କେଉଁଠି ତାଲା ତ କେଉଁଠି କର୍ମଚାରୀ ସଙ୍କଟ

ଠିକ୍‌ ନାହିଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ

ଭୁବନେଶ୍ୱର (ସସ୍ମିତା ମଲ୍ଲ): ମେ’ ୩, ୨୦୧୮। ରାଜଧାନୀରେ ଉଦ୍‌ଘାଟିତ ହେଲା ତିନିଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଉଦ୍ଦେଶ୍ୟ ହେଲା ସହରାଞ୍ଚଳ ଲୋକ ବିଶେଷ କରି ବସ୍ତିବାସିନ୍ଦାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା। ପୋଖରୀପୁଟ (ଓ୍ଵାର୍ଡ ନଂ-୬୨), ବରମୁଣ୍ଡା (ଓ୍ଵାର୍ଡ ନଂ- ୫୦) ଏବଂ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି (ଓ୍ଵାର୍ଡ ନଂ- ୮)ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି। ଏହା ପୂର୍ବରୁ ନୀଳାଦ୍ରିବିହାରରେ ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିସାରିଛି। ନୂଆ କୋଠାରେ ଓପିଡି, ଅବଜର୍ଭେସନ ରୁମ୍‌, ବିଶେଷଜ୍ଞ ଡାକ୍ତର, ଏଏନ୍‌ଏମ୍‌, ପାଥୋଲୋଜି ପରୀକ୍ଷା, ଓଷଧ ବିତରଣ କେନ୍ଦ୍ର, ସମ୍ମିଳନୀ କକ୍ଷ, ଗୋଦାମ ଏବଂ ପ୍ରତୀକ୍ଷା କୋଠରୀ ଆଦିର ବ୍ୟବସ୍ଥା ରହିଛି। ନୂଆ ଗୃହ ଉଦ୍‌ଘାଟନ ହେବାର ଦୁଇ ମାସ ବିତିଗଲାଣି। ଏହି ଚାରିଟି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ସ୍ୱାସ୍ଥ୍ୟ କିପରି ଅଛି, ସେ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ସ୍ଥିତି ଯାଞ୍ଚ୍‌ କରାଯାଇଥିଲା। ଜଣାପଡ଼ିଥିଲା ଯେ ବରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ତାଲା ପଡ଼ିଛି। ହାଉସିଂବୋର୍ଡ କଲୋନି ଓ ନୀଳାଦ୍ରି ବିହାର ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥାରେ ଭିତରେ ରହିଛି। କେବଳ ପୋଖପରୀପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଯଥାରୀତି ଚାଲିଛି। ଗୋଟିଏ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହଜାର ହଜାର ଲୋକ ନିର୍ଭର କରୁଥିଲା ବେଳେ ଏହାର କାର୍ଯ୍ୟକାରିତା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ନ ଦେବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ଏ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ହାଉସିଂବୋର୍ଡ କଲୋନି ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ସଙ୍କଟ
ମେ’ ମାସରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜଣେ ଡାକ୍ତର, ଜଣେ ନର୍ସ ଓ ଜଣେ ବହୁ ରୋଗୀ ଏଠାକୁ ଆସୁଥିଲା ବେଳେ କର୍ମଚାରୀ ଅଭାବରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଏନ୍‌ଏମ୍‌, ପାଥୋଲୋଜି ପରୀକ୍ଷା ବିଭାଗର କର୍ମଚାରୀ, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ସହଯୋଗୀ କର୍ମଚାରୀ ଓ ଆକାଉଣ୍ଟାଣ୍ଟ ଆବଶ୍ୟକ ଥିଲେ ମଧ୍ୟ କାହାକୁ ନିଯୁକ୍ତି କରାଯାଇନାହିଁ। ଓଷଧ ବିତରଣ କେନ୍ଦ୍ରରେ ଫାର୍ମାସିଷ୍ଟ ନ ଥିବାରୁ ଏଠାରେ ଥିବା ଜଣେ ନର୍ସ ରୋଗୀ ସେବା ବଦଳରେ ଓଷଧ ବିତରଣ କରୁଛନ୍ତି। ଆହୁରି ଏକ ଗୁରୁତର ସମସ୍ୟା ହେଲା ଡାକ୍ତର ଲେଖୁଥିବା ବହୁ ଔଷଧ ଏଠାରେ ମିଳୁ ନାର୍ହି। ଗରିବ ଲୋକମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଓ ବାଧ୍ୟ ହୋଇ ବାହାରୁ କିଣୁଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ସଫାସୁତୁରା ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ବହୁ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷ୍କାର ହୋଇପାରୁ ନାହିଁ।

ବରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପଡ଼ିଛି
ବରମୁଣ୍ଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି। ନା ଡାକ୍ତର ନିଯୁକ୍ତି ହୋଇଛନ୍ତି ନା ସ୍ୱାସ୍ଥ୍ୟକର୍ମୀ। ଫଳରେ ରୋଗୀ ସେବା ଏଠାରେ ଆରମ୍ଭ ହୋଇପାରି ନାହିଁ। ଏହି କେନ୍ଦ୍ର ଉଦ୍‌ଘାଟନ ହେଲା ପରେ ସ୍ଥାନୀୟ ଲୋକ ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ସେମାନଙ୍କ ଆଶା ନିରାଶାରେ ପରିଣତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରେଣ୍ଟାଲ୍‌ କଲୋନିରେ ଚାଲିଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ନୂଆ କୋଠାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର କରିବା ପାଇଁ ଯୋଜନା ଥିଲା। କିନ୍ତୁ ରେଣ୍ଟାଲ୍‌ କଲୋନିରେ ସ୍ଥାନୀୟ ଜନସାଧାରଣ ଓ ଜନ ପ୍ରତିନିଧି ସେଠାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସପକ୍ଷରେ ନାହାନ୍ତି। ସେମାନେ ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି। ଫଳରେ ସ୍ୱାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଯାଇଛି। ବିଭାଗ ନିଷ୍ପତ୍ତି ନେଇପାରୁ ନ ଥିବାରୁ ନୂଆ କୋଠାଟି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି।

ସ୍ୱାଭାବିକ ଚାଲିଛି ପୋଖରୀପୁଟ ସ୍ୱାସ୍ଥ୍ୟ କେନ୍ଦ୍ର
ଓ୍ଵାର୍ଡ ନଂ-୬୨, ୫, ୫୩, ୪୬ ଓ ୪୮ର ଲୋକମାନେ ପୋଖରୀପୁଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ଉଦ୍‌ଘାଟନ ହେବା ପର ଠାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ଚିକିତ୍ସା ସ୍ୱାଭାବିକ ଭାବେ ଚାଲିଛି। ଆବଶ୍ୟକ କର୍ମଚାରୀ ମଧ୍ୟ ଏଠାରେ ନିଯୁକ୍ତି ଦିଆଯାଇଛି। ତା’ ସହିତ ପ୍ରତି ଦିନ ବିଶେଷଜ୍ଞ ଡାକ୍ତରମାନେ ଆସି ରୋଗୀଙ୍କୁ ଦେଖୁଛନ୍ତି।

ଅନ୍ଧାରରେ ନୀଳାଦ୍ରି ବିହାର ସ୍ୱାସ୍ଥ୍ୟକେନ୍ଦ୍ର
ଓ୍ଵାର୍ଡ ନଂ ୭, ୮ ଓ ୧୪ରେ ବସବାସ କରୁଥିବା ଲୋକଙ୍କ ସହ ପାଖାପାଖି ୧୯ଟି ବସ୍ତିବାସିନ୍ଦାଙ୍କ ଭରସା ହେଉଛି ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଆରମ୍ଭରୁ ବିଗିଡ଼ିଯାଇଛି। ଏହି ମେଡିକାଲରେ ପାଥୋଲୋଜି ପରୀକ୍ଷା ପାଇଁ ଟେକ୍‌ନିସିଆନ୍‌ ରହିବାର ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଯାହା ଦ୍ୱାରା ରକ୍ତ, ମଳମୂତ୍ର ପରୀକ୍ଷା ପାଇଁ ଆସୁଥିବା ରୋଗୀମାନେ ଏଠାରୁ ନିରାଶ ହୋଇ ଫେରୁଛନ୍ତି। ଗତ ସପ୍ତାହେ ହେବ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଗୁରୁତର ସମସ୍ୟା ଦେଇ ଗତି କରୁଛି। ଏଠାରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ଚିକିତ୍ସାଳୟରେ ବିଦ୍ୟୁତ୍‌ ବିଲ ଦିଆ ନ ଯିବା ଫଳରେ ବିଦ୍ୟୁତ ବିଭାଗ ଅଧିକାରୀ ବିଦ୍ୟୁତ ସଂଯୋଗ କାଟିଦେଇଛନ୍ତି। ଏହି ବିଷୟରେ ଡାକ୍ତରଖାନାର ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏଠାରେ କିଛି ଲୋକ ଚୋରି କରି ବଦ୍ୟୁତ ସଂଯୋଗ ନେଉଥିବାରୁ ଆମେ ଯେତିକି ବିଦ୍ୟୁତ ଖର୍ଚ୍ଚ ନ କରୁଛୁ, ତା’ଠାରୁ ଅଧିକ ବିଲ ହେଉଛି। ସେଥିପାଇଁ ବିଲ୍‌ ପଇଠ ନ କରିବାରୁ ଲାଇନ କାଟି ଦେଇଛନ୍ତି। ସକାଳ ୮ଟା ରୁ ୧୧ଟା ଓ ସଂଧ୍ୟା ୫ଟା ରୁ ୮ ପର୍ଯ୍ୟନ୍ତ ମେଡିକାଲ ଖୋଲାରହିଥାଏ। ଏହି ସମୟରେ ଲୋକମାନେ ଆସି ନିଜ ରୋଗ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତି। ଦିନ ବେଳେ ବିନା ଲାଇନ ଫ୍ୟାନ୍‌ରେ ଚଳି ଯାଉଥିଲେ ବି ସନ୍ଧ୍ୟା ପରେ ରୋଗୀଙ୍କୁ ଦେଖିବା ଅସମ୍ଭବ ହୋଇପଡ଼ୁଛି।

ସମ୍ବନ୍ଧିତ ଖବର