ଚନ୍ଦ୍ରଶେଖରପୁର: ଦିନ ଥିଲା, ପଦ୍ମକେଶରୀପୁର ଗ୍ରାମ କେଳାଙ୍କ ପଦ୍ମତୋଳା ଶୁଣିଲା ମାତ୍ରେ ସାପ ଫଣା ଟେକି ଗର୍ଜନ କରି ଉଠୁଥିଲା। ଚୋଟ ମାରିବାକୁ ମାଡ଼ି ଆସୁଥିଲା। କେଳା ମଧ୍ୟ ପାଟି କରି କହୁଥିଲା, ଭାଇଲା ଭାଇଲା ଗଦ ଅଛି, ଶୁଙ୍ଘେଇ ଦେବି ମାରି ପାରିବୁ ନାହିଁ। କିନ୍ତୁ, ଏବେ ଆଉ ଶୁଭୁନି କେଳାର ପଦ୍ମତୋଳା କି ଦେଖିବାକୁ ମିଳୁନି କେଳୁଣୀର ଚିତାକୁଟା। ସମୟ ସ୍ରୋତରେ ସବୁ କିଛି ହଜି ଯାଇଛି। ସକାଳ ହେଲେ କେଳା-କେଳୁଣୀମାନେ ଆଉ ଦଳଦଳ ହୋଇ ପଟିଆରୁ ବାହାରି କାନ୍ଧରେ ସାପ ପେଡ଼ି ବୋହି ଖେଳ ଦେଖାଇବାକୁ ଅନ୍ୟ ସ୍ଥାନକୁ ଯାଉ ନାହାନ୍ତି।
ଏବେ କେଳାଙ୍କ ପାଖରେ ପେଟି ସିନା ଅଛି, ହେଲେ ସେଥିରେ ଆଉ ନାଗ, ତମ୍ପ, ଚମ୍ପା, ଅହିରାଜ, ଅଜଗର ପରି ସାପ ନାହାନ୍ତି। କେଳୁଣୀଙ୍କୁ ଚିତା କୁଟା ଜଣାଅଛି, ମାତ୍ର ଗାଁରେ ଚିତା କୁଟାଇବାକୁ କେହି ଆଗ୍ରହ ଦେଖାଉ ନାହାନ୍ତି। ଏବେ ସବୁ କିଛି ବନ୍ଦ। ମୂଲ ଲାଗି ରୋଜଗାର କଲେ ଘର ଚଳୁଛି, ନହେଲେ ନାହିଁ। ଗରିବଙ୍କ ପାଇଁ ସରକାର ଯାବତୀୟ ଯୋଜନା କରୁଥିଲେ ହେଁ ଏମାନଙ୍କ ପାଇଁ ସତେଯେମିତି ସେଗୁଡ଼ିକ ସାତସପନ ହୋଇ ରହିଯାଇଛି। ତେଣୁ ସହର ଚାକଚକ୍ୟଠାରୁ ମାତ୍ର ଅଳ୍ପ ଦୂରରେ ରହୁଥିବା ପଦ୍ମକେଶରୀପୁରର ଶତାଧିକ ପରିବାରରର ଜୀବନଶୈଳୀରେ କୌଣସି ବି ପରିବର୍ତ୍ତନ ଆସିନାହିଁ। ଏବେ ବି ସେମାନେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି।
ଗ୍ରାମକୁ ରାସ୍ତା ଅଛି, ମାତ୍ର ତାହା ବ୍ୟବହାରଯୋଗ୍ୟ ନୁହେଁ। ପାଣି ପାଇପ୍ ବିଛା ଯାଇଛି, ପାଣି ଆସୁନି। ଗାଁ ଚାରିପାଖ ବିଏମ୍ସି ଅଞ୍ଚଳରେ ରହିଥିଲେ ମଧ୍ୟ ଏମାନେ ପଞ୍ଚାୟତରେ ରହି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଦେଢ଼ ଶହ ବର୍ଷ ହେଲା ଏହି ଅଞ୍ଚଳରେ ଶତାଧିକ କେଳା ପରିବାର ରହି ଆସୁଛନ୍ତି, କିନ୍ତୁ ସେମାନଙ୍କ ପାଖେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନାହିଁ।
ପ୍ରଥମେ ଏହା କଳାରାହାଙ୍ଗ ପଞ୍ଚାୟତରେ ରହିଥିଲା। ବିଏମ୍ସି ସମ୍ପ୍ରସାରିତ ହେବା ପରେ ଗତବର୍ଷଠାରୁ ଏହି ଗାଁର କିଛି ଅଂଶ ବିଏମ୍ସି ଓ ଅଧିକାଂଶ ଅଞ୍ଚଳ ଇଂଜଣା ପଞ୍ଚାୟତକୁ ଚାଲି ଯାଇଛି। ମାତ୍ର ଗ୍ରାମର କୌଣସି ପରିବର୍ତ୍ତନ ଘଟି ନାହିଁ। ଗ୍ରାମର ଗୋଟିଏ ପାର୍ଶ୍ବରେ ପଟିଆ ଷ୍ଟେସନ୍ ଓ ଅପରପାର୍ଶ୍ବରେ ପଟିଆ ବଜାର। ସେହିପରି ଅନ୍ୟ ପାର୍ଶ୍ବରେ କଳାରାହାଙ୍ଗ ରହିଛି। ଗାଁ ଭିତକୁ ପକ୍କା ସଡ଼କ ହୋଇଛି, ମାତ୍ର ତାହା ବ୍ୟବହାରଯୋଗ୍ୟ ନୁହେଁ। ଗାଁ ପ୍ରବେଶ ପଥରେ କୁଢ଼କୁଢ଼ ମଳ ଅତିଥିମାନଙ୍କୁ ସ୍ବାଗତ କରୁଛି। ବିଭିନ୍ନ ସ୍ଥାନରେ ଆବର୍ଜନାର ପାହାଡ଼ ହୋଇଛି। ଶୌଚାଳୟ କଥା ନ କହିବା ଭଲ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପରିବାରର ସମସ୍ତେ ରାସ୍ତା ଉପରେ ହିଁ ଗାଧୋଉଛନ୍ତି। ସମସ୍ତଙ୍କ ଘର ସମ୍ନାରେ ଏକ ବିଶାଳପାଣି ଡ୍ରମ୍ ଥୁଆ ହୋଇଛି। ଦିନକୁ ଯେତିକି ପାଣି ଆସେ, ସେଥିରେ ପିଇବା, ରୋଷେଇ କରିବା, ଗାଧୋଇବା ପରି କାର୍ଯ୍ୟ କରାଯାଉଛି ବୋଲି ଗ୍ରାମବାସୀ କହିଛନ୍ତି।
/sambad/media/post_attachments/wp-content/uploads/2023/02/48-13.jpg)
ଏବେ ବୈଦିକ ରୀତିରେ ବାହାଘର
ଜାତିପ୍ରଥା ଅନୁଯାୟୀ ତାଙ୍କ କେଳା ଜାତିର ଲୋକେ ଅନ୍ୟ କୌଣସିଠାରେ ନ ଥିବାରୁ ଗ୍ରାମ ଭିତରେ ହିଁ ବିବାହ କରିଥାନ୍ତି। ସେତେବଳେ ଯେଉଁ ବରକନ୍ୟାଙ୍କ ବିବାହ ହେଉଥିଲା, ସେମାନଙ୍କ ପିତାମାତା, ସେମାନଙ୍କ ଜାତିର ମୁଖିଆଙ୍କ ଜଣାଇଥା’ନ୍ତି। ମୁଖିଆ ଓ ଉଭୟ ବରକନ୍ୟାଙ୍କ ପିତାମାତା ବନ୍ଧୁ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ଗୋଟିଏ ସୂତାକୁ ବରକନ୍ୟା ଦୁଇ ପାଖରେ ଧରିଥା’ନ୍ତି। ସେହି ସୂତାକୁ ଗୁଡ଼ାଇ ମିଶାଇ ଦେଇ ଗୋଟିଏ ଫରୁଆରେ ରଖିଥାନ୍ତି। ସେହିଦିନଠାରୁ ସେମାନଙ୍କ ବିବାହ ସମ୍ପନ୍ନ ହୁଏ ଏବଂ ପରସ୍ପର ସ୍ବାମୀ ସ୍ତ୍ରୀ ଭାବେ ପରିଚିତ ହୋଇଥାନ୍ତି। ବିବାହ ବିଚ୍ଛେଦ ସମୟରେ ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ବିବାହ ବନ୍ଧନ ସୂତାକୁ ସ୍ବାମୀ ସ୍ତ୍ରୀ ଦୁଇ ପାଖରେ ଧରନ୍ତି। ମୁଖିଆ ସୂତା ମଝିରୁ କାଟି ଦେବା ପରେ ବିବାହ ବିଚ୍ଛେଦ ହୁଏ। ତା’ ପରେ ଉଭୟ ଅନ୍ୟତ୍ର ବିବାହ କରିପାରୁଥିଲେ। ଏବେ କିନ୍ତୁ କେଳାମାନଙ୍କର ସେ ପୁରୁଣା ପ୍ରଥା ଆଉ ନାହିଁ। ବର୍ତ୍ତମାନ ବୈଦିକ ରୀତିରେ ସେମାନଙ୍କ ବିବାହ ହେଉଥିବା ଲୋକେ କହିଛନ୍ତି।
୧୮୬୬ରୁ ରହୁଛନ୍ତି
କେଳାମାନଙ୍କ ସାପ ଖେଳରେ ମୁଗ୍ଧ ହୋଇ ୧୮୬୬ ମସିହାରେ ପଟିଆ ରାଜା ଦ୍ବିତୀୟ ଦିବ୍ୟସିଂହଦେବ ସେମାନଙ୍କୁ ପଟିଆ ଅଞ୍ଚଳରେ ରହିବାକୁ ଜାଗା ଦେଇଥିଲେ। ଏବେକାର ଶ୍ରୀବିହାର ନିକଟରେ ପ୍ରଥମେ ସେମାନଙ୍କୁ ଜାଗା ମିଳିଥିଲା। ଧୀରେ ଧୀରେ ସେମାନଙ୍କ ବଂଶ ବଢ଼ିବାରୁ ରାଜା ଦେଇଥିବା ଜାଗା ନିଅଣ୍ଟ ହେଲା ଏବଂ ଅଧିକ ଜାଗା ପାଇଁ ୧୯୩୦ରେ ରାଜାଙ୍କ ନିକଟରେ ଗୁହାରି କରିଥିଲେ। କେଳାମାନେ ଯେଉଁ ଜାଗାରେ ରହୁଥିଲେ, ସେହି ଜାଗା ମଧ୍ୟ ଦେଇ ପଟିଆରୁ ମଞ୍ଚେଶ୍ବର ଷ୍ଟେସନ୍ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ରହିଥିଲା। ରାସ୍ତା କଡ଼ରେ କେଳାମାନଙ୍କ ବସ୍ତି ହୋଇଥିବାରୁ ସାଧାରଣ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଲା। ତେଣୁ ସେମାନଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ପଟିଆ ଗ୍ରାମର ପୂର୍ବ ଦିଗରେ ଥିବା ଇଞ୍ଜଣା ଗ୍ରାମରେ କନିକା ରାଜା ପ୍ରତି ପରିବାରକୁ କିଛି ଜମି ହୋଇଥିଲେ। ସେମାନେ ସେଠାରେ ବସବାସ କରି ରହିବା ପରେ ‘ପଦ୍ମକେଶରୀପୁର’ ଗଢ଼ି ଉଠିଥିଲା।
ମୂଲ ଲାଗିଲେ ଚୁଲି ଜଳେ
କେଳା ପରିବାର ପ୍ରତିବର୍ଷ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଇଥା’ନ୍ତି। ତେଣୁ ଘର ଛପର କରିବାକୁ ସେମାନଙ୍କ ପାଖରେ ସମୟ ନ ଥିଲା। ନିଜର ବିଭିନ୍ନ ଜିନିଷକୁ ପଟିଆ ଗାଁରେ ଥିବା ଲୋକଙ୍କ ଘରେ ରଖି ଅନ୍ୟ ସ୍ଥାନକୁ ସାପ ଖେଳାଇବାକୁ ଚାଲି ଯାଉଥିଲେ। ରଜକୁ ଲେଉଟିଲେ ଘର ଛପର କରି ବର୍ଷା ଋତୁରେ ଏଠାରେ ରହିଥା’ନ୍ତି। ଏବେ କିନ୍ତୁ ସେମାନଙ୍କର ସେ ଜୀବନଶୈଳୀ ନାହିଁ। ଘରର ବି ରୂପ ବଦଳିଛି। ଚାଳଛପର ଘରେ ଏବେ ଟିଣ ପଡ଼ିଛି। ସକାଳ ହେଲେ ଅନ୍ୟମାନଙ୍କ ମୂଲ ଲାଗି ଯାହା କିଛି ଉପାର୍ଜନ କରୁଛନ୍ତି, ସେଥିରେ ସେମାନଙ୍କ ଚୁଲି ଜଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/47-18.jpg)