ବାହାରି ପାରିଲାନି ସ୍ଥାୟୀ ପ୍ରତିକାର

ବର୍ଷେ ପରେ ବି ଏନ୍‌ଏଚ୍‌ଏଆଇକୁ ଡିପିଆର୍‌ ମିଳିଲାନି

ଜାତୀୟ ରାଜପଥରେ ଜଳ ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍‌ ଆଜି ଉପସ୍ଥାପନ ହୋଇଥିଲା। ଏଥିରେ ଜାତୀୟ ରାଜପଥରେ ବର୍ଷା ଜଳ ନିଷ୍କାସନ ପାଇଁ ପ୍ରସ୍ତାବ ଦେଇଛି ଯେ, ବରମୁଣ୍ଡାରୁ ପଳାସୁଣୀ ପର୍ଯ୍ୟନ୍ତ ରାସ୍ତାରେ ଜାତୀୟ ରାଜପଥ କଡ଼ରେ ସମାନ୍ତରାଳ ଭାବେ ଅଢ଼େଇ ଫୁଟ ଓସାରର ଡ୍ରେନ୍‌ ନିର୍ମାଣ ହେବ। ସିଆର୍‌ପି ଛକରୁ ବରମୁଣ୍ଡା ପର୍ଯ୍ୟନ୍ତ ପାଣିକୁ ବରମୁଣ୍ଡା ନିକଟରେ ଥିବା ମୁଖ୍ୟ ଡ୍ରେନ୍‌ରେ, ସିଆର୍‌ପିରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତାର ପାଣିକୁ ଜୟଦେବ ବିହାର ଛକରେ ଥିବା ମୁଖ୍ୟ ଡ୍ରେନ୍‌ରେ, ଜୟଦେବ ବିହାର ଛକରୁ ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ପାଣିକୁ ବାଣୀବିହାର ନିକଟସ୍ଥ ମୁଖ୍ୟ ଡ୍ରେନ୍‌ରେ ଏବଂ ବାଣୀବିହାରରୁ ରସୁଲଗଡ଼ ଦେଇ ପଳାସୁଣୀ ପର୍ଯ୍ୟନ୍ତ ପାଣିକୁ ଗଙ୍ଗୁଆ ନାଳରେ ପକାଯିବ। ଏହାଦ୍ୱାରା ଜାତୀୟ ରାଜପଥରେ ଆଉ ପାଣି ସମସ୍ୟା ଉପୁଜିବନି। ହେଲେ ଏଥିପାଇଁ ବହୁ ଅର୍ଥ ଆବଶ୍ୟକ ଥିବାରୁ ଏହାକୁ କିଏ କାର୍ଯ୍ୟକାରୀ କରିବା ତାହା ଏବେ ପ୍ରଶ୍ନ ହୋଇଛି। ପୂର୍ତ୍ତ ବିଭାଗ ଆଜି ଏହି ଡିପିଆର୍‌ ଉପସ୍ଥାପନ କରିଥିଲେ ହେଁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଦେଇନି। ବର୍ଷେ ହେଲା ପୂର୍ତ୍ତ ବିଭାଗ ଡିପିଆର୍‌ ପ୍ରସ୍ତୁତ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ଏହା ଚୂଡ଼ାନ୍ତ ହୋଇପାରିଲାନି। ଆମକୁ ଡିପିଆର୍‌ ମିଳି ନଥିବାରୁ ଆମେ କିଛି ନିଷ୍ପତ୍ତି ନେଇନୁ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି।

ବିଡିଏ ଉପାଧ୍ୟକ୍ଷ, ଜିଲ୍ଲାପାଳ ନେଲେ ବୈଠକ
ଭୁବନେଶ୍ୱର: ଇସ୍କନ ମନ୍ଦିର ସମ୍ମୁଖରେ ଜାତୀୟ ରାଜପଥ ଉପରେ ବର୍ଷା ଜଳ ନିଷ୍କାସନ ନେଇ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇପାରିଲାନି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବିଡିଏ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ବସିଥିବା ପୃଥକ ପୃଥକ ବୈଠକରେ ବିଏମ୍‌ସି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ହେଁ ସ୍ଥାୟୀ ପ୍ରତିକାର ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇପାରିଲାନି। ବରଂ ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପରସ୍ପର ଉପରେ ଦୋଷ ଲଦାଲଦି ହେଲେ। ଏହାପରେ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ଯେ, ଦୋଷ ଲଦାଲଦି ଛାଡ଼ି ତୁରନ୍ତ ଏହାର ସମାଧାନ କରାଯିବା ଦରକାର। ଯାହା ବି ଦୀର୍ଘସ୍ଥାୟୀ ନିଷ୍ପତ୍ତି ହେବ ସେଥିରେ ସମସ୍ତେ ସହଯୋଗ କରିବେ।

ଆଜି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମ୍‌ସି ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଇଞ୍ଜିନିୟରମାନେ ଯୋଗଦେଇ ବିଭିନ୍ନ ସମସ୍ୟା କହିଥିଲେ। ସମସ୍ତ ବିଷୟରେ ଆଲୋଚନା ହେବା ପରେ ନିଷ୍ପତ୍ତି ହୋଇଛି ଯେ, ଏବେ ବର୍ଷା ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ। ଏହାବାଦ୍‌ ଦୀର୍ଘକାଳୀନ ସମାଧାନ ପାଇଁ ଆଉ ଏକ ଯୋଜନା ପ୍ରସ୍ତୁତ କରାଯାଉ। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ସେଠାରେ ବି ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପରସ୍ପର ଉପରେ ଦୋଷ ଲଦାଲଦି ହେବାରୁ ଜିଲ୍ଲାପାଳ ବିବାଦ ନ ବଢ଼ାଇ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।

କଲଭର୍ଟ ବନ୍ଦ ଯୋଗୁଁ ପାଣି ଜମୁଛି, ଆଜି ଭଙ୍ଗାଯିବ: ଏନ୍‌ଏଚ୍‌ଏଆଇ
ଆଜିର ବୈଠକରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି ଯେ, ଇସ୍କନ ସମ୍ମୁଖ ରାସ୍ତାରୁ ବର୍ଷା ଜଳ ନିଷ୍କାସନ ପାଇଁ ଦୁଇଟି ୪ବର୍ଗମିଟର ଲେଖାଏଁର କଲଭର୍ଟ ନିର୍ମାଣ କରାଯାଇଛି। ରାସ୍ତାରେ ଯେତିକି ପାଣି ଜମା ହେଉଛି ତାହା ଅତି ସହଜରେ ଏହି କଲଭର୍ଟରେ ନିଷ୍କାସିତ ହୋଇଯିବ। କିନ୍ତୁ ଏହାର ତଳ ମୁଣ୍ଡରେ କଲଭର୍ଟ ଯେଉଁଠି ଡ୍ରେନ୍‌କୁ ସଂଯୋଗ କରିଛି (ବେହେରା ସାହି ପାର୍ଶ୍ୱରେ) ସେଠାରେ କଲଭର୍ଟକୁ ବନ୍ଦ କରିଦିଆଯାଇଛି। ପ୍ରାୟ ୮ ବର୍ଗମିଟରର କଲଭର୍ଟର ମୁହଁ ଥିଲେ ହେଁ ସେଠାରେ ମାତ୍ର ୧.୩ମିଟର ଖୋଲା ସ୍ଥାନ ଅଛି। ଯେଉଁଥିରେ ପାଣି ନିଷ୍କାସନ ହୋଇପାରୁନି। କିଏ କଲଭର୍ଟ ବନ୍ଦ କରିଛି ଜାଣିନୁ। ତେଣୁ ନୂଆପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରାଯାଇଛି। ବୁଧବାର ପୂର୍ବାହ୍ନରେ ଏନ୍‌ଏଚ୍‌ଏଆଇ, ବିଏମ୍‌ସି, ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ମିଳିତ ଟିମ୍‌ ଏହି ଅଞ୍ଚଳ ପରିଦର୍ଶନ କରିବ। ଏହି ସମୟରେ ପୁଲିସ ଉପସ୍ଥିତିରେ ଏହି କଲଭର୍ଟ ଭଙ୍ଗାଯିବ। ଯେତିକି ଅଞ୍ଚଳରେ ସହଜରେ ପାଣି ନିଷ୍କାସନ ହୋଇପାରିବ ସେତିକି ଭାଙ୍ଗିବୁ। ଏହାସହ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍‌ ଓ କଲଭର୍ଟ ସଫେଇ କରିବୁ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି।

କଲଭର୍ଟ ପୂରା ଖୋଲିଦେଲେ ବେହେରା ସାହି ଭାସିଯିବ: ବିଏମ୍‌ସି
ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ବେହେରା ସାହି ପାର୍ଶ୍ୱରେ କଲଭର୍ଟ କେହି ବନ୍ଦ କରିଛନ୍ତି। କିନ୍ତୁ ଏହି କଲଭର୍ଟ ଖୋଲିଦେଲେ ବେହେରା ସାହି ଭାସିଯିବ। ସବୁ ଘରେ ପାଣି ପଶିବ। ତେଣୁ ଯେତିକି କଲଭର୍ଟ ବନ୍ଦ ଅଛି ତାହାର କମ୍‌ ଅଂଶ ଭାଙ୍ଗିବାକୁ କହିଛୁ। ସେହିପରି ଜାତୀୟ ରାଜପଥ ଉପରେ ଫ୍ଲାଇଓଭର ପାଚେରି ସଦୃଶ ଛିଡ଼ା ହୋଇଛି। ରାସ୍ତା ଏପଟ ପାଣି ସେପଟକୁ ଯାଉନି। ଯଦି ଫାୟାର ଷ୍ଟେସନ୍‌ ଛକରୁ ଇସ୍କନ ମଧ୍ୟରେ ଦୁଇ ତିନିଟି ଜାଗାରେ କଲଭର୍ଟ ନିର୍ମାଣ କରି ପାଣି ରାସ୍ତା ଅପରପାର୍ଶ୍ୱକୁ ଛାଡ଼ିଥିଲେ ଏପରି ସମସ୍ୟା ହୁଅନ୍ତାନି। କେବଳ ଗୋଟିଏ ଜାଗାରେ ଇସ୍କନ ନିକଟରେ ପାଣି ଛଡ଼ା ଯାଉଥିବାରୁ ପାଣି ନିଷ୍କାସନ ହୋଇପାରୁନି। ଏବେ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ ଓ କଲଭର୍ଟ ସଫା କରିବାକୁ କୁହାଯାଇଛି। ଏହାସହ ପାଣି ଜମିଲେ ଏହାକୁ ନିଷ୍କାସନ କରିବା ପାଇଁ ୪ଟି ପମ୍ପସେଟ୍‌ ରହିବ। ବିଏମ୍‌ସି ଦୁଇଟି ଦେବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୁଇଟି ଦେବେ। ହେଲେ ପମ୍ପ ଲାଗିଲେ ପାଣି କେଉଁଠି ଛଡ଼ାଯିବ ତାହା କର୍ତ୍ତୃପକ୍ଷଙ୍କୁ ଜଣାନାହିଁ।

ସହରାଞ୍ଚଳ ବନ୍ୟା ମୁକାବିଲା ଚିନ୍ତା
ଫୋକସ୍‌ରେ ଭୁବନେଶ୍ୱର, କଟକ
ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପ୍ରଭାବ ଏବେ ବିଶେଷ ପଡ଼ି ନଥିଲେ ହେଁ ଆଗାମୀ ଦିନରେ ବର୍ଷା କି ବାତ୍ୟା ହେଲେ ସହରାଞ୍ଚଳରେ ଜଳ ନିଷ୍କାସନ, ଜରୁରୀ କାଳୀନ ସେବା ଯୋଗାଇବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ସବିଶେଷ ରିପୋର୍ଟ ଦେବାକୁ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟଯନ୍ତ୍ରୀ, ଭୁବନେଶ୍ୱର ଓ କଟକ ମହାନଗର ନିଗମ ଏବଂ ସମସ୍ତ ପୌର ସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ରିପୋର୍ଟ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ସହରାଞ୍ଚଳରେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର୍‌ଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଥିଲା। ଏହି ଗାଇଡଲାଇନ୍‌ କିପରି ପାଳନ ହୋଇଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି। ଆସନ୍ତା ୭ତାରିଖ ସୁଦ୍ଧା ଏହି ରିପୋର୍ଟ ଦେବାକୁ କୁହାଯାଇଛି। ବିଭାଗର ଫୋକସ୍‌ରେ ଭୁବନେଶ୍ୱର ଓ କଟକ ଥିବାରୁ ଏଥିପାଇଁ ବିଏମ୍‌ସି ଓ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଜନା ଖସଡ଼ା ମଗାଯାଇଛି। ବନ୍ୟାର ଆଗୁଆ ସୂଚନା ଏବଂ ଏହାର ପ୍ରତିକାର ପାଇଁ ବନ୍ୟା ନିୟନ୍ତ୍ରଣ ଏବଂ ବେସିନ୍‌ ମ୍ୟାନେଜର ମୁଖ୍ୟଯନ୍ତ୍ରୀ, ତୁରନ୍ତ ରାସ୍ତା ମରାମତି ଏବଂ ନିର୍ମାଣ ପାଇଁ ମୁଖ୍ୟଯନ୍ତ୍ରୀ (ରାସ୍ତା), ପୌର ପ୍ରଶାସକ, ବନ୍ୟାପ୍ଲାବିତ ଅଞ୍ଚଳରେ ରିଲିଫ ଯୋଗାଣ ପାଇଁ ଖାଦ୍ୟ ଯୋଗାଣ ବିଭାଗ, ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଗୃହ ପାଳିତଙ୍କୁ ସୁରକ୍ଷିତ ରଖିବା ପାଇଁ ପଶୁ ସମ୍ପଦ ବିଭାଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ମୁଖ୍ୟଯନ୍ତ୍ରୀ, ପୌର ପ୍ରଶାସକ, ବିଏମ୍‌ସି ଓ ସିଏମ୍‌ସି କର୍ତ୍ତୃପକ୍ଷ, ଓଡ୍ରାଫ୍‌ ଟିମ୍‌/ ଅଗ୍ନିଶମ କର୍ମଚାରୀ/ଏନ୍‌ଡିଆରଏଫ୍‌ ଟିମ୍‌କୁ ତୁରନ୍ତ ନିୟୋଜିତ କରିବାକୁ ଆଇଜି ପୁଲିସ ଆଇନ ଶୃଙ୍ଖଳା, ଅଗ୍ନିଶମ ବିଭାଗ, ଏନ୍‌ଡିଆରଫ୍‌, ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ ସଫେଇ କରିବାକୁ ମୁଖ୍ୟ ଯନ୍ତ୍ରୀ (ଡ୍ରେନେଜ୍‌), ମୁଖ୍ୟ ଯନ୍ତ୍ରୀ (ରାସ୍ତା), ପୌର ପ୍ରଶାସକ, ବିଏମ୍‌ସି ଓ ସିଏମ୍‌ସି ଅଧିକାରୀମାନେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର