ନୂଆପଲ୍ଲୀ ହଜର ପୁନରୁଦ୍ଧାର ପାଇଁ ଆସିଲା ନୋଟିସ୍, ଜାଗା ଚିହ୍ନଟ ନହେବା ଯାଏ କାମ କରାଇ ଦିଆଯିବନି

ଭୁବନେଶ୍ବର: ନୂଆପଲ୍ଲୀ ୩୯ ନଂ ଵାର୍ଡସ୍ଥିତ ହଜର ପୁନରୁଦ୍ଧାର ପାଇଁ ବିଏମ୍‌ସି ପକ୍ଷରୁ ଗତ ୬ ତାରିଖରେ ନୋଟିସ୍ ଜାରି କରାଯାଇଛି। ଏହା ସମେତ ୧୦ଟି ଭିନ୍ନ ଭିନ୍ନ ପ୍ରକଳ୍ପର ବିଜ୍ଞପ୍ତି ପ୍ରକାଶ ପାଇଛି। ୩କୋଟି ୫୩ଲକ୍ଷ ୩୭ହଜାର ୯ଶହ ୧୧ ଟଙ୍କା ଖର୍ଚ୍ଚରେ ଏହି ହଜର ପୁନରୁଦ୍ଧାର କରିବା ପାଇଁ ଟେଣ୍ଡର୍ ଆସିଛି। ମାତ୍ର ଗଲାଥର ଏମ୍‌ସିସି ପ୍ରକଳ୍ପ ପାଇଁ ଜମି ଚିହ୍ନଟ କରିବାକୁ ଆସିଥିବା ସମୟରେ ଯେଭଳି ବିରୋଧ କରାଯାଇଥିଲା, ଏଥର ମଧ୍ୟ ସେହିଭଳି ଏହି ପ୍ରକଳ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବେ ବୋଲି ସୂଚନା ମିଳିଛି।

ସ୍ଥାନୀୟ ବାସିନ୍ଦା ଜଗନ୍ନାଥ ବେହେରାଙ୍କ କହିବାନୁଯାୟୀ, ୧୯୬୧ ମସିହାର ସାବକ ଖାତା ନମ୍ବର ୩୫୫ରେ ଏହି ହଜ ୭ ଏକର ଥିଲା। ପରେ ୨୦୧୧ ହାଲ୍ ଖାତା ନମ୍ବର ୧୧୫୫ରେ ୩.୯୩୪ ଏକର ଜାଗା ସୂଚାଇ ଦିଆଗଲା। ତେବେ ବାକି ୩ ଏକର କୁଆଡ଼େ ଗଲା ପଚରା ଯିବାରୁ ଏହାର କୌଣସି ସଠିକ୍ ତଥ୍ୟ ଆଜି ଯାଏ ମିଳିଲା ନାହିଁ। ତେଣୁ ସେବେଠାରୁ ଏହି ହଜକୁ ନେଇ ଯେତେଥର ପ୍ରକଳ୍ପ ଆସିଛି, ତାହାକୁ ବିରୋଧ କରାଯାଉଛି। ତେଣୁ ଯଦି ହଜର ବାକି ଥିବା ପ୍ରାୟ ୩ ଏକର ଜାଗାର ହିସାବ ଦେବା ସହିତ ଏହାକୁ ଫେରାଇ ଅଣାଯିବ, ତେବେ ସରକାରଙ୍କ ସବୁ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ସ୍ବାଗତ କରିବେ ବୋଲି ଶ୍ରୀ ବେହେରା କହିଛନ୍ତି। ସେହିଭଳି ପୂର୍ବତନ କର୍ପୋରେଟର ନବ କିଶୋର ବେହେରାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି, ସ୍ଥାନୀୟ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛୁ। ଏତେ ବଡ଼ ପ୍ରକଳ୍ପ ହେଲେ ଲୋକେ ଉପକୃତ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର