ଭୁବନେଶ୍ବର: କୌଣସି ପରିସ୍ଥିତିରେ ବି ବେଆଇନ ପାର୍କିଂକୁ ଆଉ ବରଦାସ୍ତ କରାଯିବ ନାହିଁ। ନୋ-ପାର୍କିଂ ଜୋନ୍‌ରେ ପାର୍କିଂ କଲେ, ଗାଡ଼ିକୁ ସିଧା ଉଠାଇ ନିଆଯିବ। ଥାନାରୁ ଗାଡ଼ି ମୁକୁଳାଇବା ପାଇଁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ। ଆଗାମୀ ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ୍‌ ଏମିତି ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। କମିସନରେଟ୍‌ ପୁଲିସ, ବିଡିଏ, ବିଏମ୍‌ସି, ବିଏସ୍‌ସିଏଲ୍‌, ଏନ୍‌ଏଚ୍‌ଏଆଇ ଏବଂ ଆରଆଣ୍ଡବି ପକ୍ଷରୁ ମିଳିତ ଭାବେ ସର୍ଭେ କରାଯାଇ ୮୦ କିମି ଇଲାକାରେ ୧୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି।

Advertisment

ସେଥିମଧ୍ୟରେ ୟୁନିଟ୍‌-୨ ମାର୍କେଟ୍‌ ରାସ୍ତା ପାର୍ଶ୍ବଠାରୁ ଆରମ୍ଭ କରି ସୁର୍‌ କମ୍ପାନି ଛକରୁ ଗଙ୍ଗନଗର, ରାଜମହଲରୁ ଫାଳିକିଆ ବଜାର, ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ, ଜୟଦେବବିହାରରୁ ଡମଣା, ଡମଣାରୁ ନନ୍ଦନକାନନ, ରିଜର୍ଭ ପୁଲିସ ଅଞ୍ଚଳ, ନାଲ୍‌କୋ ଛକରୁ ଉତ୍କଳ ହସ୍ପିଟାଲ୍‌ ଭାୟା କଳିଙ୍ଗ ହସ୍ପିଟାଲ, ସିଆର୍‌ପିରୁ ଷ୍ଟିୱାର୍ଟ ସ୍କୁଲ, ଫାୟାର ଷ୍ଟେସନ୍‌ରୁ ପଟାସ୍‌ ଛକ, ଆଇଗିଣିଆ ଅଣ୍ଡରପାସ୍‌ରୁ ଖଣ୍ଡଗିରି ଫ୍ଲାଏଓଭର୍‌, ଖୋର୍ଦ୍ଧାରୁ ଭୁବନେଶ୍ବର ସର୍ଭିସ୍‌ ରୋଡ୍‌ ପାର୍ଶ୍ବ, ବରମୁଣ୍ଡା କାଳୀମନ୍ଦିରରୁ ଖଣ୍ଡଗିରି ଫ୍ଲାଏଓଭର୍‌, ଜାତୀୟ ରାଜପଥର ଉଭୟ ପାର୍ଶ୍ବ ଏବଂ ୟୁନିଟ୍‌-୧ ମାର୍କେଟ୍‌ ଅଞ୍ଚଳ ପ୍ରଭୃତି ସ୍ଥାନକୁ ଚିହ୍ନଟ କରାଯାଇଛି। ଏହି ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସହିଦନଗର ଏବଂ ୟୁନିଟ୍‌-୨ ଅଞ୍ଚଳରେ ଥିବା ବହୁତଳ ପାର୍କିଂରେ ଗାଡ଼ି ରଖିବାକୁ ସଚେତନ କରାଯାଇଛି। ଯେଉଁମାନେ ନିୟମ ଖିଲାପ କରି ଏଣେତେଣେ ଗାଡ଼ି ରଖିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଗତ ନଭେମ୍ବର ୨୦ରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ୬୧୨ ଅମାନିଆଙ୍କଠାରୁ ୩ଲକ୍ଷ ୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।