ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣରେ ପୂର୍ବରୁ ଜାତୀୟ ରୢାଙ୍କ୍‌ ୧୪୪ରେ ଥିବା ବିଏମ୍‌ସି ଏଥର ୮୦କୁ ଆସିଛି। ରାଜଧାନୀବାସୀଙ୍କ ସହଯୋଗ, ଗୋଷ୍ଠୀ ସହଭାଗିତା, ଅଧିକାରୀ ତଥା କର୍ମଚାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ହିଁ ଏହି ସମ୍ମାନ ଆଣିଦେଇଛି। ଏଣୁ ଏହା ସେଲିବ୍ରେସନ୍‌ର ଦିନ। କିନ୍ତୁ ଖାଲି ଖୁସି ହେଲେ ହେବ ନାହିଁ, ବରଂ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ବିଏମ୍‌ସି କିଭଳି ୧ ନମ୍ବର ହେବ, ସେନେଇ ଉଦ୍ୟମ କରିବାକୁ ହେବ। କେଉଁଠି ଦୁର୍ବଳତା ରହିଛି, ତାହାର ସମାଧାନ କରିବା ସହ ସୁଯୋଗକୁ ବ୍ୟବହାର କରି ଆସନ୍ତା ବର୍ଷ ୧୦ନମ୍ବର ଭିତରେ ରହିବାକୁ ଏକ ଆହ୍ବାନ ଭାବରେ ନେବାକୁ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ବିଏମ୍‌ସି କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ସେ ଏହି ସୂଚନା ଦେଇଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ଇନ୍ଦୋର ୬ଥର ୧ ନମ୍ବର ସହରର ଅଧିକାରୀ ହେଲାଣି। ଏହାର ଏକମାତ୍ର କାରଣ କେବଳ ପୃଥକ୍‌ ପୃଥକ୍‌ ଆବର୍ଜନା ସଂଗ୍ରହ। ଏଣୁ ଭୁବନେଶ୍ବରରେ କିଭଳି ଶତପ୍ରତିଶତ ଆବର୍ଜନା ପୃଥକ୍‌ ହୋଇ ସଂଗୃହୀତ ହେବ, ସେଥିପାଇଁ ଉଦ୍ୟମ କରିବାକୁ ହେବ। ପ୍ରତ୍ୟେକ କର୍ପୋରେଟର୍‌ ତାଙ୍କ ୱାର୍ଡରେ ଏହାକୁ ଏକ ଆହ୍ବାନ ଭଳି ନେଇ କାମ କରିବେ। ପ୍ରତି ୱାର୍ଡରେ ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ହେବ। ‌୧ ନମ୍ବର ହୋଇଥିବା ୱାର୍ଡ କର୍ପୋରେଟରଙ୍କୁ ସମ୍ମା‌ନିତ କରାଯିବା ସହ ସମ୍ପୃକ୍ତ ୱାର୍ଡକୁ ଆର୍ଥିକ ଅନୁଦାନ ଅଧିକ ମିଳିବ। ଲୋକ ଯେଭଳି ରାସ୍ତାରେ ଆବର୍ଜନା ନ ଫିଙ୍ଗିବେ, ସେ ନେଇ ସମସ୍ତେ ଉଦ୍ୟମ କରିବେ। ସର୍ବସାଧରଣଙ୍କ ସହଭାଗିତା, ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ବ ଦେଇ ଏହି ଲକ୍ଷ୍ୟକୁ ହାସଲ କରିବାକୁ ହେବ ବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ସମସ୍ତ କର୍ପୋରେଟର୍‌ ଉପସ୍ଥିତ ଥିଲେ।