ସରକାର ଓ ହିତାଧିକାରୀ ମଝିରେ ହଜାରେ ହାତ: ସୂର୍ଯ୍ୟ ପାତ୍ର

ସଫଳ ହେଉନି କଲ୍ୟାଣ ମୂଳକ ଯୋଜନା

ଭୁବନେଶ୍ୱର: ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା କରିଛନ୍ତି। ବଜେଟ୍‌ର ସିଂହଭାଗ ଏହି ସବୁ ଯୋଜନା ପାଇଁ ଯାଉଛି। ହେଲେ ବାସ୍ତବରେ ଏହି ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନାହିଁ। କାରଣ ସରକାର ଓ ହିତାଧିକାରୀ ମଝିରେ ହଜାର ହଜାର ହାତ ରହିଛି। ଯାହା ମଝିରୁ ଟାଣି ନେଇ ଯାଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଦିଶା, ସ୍ପ୍ରେଡ୍‌ ଓ ଡିସିଏ ମିଳିତ ସହଯୋଗରେ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ ପରିସରରେ ଆୟୋଜିତ ‘ସରକାରୀ ଯୋଜନା ଓ ସେବା ସହଜଲବ୍ଧ କରିବା’ ଶୀର୍ଷକ ଏକ ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି। ଶ୍ରୀ ପାତ୍ର ଆହୁରି କହିଲେ ଯେ, ଖାଦ୍ୟ ନିରାପତ୍ତା ଆଇନ ବଳରେ ଯେଉଁ କାର୍ଡ ପ୍ରଦାନ କରାଯାଇଛି ସେଥିରେ ଅନେକ ଅଯୋଗ୍ୟ ସାମିଲ ହୋଇଥିବା ବେଳେ ଯୋଗ୍ୟ ବାଦ୍‌ ପଡ଼ିଛନ୍ତି। କେତେକ କର୍ମଚାରୀ ଶହେ ଦୁଇଶହ ଟଙ୍କାରେ ତାଲିକା ବଦଳାଇ ଦେବାକୁ ପଛାଉ ନାହାନ୍ତି। ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ପ୍ରଦାନ କରିବା ପାଇଁ ଅନେକ ଥର ଯୋଜନା ହୋଇଥିଲେ ମଧ୍ୟ ତାହା ହୋଇ ପାରି ନାହିଁ। ଭବିଷ୍ୟତରେ ମଧ୍ୟ ହୋଇ ପାରିବ ନାହିଁ। କାରଣ ଆମେ ତାଙ୍କୁ କାଟିଲେ ସେମାନେ ଆମର କାଟିଦେବେ (ଭୋଟ) ବୋଲି କହି ମନ୍ତ୍ରୀ ନିଜର ଅସହାୟତା ପ୍ରକାଶ କରିଥିଲେ। ବିପିଏଲ ତାଲିକାରେ ଥିବା ତ୍ରୁଟି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ। କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟାରେ କାର୍ଡ ପ୍ରଦାନ କରୁଥିବାରୁ ତାହା ମଧ୍ୟ ଅନ୍ୟ ଏକ କାରଣ ହୋଇଛି। ସେହିଭଳି ଭତ୍ତା ପ୍ରଦାନରେ ମଧ୍ୟ ପକ୍ଷପାତିତା ହେଉଥିବାରୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ୁଛନ୍ତି। ଏଣୁ ଯୋଜନା ବାଟବଣା ହୋଇଛି। ତେବେ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି।

ଏହି କର୍ମଶାଳାରେ ସୂଚନା ଅଧିକାର ଆଇନ ସହ ସରକାରୀ ଯୋଜନା ଓ ସେବା ପାଇବାରେ ରହିଥିବା ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରାଯାଇଥିଲା। ବିଶେଷକରି ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାକୁ ପ୍ରଧାନ୍ୟ ଦିଆ ଯାଇଥିଲା। ସମସ୍ୟା ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଥିବା ବେଳେ ଏ ନେଇ ରାଜ୍ୟ ସରକାର ନିୟମାବଳୀ(ରୁଲ୍‌) ପ୍ରସ୍ତୁତ କରିନାହାନ୍ତି। ଅଭିଯୋଗ ସମାଧାନ କରିବାର ଧାର୍ଯ୍ୟ ସମୟସୀମା ଭିତରେ କାର୍ଯ୍ୟ ହେଉ ନାହିଁ। ସମସ୍ତ ଯୋଜନାରେ ସଂଯୋଗ ଓ ବାଦ୍‌ ପ୍ରକ୍ରିୟାରେ ହେରଫେର, ଲୋକପ୍ରତିନିଧିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶୂନ, ପଲ୍ଲୀ ଓ ଗ୍ରାମ ସଭାରେ ହିତାଧିକାରୀଙ୍କ ଭାଗିଦାରୀ ଅଭାବ, ଏମ୍‌ଜିଏନ୍‌ଆରଇଜିଏରେ ମଜୁରୀ ପ୍ରଦାନରେ ବିଳମ୍ବ, ସୂଚନା ଅଧିକାର ଆଇନରେ ଥିବା ସୋ-ମୋଟୋ ଡିସ୍‌କ୍ଲୋଜର ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ରାଜ୍ୟ ସୂଚନା ଆୟୁକ୍ତ ଶଶିପ୍ରଭା ବିନ୍ଧାଣୀ, ଅବସରପ୍ରାପ୍ତ ଆଇଏଏସ୍‌ ଅରବିନ୍ଦ ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସରକାରୀ ଯେଜାନା ହିତାଧିକାରୀ ପାଖରେ ନ ପହଞ୍ଚିବା ପଛରେ କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ ସ୍ପ୍ରେଡ୍‌ ସଂସ୍ଥାର ବିଦ୍ୟୁତ ମହାନ୍ତି ଓ ଦିଶାର ସେକ ଅବଦୁଲ କଲାମ୍‌। କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଓଡ଼ିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା, ଗଙ୍ଗାଧର ସାହୁ, ଏମ୍‌.କ୍ୟୁ ହକ୍‌, ରାଜକିଶୋର ମିଶ୍ର, ବିଜୟିନୀ ମହାନ୍ତି, ଜଗଦାନନ୍ଦ, ଶ୍ରୀଜିତ ମିଶ୍ର ପ୍ରମୁଖ ଯୋଗଦେଇ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ। ସମସ୍ତେ ଅଧିକାରୀ ଓ କର୍ମଚାରୀଙ୍କ ଦୁର୍ନୀତିକୁ ମୂଳ କାରଣ ବୋଲି ଅଭିହିତ କରିଥିଲେ।

ସମ୍ବନ୍ଧିତ ଖବର