ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପ ବେଳେ ସାହା ହେଉଥିଲା ମାନ୍ଧାତା ଅମଳର ପୋଖରୀ। କୂଅ ଓ ନଳକୂପକୁ ଶୁଖିବାକୁ ଦେଉ ନଥିଲା। ମାତ୍ର ଏବେ ସ୍ଥିତି ବଦଳିଯାଇଛି। ଖରା ଦାଉରେ ଏବେ ୪ ମାସ କୂଅ ପୋଖରୀ ଶୁଖିଯାଉଛି। ଝର ଆଉ ଫିଟୁନି। ରାଜଧାନୀର କଂକ୍ରିଟ୍ ଜଙ୍ଗଲର ଅତ୍ୟାଚାରରେ କିଛି ପୋଖରୀ କବର ନେଇଛି। ଆଉ କିଛି ପ୍ରଶାସନିକ ଉଦାସୀନତା ଯୋଗୁଁ ଡମ୍ପିଂୟାର୍ଡ୍ର ବୋଝ ବୋହିବୋହି ନିଜର ସତ୍ତା ହରାଇବାକୁ ବସିଛି। ବିଏମ୍ସି ଗତ ବର୍ଷ ମେ ମାସରେ୧୪ଟି ପୋଖରୀକୁ ପୁନରୁଦ୍ଧାର କରି ସଜାଇବା ପାଇଁ କୋଟିକୋଟି ଟଙ୍କାର ବ୍ୟୟବରାଦ କରିଛି। ଅଥଚ ବ୍ୟବହାର ହେଉ ନଥିବା ଆଳରେ ମରି ଯାଉଥିବା ଶହଶହ ପୋଖରୀକୁ ବଞ୍ଚେଇବାକୁ ଦୃଷ୍ଟି ଦେଇନି। ରାଜଧାନୀରେ ଏଇ କିଛି ବର୍ଷ ତଳେ ତାପମାତ୍ରା ୪୫ ଡିଗ୍ରି ଟପି ରେକର୍ଡ ରଚିଛି। ହେଲେ, ନା ପ୍ରଶାସନ ଚେତିଛି ନା ସ୍ଥାନୀୟ ଜନତା। ଆଗକୁ ରାଜଧାନୀ ଅସହ୍ୟ ତାପମାତ୍ରାର ଜ୍ୱାଳାରେ ଆଉଟୁପାଉଟୁ ହେବା ବେଳେ ହିଁ ମନେ ପଡ଼ିବ ଏହି ପୋଖରୀର ଅବଦାନ…
ତୁଠ ଅଛି, ‘ଲାଞ୍ଜି’ ନାହିଁ
ସରକନ୍ତରା ହାଟ ସାହିକୁ ଲାଗି ୩ ଭଉଣୀ ଭଳି ଲାଗିଲାଗି ରହିଛନ୍ତି ଲାଞ୍ଜି, ଚବକା ଓ ବଡ଼ପୋଖରୀ। ତେବେ ଦୀର୍ଘଦିନ ଧରି ବ୍ୟବହାର ନହେବାରୁ ଲାଞ୍ଜି ଧୀରେଧୀରେ ଅଦରକାରୀ ହୋଇପଡ଼ିଲା। ଏବେ ତୁଠ ଦିଶୁଛି ସିନା କିନ୍ତୁ ଲାଞ୍ଜି ବୁଡ଼ିବାକୁ ବସିଛି। ସ୍ଥାନୀୟ ବାସିନ୍ଦା ୯୦ ବର୍ଷୀୟ ମୁରଲୀଧର ବାରିକ କୁହନ୍ତି, ବଡ଼ପୋଖରୀ ଓ ଲାଞ୍ଜି ୭ ମାଣ ଜମି ଉପରେ ରହିଥିଲା। କିନ୍ତୁ ଯେବେଠୁ ମଝିରେ ଏକ ବନ୍ଧ ପଡ଼ିଲା ଲାଞ୍ଜି ଅଲଗା ହୋଇଗଲା। ଲାଞ୍ଜିକୁ କେହି ବି ପଚାରିଲେନି। ପ୍ରଶାସନ ବି ଲାଞ୍ଜିକୁ ଭୁଲିଯିବା ପାଇଁ ମୌକା ପାଇଗଲା। ଏବେ ପୂଜା ପାର୍ବଣର ହୋମ ଜିନିଷ ବିସର୍ଜନ ପାଇଁ ଖାଲି ଯାହା ସାହାରା ପାଲଟିଛି ଲାଞ୍ଜି। କୈଳାସ ପ୍ରଧାନ କୁହନ୍ତି ମୁଁ ଏଠି ଡଙ୍ଗା ବାହୁଥିଲି। ଠାକୁର ଚାପ ଖେଳୁଥିଲେ। ହେଲେ ସେ ପାର୍ବଣ ଏ ପିଢ଼ି ଆଉ ଦେଖିପାରିଲେ ନାହିଁ। ବଡ଼ପୋଖରୀର ପାଣି ବି ନୀଳ ପଡ଼ିଗଲାଣି। ଏହାକୁ ବି ନିର୍ଦ୍ୱନ୍ଦ୍ୱରେ ବ୍ୟବହାର କରିହେଉନି ବୋଲି କୁହନ୍ତି ଦୈତାରୀ ସାଥୁଆ। ଏଠାରେ ଏକ ଝର ଯୋଗେ ମିଠା ପାଣି ଆସୁଥିଲେ ହେଁ ସ୍ଥାନୀୟ ଅଞ୍ଚଳରେ ଶହଶହ ବୋରିଂ ଯୋଗୁଁ ୩୫ ବର୍ଷ ତଳୁ ଏହି ମୁଖ୍ୟ ଝର ବନ୍ଦ ହୋଇଯାଇଛି ବୋଲି ସୁରେଶ ମହାପାତ୍ର କହିଛନ୍ତି।
ତ୍ରିନାଥ ମନ୍ଦିର ପୋଖରୀକୁ କୋଦରା ଦଶା
ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ସଂଲଗ୍ନ ତ୍ରିନାଥ ମନ୍ଦିର ପୋଖରୀ ଡମ୍ପିଂୟାର୍ଡ୍ଠୁ ବି ତୁଚ୍ଛ ପାଲଟିଛି। ପୋଖରୀ ପାଖାପାଖି ଅଘୋଷିତ ଡମ୍ପିଂ ହବ୍ ସୃଷ୍ଟି ହୋଇଥିବା ବେଳେ ପୋଖରୀକୁ ତାହା ଆକ୍ରାନ୍ତ କରିଛି। ଏହି ପୋଖରୀର ଯେ ପୁନରୁଦ୍ଧାର କାମ ହୋଇନି ସେକଥା ନୁହେଁ, କିନ୍ତୁ କୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ଯେତେ ପୁନରୁଦ୍ଧାର କଲେ ବି ଅବସ୍ଥା ସୁଧୁରିନି। ପୂର୍ବରୁ ହର୍ଟିକଲ୍ଚର ପାଖରେ ଥିବା ଏହି ପୋଖରୀ ଯେବେଠୁ ସ୍ଥାନାନ୍ତର ହୋଇ ଏନ୍ଏଚ୍ କଡ଼କୁ ଆସିଛି ସେବେଠୁ ପରିତ୍ୟକ୍ତ ଅବସ୍ଥା ପିଛା ଗୋଡ଼ାଇଛି। ଏନ୍ଏଚ୍ କଡ଼ରେ ଥିବା ନାଳ ଏବଂ ପୋଖରୀର ଜଳ ନିଷ୍କାସନ ପଥ ପାଖାପାଖି ଥିବାରୁ ପାଣି ଦୂଷିତ ହେଉଛି। ଏଠାରେ କିଛି ବର୍ଷ ତଳେ ବୋରିଂ କରାଯାଇ ମୋଟର ଲାଗିଥିଲେ ହେଁ ତାହା ଅନେକ ଦିନ ତଳୁ ଚୋରି ହୋଇଯାଇଛି।
ପୋଖରୀ ଥିଲା, ଆନନ୍ଦ ଥିଲା
ସେଣା ଲାଗିଥିବ। ପାଣି ବୁହା ଚାଲିଥିବ। ଧାନ, ଆଖୁ, ଆଳୁ ଫଳୁଥିବ। ମାଛ ମରା ଚାଲିଥିବ। ସେତେବେଳେ ଡୁମୁଡୁମା ଅଞ୍ଚଳରେ ଥିବା ଚୁଆ ପୋଖରୀ, ବଡ଼ ପୋଖରୀ ଓ ନୂଆ ପୋଖରୀ ହିଁ କ୍ଷେତକୁ ସାହା ହୋଇଥିଲା। ସେଥିପାଇଁ ଏତେ ଗରମ ହେଉ ନଥିଲା। ସେତେବେଳର ଆନନ୍ଦ ମନେ ପଡ଼ିଲେ ଆଉ ପୋଖରୀର ଏ ସ୍ଥିତି ଦେଖିଲେ ମନ କାନ୍ଦୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ସୁଦାମ ସାହୁ। ଚୁଆ ପୋଖରୀ ଏବେ ହୋମ ଦରବକୁ ଉଦରସ୍ଥ କରିକରି ବଞ୍ଚି ରହିଛି। ଧୀରେଧୀରେ ସଙ୍କୁଚିତ ହୋଇ ସଂକୀର୍ଣ୍ଣ ପ୍ରାୟ ପାଲଟିଛି। ବଡ଼ ପୋଖରୀ ଛୋଟ ହୋଇଯାଇଛି। ଚୁଆ ଭଳି ତାକୁ ବି ସମଦଶା ଭୋଗିବାକୁ ପଡ଼ିଛି। ନୂଆ ପୋଖରୀ ଅଳ୍ପ ବହୁତେ ବ୍ୟବହୃତ ସିନା ହେଉଛି କିନ୍ତୁ ଏହାର ଜରାଜୀର୍ଣ୍ଣ ଭବିଷ୍ୟତ ଜଳଜଳ ଦିଶିଲାଣିି।