ଏମ୍ସରେ ଅବ୍ୟବସ୍ଥା: ଲାଗି ପାରୁନି ଅତ୍ୟାଧୁନିକ ଏମ୍ଆରଆଇ ମେସିନ୍
ରେଜିଷ୍ଟ୍ରେସନ୍ କାଉଣ୍ଟର୍ ଓ ଓଟି-୨ରେ ଗଳୁଛି ପାଣି
ଭୁବନେଶ୍ୱର,: ୨ବର୍ଷ ହେବ ଏମ୍ସକୁ ଅତ୍ୟାଧୁନିକ ୩ ଟେସଲା ଏମ୍ଆରଆଇ ମେସିନ୍ ଆସିବା ପାଇଁ ନିଷ୍ପତ୍ତି ହେଲାଣି। କିନ୍ତୁ ଏହି ମେସିନ୍ କେଉଁଠି ଲାଗିବ ଏମ୍ସ କର୍ତୃପକ୍ଷ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଏହି ମେସିନ୍ ଲଗାଇବା ପାଇଁ ଟେଣ୍ଡର୍ ନେଇଥିବା କମ୍ପାନି ଏମ୍ସ କର୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ହେଁ, କିଛି ଫାଇଦା ହେଉନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ତାହା ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି। କର୍ତୃପକ୍ଷଙ୍କ ଏଭଳି ନୀତି ଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀମାନଙ୍କୁ ଅତ୍ୟାଧୁନିକ ଏମ୍ଆରଆଇର ସୁବିଧା ମିଳିପାରୁନାହିଁ। କେବଳ ମେସିନ୍ ଇନ୍ଷ୍ଟଲେସନ୍ ନୁହେଁ, ହସ୍ପିଟାଲର ବିଭିନ୍ନ ସ୍ଥାନରେ ବର୍ଷାଦିନ ପାଣି ଗଳିବାକୁ ଆରମ୍ଭ କଲାଣି। ରେଜିଷ୍ଟ୍ରେସନ୍ କାଉଣ୍ଟର୍ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର ଗୃହ-୨ ପର୍ଯ୍ୟନ୍ତ ଚାରିଆଡ଼େ ପାଣି ଗଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଏମ୍ସରେ ଏବେ ଦିନକୁ ୧୦/୧୫ଟି ଏମ୍ଆରଆଇ ହୋଇପାରୁଛି। ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ସମସ୍ତଙ୍କ ଏମ୍ଆର୍ଆଇ ପାଇଁ ଅତିକମ୍ରେ ୩ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏମ୍ଆର୍ଆଇ ପାଇଁ ହସ୍ପିଟାଲରେ ୧.୫ ଟେସଲା ଏମ୍ଆରଆଇ ମେସିନ୍ ରହିଛି। ଯାହାକି ପୁରୁଣା ହୋଇଗଲାଣି। ତେଣୁ ଏହାର ଏକ ଆଡ୍ଭାନ୍ସଡ ଭର୍ସନ ମେସିନ୍ ଆଣିବା ପାଇଁ ଏମ୍ସ କର୍ତୃପକ୍ଷ ୨୦୧୬ରେ ପରଚେଜ୍ ଅର୍ଡର ଦେଇଥିଲେ। ଯାହାର ଦାମ୍ ପ୍ରାୟ ୧୪କୋଟି ହେବ ବୋଲି କୁହାଯାଉଛି। ରାଜ୍ୟର କୌଣସି ଡାକ୍ତରଖାନାରେ ଏଭଳି ଅତ୍ୟାଧୁନିକ ମେସିନ୍ ନାହିଁ। କମ୍ପାନି ପକ୍ଷରୁ କେଉଁଠାରେ ଏହାକୁ ଇନ୍ଷ୍ଟଲ କରାଯିବ ତାହାକୁ ନେଇ ଏମ୍ସ କର୍ତୃପକ୍ଷଙ୍କୁ ଅନୁମତି ମାଗିଥିଲେ। ତେବେ ଏହା ଭିତରେ ୨ବର୍ଷ ବିତିବାକୁ ବସିଲାଣି କେଉଁଠାରେ ଏହି ମେସିନ୍କୁ ଲଗାଯିବ କର୍ତୃପକ୍ଷ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ଏହାକୁ ବେସମେଣ୍ଟରେ ଇନଷ୍ଟଲ୍ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ତେବେ ବର୍ଷାଦିନେ ରେଡିଓଲୋଜି ବିଭାଗରେ ପାଣି ପଶିଯିବା କାରଣରୁ ଏହି ନିଷ୍ପତ୍ତିରୁ କର୍ତୃପକ୍ଷ ଓହରି ଯାଇଥିଲେ। ଏବେ ଅନ୍ୟତ୍ର ଏହି ମେସିନ୍କୁ ଇନଷ୍ଟଲ କରାଯିବ। ଏଥିପାଇଁ ଜାଗା ଚିହ୍ନଟ ହୋଇସାରିଛି ଓ ନିର୍ଦେଶକଙ୍କୁ ଅନୁମତି ମିଳିବା ପରେ କମ୍ପାନି କର୍ତୃପକ୍ଷଙ୍କୁ ମେସିନ୍ ଇନଷ୍ଟଲ କରିବା ପାଇଁ କୁହାଯିବ। ଖୁବଶୀଘ୍ର ଏହି କାମ ଶେଷ ହେବ। ୧.୫ ଟେସଲାରେ ମେରୁଦଣ୍ଡ ଓ ଅନ୍ୟାନ୍ୟ ଅଙ୍ଗର ଏମ୍ଆରଆଇ କରାଯିବ ଓ ୩ ଟେସଲାରେ ଗବେଷଣାତ୍ମକ ପରୀକ୍ଷା ନିରୀକ୍ଷା ହେବ ବୋଲି ଏମ୍ସର ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଅପରପକ୍ଷରେ ନିକଟରେ ଏମ୍ସର ଟ୍ରମା କେୟାର ସେଣ୍ଟର୍ ନିକଟବର୍ତୀ କାନ୍ଥରେ ଫାଟ ଯୋଗୁ ଚିକିତ୍ସାଧୀନ ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ଭଳି ଘଟଣା ଚର୍ଚାକୁ ଆସିଛି। ତେବେ ଏହି ଘଟଣା ନୁହେଁ ହସ୍ପିଟାଲର ଅଧିକାଂଶ ସ୍ଥାନରେ କାନ୍ଥରୁ ପାଣି ଗଳୁଛି। ରେଜିଷ୍ଟ୍ରେସନ୍ କାଉଣ୍ଟର୍, ଅସ୍ତ୍ରୋପଚାର ଗୃହ-୨ ଓ ଟ୍ରମା କେୟାର ସେଣ୍ଟର୍ରେ ବର୍ଷା ହେବା କ୍ଷଣି ପାଣି ଗଳୁଛି। ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆସିଥିବା ରୋଗୀମାନଙ୍କ ପାଇଁ ଏହା ସମସ୍ୟା ବଢ଼ାଇ ଦେଇଛି। ଏ ସଂପର୍କରେ ଏମ୍ସର ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ବହୁବାର ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନ ଥିଲା।