ନିୟମକୁ ଖାତିର ନାହିଁ

ଭୁବନେଶ୍ବର : ସେପ୍ଟେମ୍ବର ୧ରୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। କମିସନରେଟ୍‌ ପୁଲିସ ଓ ଆରଟିଓ ଏବେ ବେପରୁଆ ଗାଡ଼ି ଚଳାଉଥିବା ଡ୍ରାଇଭର, ନିୟମ ମାନୁ ନଥିବା ଚାଳକ, ବେଆଇନ ପାର୍କିଂ ହେଉଥିବା ଗାଡ଼ିକୁ ମାଡ଼ି ବସି ଜରିମାନା ଆଦାୟ କରୁଛନ୍ତି। ହେଲେ କମିସନରେଟ୍‌ ପୁଲିସକୁ ଚାଲେଞ୍ଜ ଦେଇ ଏବେ ବି କିଛି ଲୋକ ନିୟମ ନ ମାନିବା ଜିଦ୍‌ରେ ଅଛନ୍ତି। ନିୟମ ଯେତେ କଡ଼ାକଡ଼ି ହେଲେ ବି ତାଙ୍କର କାହା ପ୍ରତି ଯେମିତି ଖାତିର ନାହିଁ।

ରାଜମହଲ ଛକରେ ଜେବ୍ରା କ୍ରସିଂ ଆଗରେ ଲୋକ

ପୁଲିସ ଯେଉଁ ରାସ୍ତାରେ ଚେକିଂ କରୁଛି ତାକୁ ଚକ୍‌ମା ଦେବା ପାଇଁ ବି ଲୋକମାନେ ପ୍ରସ୍ତୁତ ହୋଇ ଗାଡ଼ି ଚଳାଉଛନ୍ତି। ପୁଲିସକୁ ଦେଖିବା କ୍ଷଣି ବାମ, ଡାହାଣକୁ ଗାଡ଼ି ବୁଲାଇ ପଳାଉଛନ୍ତି। ଏପରିକି ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବାରମ୍ବାର ସଚେତନତା କରାଯାଉଥିଲେ ହେଁ ଏହି ଲୋକମାନଙ୍କ ଉପରେ ପ୍ରଭାବ ପଡ଼ୁନି। ଚେକିଂ ହେଉଥିବା ରାସ୍ତାରେ ନଯାଇ କିଛି କିମି ଅଧିକ ବୁଲିବାକୁ ପଡ଼ୁ ପଛେ ବିନା ହେଲମେଟ୍‌ରେ ଯିବେ, ତିନି ଜଣ ବସିକି ଯିବେ ବୋଲି ଧରି ନେଇଛନ୍ତି।

ବାଣୀବିହାରରେ ବିନା ହେଲ୍‌ମେଟ୍‌ ଓ ରଙ୍ଗ ରୁଟ୍‌ରେ

କେବଳ ଲୋକ ନୁହନ୍ତି। କ୍ରୁଟ୍‌ ପକ୍ଷରୁ ଚାଲୁଥିବା ମୋ ବସ୍‌ଗୁଡ଼ିକ ବି ଟ୍ରାଫିକ ନିୟମ ମାନୁନାହାନ୍ତି। ମନଇଚ୍ଛା ଯେଉଁଠି ପାରୁଛନ୍ତି ସେଠାରେ ‌ଗାଡ଼ି ଅଟକାଇ ଯାତ୍ରୀ ଉଠାଉଛନ୍ତି ଓ ଓହ୍ଲାଉଛନ୍ତି। ଫଳରେ ଏହି ବସ୍‌ ପଛରେ ଆସୁଥିବା ଗାଡ଼ିଗୁଡ଼ିକ ପଛକୁ ପଛ ରାସ୍ତା ଉପରେ ଅଟକି ରହୁଥିବାରୁ ଜାମ୍ ପରିସ୍ଥତି ଉପୁଜୁଛି। କ୍ରୁଟ୍‌ର ପରିଚାଳନା ନ‌ିର୍ଦ୍ଦେଶକ ପଦରେ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଥିଲେ ହେଁ ମୋ ବସ୍‌ କିପରି ଟ୍ରାଫିକ ନିୟମ ମାନିବ, ସେନେଇ କିନ୍ତୁ ସଚେତନତା ସୃଷ୍ଟି କରାଯାଇପାରୁନି।

ନୋ ହେଲ୍‌ମେଟ୍‌ରେ ମିଳୁଛି ପେଟ୍ରୋଲ୍‌

ଅଟୋ ଅବସ୍ଥା ତ ଅତ୍ୟନ୍ତ ସାଂଘାତିକ। ଅଟୋ ଚାଳକମାନେ ରାସ୍ତା ଉପରେ ସାପ ଭଳି ମୋଡ଼ିମାଡ଼ି ହୋଇ ଚଲାଉଥିବାରୁ ବହୁ ଦୁର୍ଘଟଣା ଘଟୁଛି। ଏପରିକି କେତେବେଳେ ହଠାତ୍ ଗାଡ଼ି ଆଗକୁ ଯାଇ ଅଟକାଇ ଦେଉଛନ୍ତି ତ କେତେବେଳେ ମନଇଚ୍ଛା ଯେଉଁଠି ପାରୁଛନ୍ତି ସେଠାରେ ପାର୍କିଂ କରିଦେଉଛନ୍ତି। ଏହା ଉପରେ ଲଗାମ୍‌ ନ ଲାଗିଲେ ଯେତେ ନିୟମ କଡ଼ାକଡ଼ି ହେଲେ ବ୍ୟବସ୍ଥା ପୂରା ଫେଲ୍‌ ମାରିଯିବ।

ସମ୍ବନ୍ଧିତ ଖବର