‘ଘୋଷଣା ପରେ ବି ଅବହେଳିତ ତୃତୀୟ ଲିଙ୍ଗ’

ଭୁବନେଶ୍ୱର: ସଖା, ୱାଟର ଫର୍‌ ଓମେନ୍‌, ଅଷ୍ଟ୍ରେଲିଆନ୍‌ ଏଡ୍‌ ସହାୟତାରେ ସେଣ୍ଟର ଫର ଆଡ୍‌ଭୋକାସି ଆଣ୍ଡ ରିସର୍ଚ ପକ୍ଷରୁ ବିଶ୍ବ ଶୌଚାଳୟ ଦିବସ ଅବ୍ୟବହିତ ପୂର୍ବରୁ ପ୍ରେସ୍‌ କ୍ଲବ ପରିସରରେ ତୃତୀୟ ଲିଙ୍ଗଙ୍କ ଅଧିକାରକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ ‘ସଖା’ ପ୍ରତିଷ୍ଠାତା ମୀରା ପରିଡ଼ା ଅଭିଯୋଗ କରିଛନ୍ତି ଯେ, ୨୦୧୪ ମସିହାରେ ସୁପ୍ରିମକୋର୍ଟ ତୃତୀୟ ଲିଙ୍ଗଙ୍କୁ ମାନ୍ୟତା ଦେବା ସହ ଅନେକ ଅଧିକାର ପ୍ରଦାନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ କେବଳ ଘୋଷଣାରେ ସୀମିତ ରଖିଛନ୍ତି। ଶୌଚାଳୟ କ୍ଷେତ୍ରରେ ଅଦ୍ୟାବଧି ସ୍ବତନ୍ତ୍ରତା ପରିଲକ୍ଷିତ ହୋଇନାହିଁ। ତୃତୀୟ ଲିଙ୍ଗଙ୍କ ବ୍ୟବହାର ପାଇଁ ଶୌଚାଳୟର ସାଙ୍କେତିକ ଚିହ୍ନ ବ୍ୟବସ୍ଥା ଜରୁରି ବୋଲି ସେ କହିଥିଲେ। ସେହିଭଳି ମେଘନା ସାହୁ ଅଭିଯୋଗ କରିଥିଲେ, ବିଭିନ୍ନ ସରକାରୀ ଯୋଜନାରେ ଆବେଦନ ପାଇଁ ଅଦ୍ୟାବଧି ତୃତୀୟ ଲିଙ୍ଗଙ୍କ ପାଇଁ ସ୍ଥାନ ନାହିଁ। କିଟ୍‌ ବିଶ୍ବବିଦ୍ୟାଳୟର ସାମାଜିକ ଉନ୍ନୟନ ଅଧିକାରୀ ସାଧନା ମିଶ୍ର ଯୋଗଦେଇ କହିଥିଲେ, ତୃତୀୟ ଲିଙ୍ଗଙ୍କ ପ୍ରତି ସାଧାରଣ ଲୋକଙ୍କର ମାନସିକତା ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଉ। ଏହାକୁ ସମୀର ଦାଶ ପରିଚାଳନା କରିଥିବା ବେଳେ ମାଧୁରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର