ କୁମାର ମହାପାତ୍ର ଅନୁରୋଧ କରିଛନ୍ତି।

ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

୩ ଦିନ ତଳେ ଏକାଠି ହୋଇ ବାଣୀବିହାର ସୁରକ୍ଷା ଲାଗି ଲଢ଼େଇ କରୁଥିବା ରାଜ୍ୟର ତିନି ଛାମୁଆ ଛାତ୍ର ସଙ୍ଗଠନରେ ଆଜି ପରସ୍ପର ମଧ୍ୟରେ ଲଢ଼େଇ କରିବା ଦେଖିବାକୁ ମିଳିଥିଲା। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ବିଜେଡି ଓ ଏବିଭିପିର ଛାତ୍ରନେତା ମୁହାଁମୁହିଁ ହୋଇଥିଲେ। ଛାତ୍ର ବିଜେଡିର ନେତାମାନେ କୁଳପତିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରୁଥିବାବେଳେ ଏବିଭିପିର ଛାତ୍ରନେତା ତାହାକୁ ବିରୋଧ କରିଥିଲେ। ସମସ୍ତ ସଙ୍ଗଠନକୁ ଡାକି ମିଳିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ଉଭୟ ସଙ୍ଗଠନ ମୁହାଁମୁହିଁ ହୋଇଥିଲେ। କୁଳପତି ଓ ଛାତ୍ର କଂଗ୍ରେସର ନେତାଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

କାର୍ଯ୍ୟାଳୟ ବାହାରେ କୁଳପତି

ଆଜି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀଙ୍କ ବିରୋଧ ଏଭଳି ଥିଲା ଯେ କୁଳପତି ନିଜ କାର୍ଯ୍ୟାଳୟକୁ ଯାଇପାରି ନ ଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ସେ ବାହାରେ ରହିଥିଲେ। ବିଲଡିଂ ଭିତରକୁ ବି ଯାଇ ପାରି ନ ଥିଲେ। ବାହାରେ ଛିଡ଼ା ହେବା ସହ ଫୋନ୍‌ରେ କଥା ହୋଇଥିଲେ। କୁଳପତିଙ୍କ ସମେତ କୁଳସଚିବ, ପିଜି କାଉନସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ପ୍ରମୁଖ କାର୍ଯ୍ୟାଳୟ ବାହାରେ ଛିଡ଼ା ହୋଇ ରହିଥିଲେ।

ସମ୍ବନ୍ଧିତ ଖବର