ଭୁବନେଶ୍ବର: ଧାର ନେଇଥିବା ସାଢ଼େ ୪ ଲକ୍ଷ ଟଙ୍କା ଫେରାଇବା ବଦଳରେ ପାଲଟା ଗାଳିମନ୍ଦ କରିବା ସହ ଧମକ ଦେବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ପଞ୍ଚାନନ ବେହେରା(୪୬)କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଦୁଇ ବର୍ଷ ତଳେ ଅଭିଯୁକ୍ତ ପଞ୍ଚାନନ ଅଭିଯୋଗକାରୀ ସୋମନାଥ ବେହେରାଙ୍କଠାରୁ ଧାର ସୂତ୍ରରେ ସାଢ଼େ ୪ ଲକ୍ଷ ଟଙ୍କା ନେଇଥିଲେ। ପୂର୍ବରୁ ସେମାନଙ୍କ ଭିତରେ ଭଲ ସମ୍ପର୍କ ଥିବାରୁ ସୋମନାଥ ତାକୁ ଏତେ ଟଙ୍କା ଧାର ଦେଇଥିଲେ। କିନ୍ତୁ ଟଙ୍କା ଫେରାଇବା ସମୟ ପହଞ୍ଚିବାରୁ ପଞ୍ଚାନନ ସବୁ ସମ୍ପର୍କ ଭୁଲି ଯାଇଥିଲା।
ଟଙ୍କା ଫେରାଇବ କ’ଣ, ପାଲଟା ଧମକଚମକ ଦେଲା। ସୋମନାଥ ଜଣେ ମଧ୍ୟସ୍ଥିଙ୍କୁ ଧରି ପଞ୍ଚାନନଙ୍କୁ ବୁଝାଇବା ସହ ଟଙ୍କା ଫେରାଇଦେବାକୁ ଅନୁରୋଧ କରିଥିଲେ। ମଧ୍ୟସ୍ଥିଙ୍କ ଉପସ୍ଥିତିରେ ପଞ୍ଚାନନ ରାଜି ହୋଇଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ତାରିଖରେ ଟଙ୍କା ଫେରାଇବ ବୋଲି କହିଥିଲା। କିନ୍ତୁ ଉକ୍ତ ତାରିଖ ଆସିବା ପରେ ସେ ପୁଣି ସୋମନାଥଙ୍କୁ ଗାଳିମନ୍ଦ କରି ଟଙ୍କା ଫେରାଇବ ନାହିଁ ବୋଲି ରୋକ୍ଠୋକ କହିଥିଲା। ଏନେଇ ସୋମନାଥ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।