ଭୁବନେଶ୍ୱର: ସରକାରୀ ଅଧିକାରୀମାନେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୭ ମସିହା ଜୁଲାଇ ୨୫ରେ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦେଶ ପରେ ଓଡ଼ିଶା ପୁଲିସ, କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ କର୍ତୃପକ୍ଷ ବିଭିନ୍ନ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଥିଲେ। କମିସନରେଟ୍‌ ପୁଲିସ ଓ ଜିଲ୍ଲା ପୁଲିସ ମଧ୍ୟ ଫେସବୁକ୍‌, ହ୍ଵାଟସଆପ୍‌ ଓ ଟୁଇଟର ଆକାଉଣ୍ଟ ଖୋଲିଥିଲେ। ଯାହା ସବୁ ଘଟଣା ଘଟୁଥିଲା ସୋସିଆଲ ମିଡିଆରେ ସେଗୁଡିକୁ ଛଡ଼ା ଯାଉଥିଲା। କମିସନରେଟ ପୁଲିସ ପକ୍ଷରୁ ପୁଲିସ କମିସନରେଟ ଓ ଭୁବନେଶ୍ୱର ଡିସିପିଙ୍କର ଟୁଇଟର ଆକାଉଣ୍ଟ ଖୋଲା ଯାଇଥିଲା। କିନ୍ତୁ ଗତବର୍ଷ ନଭେମ୍ବରଠାରୁ ଡିସିପି ଭୁବନେଶ୍ୱରଙ୍କ ଟୁଇଟର ଆକାଉଣ୍ଟ ଅଚଳ ହୋଇପଡ଼ିଛି। ସେଥିରେ ଟୁଇଟ ସଂଖ୍ୟା ବୃଦ୍ଧି ପାଇନାହିଁ କିମ୍ବା କୌଣସି ଜରୁରୀକାଳୀନ ସୂଚନା ମଧ୍ୟ ଦିଆଯାଇନାହିଁ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ କମିସନରେଟ ପୁଲିସ ଏକପ୍ରକାର ବେଖାତିର କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀମାନଙ୍କୁ ଥ୍ରିଟି (ଟେକ୍ନୋଲୋଜି, ଟିମ୍‌ଓ୍ଵାର୍କ ଓ ଟ୍ରାନ୍ସପାରେନ୍ସି) ମନ୍ତ୍ର ଦେଇଥିଲେ। ବିଶେଷ କରି ସୋସିଆଲ ମିଡିଆର ବ୍ୟବହାର କରି ଲୋକମାନଙ୍କ ସମସ୍ୟା ସହ ଓତପ୍ରୋତ ଭାବେ ଜଡ଼ିତ ରହିବାକୁ ନିର୍ଦେଶ ଦେଇଥିଲେ। ଯେଉଁମାନେ ଥାନାକୁ ଯାଇ ଅଭିଯୋଗ କରି ପାରୁନଥିଲେ କିମ୍ବା ନିଜ ମତ ପୁଲିସ ସମ୍ମୁଖରେ ସିଧାସଳଖ ରଖି ପାରୁନଥିଲେ, ସେମାନେ ସୋସିଆଲ ମିଡିଆର ସହାୟତା ନେଉଥିଲେ। କିଛି ମାମଲାରେ ନ୍ୟାୟ ନ ପାଇ ସାଧାରଣ ଲୋକ ଏହି ସାମାଜିକ ଗଣମାଧ୍ୟମ ଜରିଆରେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। କିନ୍ତୁ ଏବେ ଡିସିପିଙ୍କ ଟୁଇଟର୍‌ ଆକାଉଣ୍ଟଟି ଅଚଳ ହୋଇଯାଇଥିବାରୁ ଯେତେ ଟୁଇଟ କଲେ ବି ଡିସିପି ଆକାଉଣ୍ଟରୁ କୌଣସି ଉତ୍ତର ମିଳୁନାହିଁ।

Advertisment

ରାଜ୍ୟର ଘଟୁଥିବା ବିଭିନ୍ନ ସଂଗିନ୍‌ ଘଟଣାର ନ୍ୟାୟ ପାଇଁ ଏବେ ସୋସିଆଲ ମିଡିଆକୁ ବଛା ଯାଇଛି। ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ସୋସିଆଲ ମିଡିଆରେ ଅପିଲ୍‌ କରାଯାଉଛି। ଗତ କିଛି ଦିନ ତଳେ ନିମାପଡ଼ା ଓ ନୂଆପଲ୍ଲୀ ଥାନା ପୁଲିସର କାରନାମା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କିନ୍ତୁ କମିସନରେଟ ପୁଲିସ ଏ ସବୁ ଦିଗରେ ବହୁତ ପଛରେ ବୋଲି କିଛି ବୁଦ୍ଧୀଜୀବୀ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ଡିସିପି ଅନୁପ ସାହୁଙ୍କ ମତାମତ ନିଆଯିବାରୁ ସେ କହିଥିଲେ, ୩ ଦିନ ତଳେ ଆକାଉଣ୍ଟ ଚାଲିବା ଆରମ୍ଭ ହୋଇଛି।