ଭୁବନେଶ୍ୱର: ବିଏମ୍ସି ଅଧୀନ ୬୭ଟି ଓ୍ଵାର୍ଡରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ‘ଉନ୍ନତି’ ଯୋଜନାରେ ପ୍ରତି ଓ୍ଵାର୍ଡକୁ ୫୦ଲକ୍ଷ ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ମାଧ୍ୟମରେ ଏହି ଅର୍ଥ ଖର୍ଚ୍ଚ ହେବ। ଏପରିକି ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ଗାଇଡଲାଇନ୍ ଜାରି କରାଯାଇଛି। ବିଧାୟକମାନଙ୍କ ସୁପାରିସରେ ବିଭିନ୍ନ ଓ୍ଵାର୍ଡରେ କାର୍ଯ୍ୟ ହେବାକୁ ଥିବାବେଳେ ଏଥିପାଇଁ ବି ‘ଡୁଡା’ ଲମ୍ବା ଚଉଡ଼ା ତାଲିକା ପ୍ରସ୍ତୁତ କରି କାମ କରିବାକୁ ଥିବା ସଂସ୍ଥାଙ୍କୁ ଧରାଇଦେଇଛି। କିନ୍ତୁ କାମ କରିବାକୁ ଠିକାଦାର ଆଗ୍ରହ ଦେଖାଉନାହାନ୍ତି କି କିପରି ଏହି ଅର୍ଥ ଖର୍ଚ୍ଚ କରିବେ କାର୍ଯ୍ୟାନ୍ଵୟନ କରୁଥିବା ସଂସ୍ଥାଗୁଡ଼ିକ ଏବେ ବାଟ ପାଉନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉନ୍ନତି ଯୋଜନାରେ ବିଏମ୍ସି ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ଭୁବନେଶ୍ୱର ବ୍ଲକ, ପୂର୍ତ୍ତ ବିଭାଗ ଏବଂ ବିଏମ୍ସି କରିପାରିବେ। ଏଥିପାଇଁ ଭୁବନେଶ୍ୱରର ତିନି ବିଧାୟକ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଓ୍ଵାର୍ଡଗୁଡ଼ିକରେ କ’ଣ କ’ଣ କାର୍ଯ୍ୟ ହେବ କେତେ ଟଙ୍କାର ହେବ ତା’ର ତାଲିକା ‘ଡୁଡା’କୁ ଦେବା ପରେ ଏହାକୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ ପଠାଇ ଦିଆଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଓ୍ଵାର୍ଡର କାର୍ଯ୍ୟ ବିଏମ୍ସି କରିବାକୁ ଦିଆଯାଇଥିବାବେଳେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ଭୁବନେଶ୍ୱର ବ୍ଲକ୍କୁ ଦିଆଯାଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅଧୀନରେ ହେବାକୁ ଥିବା କାର୍ଯ୍ୟ ବିଏମ୍ସି, ବ୍ଲକ ଏବଂ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ଏଥିରେ ଓ୍ଵାର୍ଡଗୁଡ଼ିକରେ ଡ୍ରେନ୍, ରାସ୍ତା ସହ ଡ୍ରେନ୍, କଲଭର୍ଟ, କମ୍ୟୁନିଟି ହଲ୍, ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ଖେଳ ପଡ଼ିଆ ପାଇଁ ଅର୍ଥ ବରାଦ ହୋଇଛି। କିନ୍ତୁ ବିଧାୟକମାନେ ଭୋଟରଙ୍କୁ ଖୁସି କରିବାକୁ ଗୋଟିଏ ଗୋଟିଏ ଓ୍ଵାର୍ଡରେ ୫୦ଲକ୍ଷ ଟଙ୍କାରେ ୧୨ରୁ ୧୫ଟି ଲେଖାଏଁ ପ୍ରକଳ୍ପ ଯୋଜନା କରିଥିବାରୁ ଯେଉଁ ଭଳି ଭାବେ ଅର୍ଥ ବରାଦ ହୋଇଛି ଏବଂ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି ତାହା ତିନି ସଂସ୍ଥାକୁ ଅଡ଼ୁଆରେ ପକାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଡୁଡାରୁ ଯେଉଁ ତାଲିକା ତିନିଟି ସଂସ୍ଥାକୁ ଦିଆଯାଇଛି ସେଥିରେ କେଉଁ ଅଞ୍ଚଳରେ କ’ଣ କାର୍ଯ୍ୟ ହେବ, କେତେ ଟଙ୍କା ଖର୍ଚ୍ଚ ହେବ ତାହା ଉଲ୍ଲେଖ କରାଯାଇଛି। କିନ୍ତୁ ଏହି କାର୍ଯ୍ୟ ପାଇଁ ତିନି ସଂସ୍ଥା ଖର୍ଚ୍ଚ ଆକଳନ ଦେଇ ନଥିଲେ ହେଁ ‘ଡୁଡା’ରୁ ଆସିଥିବା ତାଲିକାରେ ମନଇଚ୍ଛା ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ବରାଦ ହୋଇଛି। କେଉଁଠି କମ୍ୟୁନିଟି ସେଣ୍ଟର୍ ପାଇଁ ଲକ୍ଷେ ଟଙ୍କା ବରାଦ ହୋଇଛି ତ କେଉଁଠି ୪ଲକ୍ଷ ଟଙ୍କା। ରାସ୍ତା ସହ ଡ୍ରେନ୍ ନିର୍ମାଣ ପାଇଁ ତ ୮ରୁ ୧୦ଲକ୍ଷ ଟଙ୍କା ବରାଦ ହୋଇଛି। ଏପରିକି କଙ୍କ୍ରିଟ ରାସ୍ତା କେଉଁଠୁ କେଉଁ ପର୍ଯ୍ୟନ୍ତ ହେବ ତାହା ଚୂଡ଼ାନ୍ତ ହୋଇଯାଇଥିବାବେଳେ କେତେ ଅର୍ଥ ଖର୍ଚ୍ଚ ହେବ ତାହାର ତାଲିକା ଧରାଇ ଦିଆଯାଇଛି। ହେଲେ ରାସ୍ତା ହେବାକୁ ଥିବା ସ୍ଥାନରେ ଦୂରତା କେତେ ତାହାର ସୂଚନା ନାହିଁ। ବିଏମ୍ସି ଅଧୀନରେ ଥିବା ୬୭ଟି ଓ୍ଵାର୍ଡରୁ ବହୁ ଓ୍ଵାର୍ଡରେ ବିଏମ୍ସି ନିଜେ କାର୍ଯ୍ୟ କରିବାକୁ ଥିବାବେଳେ ଏନେଇ ମଧ୍ୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଟେଣ୍ଡରରେ ଅଧିକାଂଶ ପ୍ରକଳ୍ପ ପାଇଁ ସିଙ୍ଗିଲ୍ ଟେଣ୍ଡର୍ ହୋଇଥିବାରୁ ଏହାକୁ ବାତିଲ୍ କରାଯାଇଛି। ପୁଣି ଥରେ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଛି। ଏପଟେ ‘ଡୁଡା’ କର୍ତ୍ତୃପକ୍ଷ ଧାର୍ଯ୍ୟ ସମୟରେ କାମ ନକଲେ ଅର୍ଥ ଫେରିଯିବ ବୋଲି ତାଗିଦ୍ କରିଥିବାରୁ କିପରି କାର୍ଯ୍ୟ ହେବ ତାହା କର୍ତ୍ତୃପକ୍ଷଙ୍କୁ ଅକଳରେ ପକାଇଛି। ପୂର୍ତ୍ତ ବିଭାଗ କରିବାକୁ ଥିବା କାର୍ଯ୍ୟଗୁଡ଼ିକ ଚିଠାରେ ହେଉଥିବାରୁ କେତେକ ସ୍ଥାନରେ କାମ ଆରମ୍ଭ କରିବାକୁ ନଡ଼ିଆ ବାଡ଼ିଆ ସରିଲାଣି।
ଭୁବନେଶ୍ୱରର ତିନିଟି ଯାକ ନିର୍ବାଚନ ମଣ୍ଡଳୀରେ ଏହି ସମସ୍ୟା ଦେଖାଯାଇଥିବାବେଳେ ଏନେଇ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଓ୍ଵାର୍ଡର ଆବଶ୍ୟକତା ଅନୁଯାୟୀ କ’ଣ କାର୍ଯ୍ୟ ହେବ ସ୍ଥିର କରିଛୁ। ଲକ୍ଷେ କି ଦେଢ଼ ଲକ୍ଷ ଟଙ୍କାରେ କମ୍ୟୁନିଟି ହଲ୍ ନିର୍ମାଣ କରିବା ସମ୍ଭବ ନୁହେଁ। ଯେଉଁଠି ଟିଣ ଘର କି ଆଜବେଷ୍ଟସ୍ ଘର ହେବ ସେଠାରେ ଦୁଇରୁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରକଳ୍ପର ଖର୍ଚ୍ଚ ଆକଳନ ହୋଇଛି। ଯଦି କେଉଁଠି ମଞ୍ଜୁର ଅର୍ଥରୁ ଅଧିକ ଅର୍ଥ ଆବଶ୍ୟକ ପଡ଼େ ତେବେ ବିଧାୟକ ପାଣ୍ଠିରୁ ଅର୍ଥ ବରାଦ କରିହେବ। ଉନ୍ନତି ଯୋଜନାରେ କୌଣସି ପ୍ରକଳ୍ପ ଅଧପନ୍ତରା ହେବନି କି ପୁରୁଣା ପ୍ରକଳ୍ପରେ ଏହି ଅର୍ଥ ଲାଗିବନି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ‘ଡୁଡା’ରୁ ଯେଉଁ ତାଲିକା ଆସିଛି ସେଥିରେ ଅଧିକାଂଶ ସ୍ଥାନରେ କମ୍ୟୁନିଟି ହଲ୍ ନିର୍ମାଣ କରିବାକୁ ଆସିଛି। କମ୍ୟୁନିଟି ହଲ୍ଗୁଡ଼ିକ ଅତି କମ୍ରେ ୫୦ଜଣ ଲୋକ ବସିବା ଭଳି ଆମେ କରିଥାଉ। ଏଥିପାଇଁ ବିଏମ୍ସି ସର୍ବନିମ୍ନ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥାଏ। କିନ୍ତୁ ଡୁଡାରୁ ଯେଉଁ ତାଲିକା ଆସିଛି ସେଥିରେ କେଉଁଠି କମ୍ୟୁନିଟି ହଲ୍ ପାଇଁ ୧ଲକ୍ଷ ଟଙ୍କା ତ କେଉଁଠି ୧ଲକ୍ଷ ୩୦ହଜାର ଟଙ୍କା ବରାଦ ହୋଇଛି। କେତୋଟି ସ୍ଥାନରେ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବରାଦ ହୋଇଛି। ଲକ୍ଷେ ଟଙ୍କାରେ କେମିତି କମ୍ୟୁନିଟି ହଲ୍ ହେବ ତାହା ଆମେ ଜାଣିପାରୁନୁ। ଏପରିକି କେତେକ ସ୍ଥାନରେ ରାସ୍ତା ପାଇଁ ଯେତିକି ଅର୍ଥ ବରାଦ ହୋଇଛି ସେଥିରେ ଧାର୍ଯ୍ୟ ହୋଇଥିବା ସ୍ଥାନର ଅଧା ବି କରିବା ସମ୍ଭବ ନୁହେଁ। ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ଅର୍ଥରେ ଠିକାସଂସ୍ଥାଗୁଡ଼ିକ କାର୍ଯ୍ୟ କରିବା ସମ୍ଭବପର ନଥିବାରୁ ବହୁ ଠିକା ସଂସ୍ଥା ଭାଗ ନେଉନାହାନ୍ତି। ଏନେଇ ଆମେ ଡୁଡା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛୁ।
ଏନେଇ ଡୁଡା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଜାଣିବାକୁ ମିଳିଛି ଯେ, କେଉଁ ନିର୍ବାଚନ ମଣ୍ଡଳୀର କେଉଁ ଓ୍ଵାର୍ଡରେ କ’ଣ କାମ ହେବ ତାହାର ତାଲିକା ସ୍ଥାନୀୟ ବିଧାୟକମାନେ ଦେଇଛନ୍ତି। ଏପରିକି ସେମାନେ କେତେ ଟଙ୍କା କେଉଁଠି ଖର୍ଚ୍ଚ ହେବ ତାହା ବି ଜଣାଇଛନ୍ତି। ଆମେ କେବଳ ଏହାକୁ ଯାଞ୍ଚ କରି କାମ କରିବାକୁ ଥିବା ସଂସ୍ଥାକୁ ପଠାଇଛୁ। ସେମାନେ ସେତିକି ଟଙ୍କାରେ କାର୍ଯ୍ୟ କରିବେ।