ପାଇପ୍‌ ଭିତରେ ମିସ୍ତ୍ରିଙ୍କ ମୃତ୍ୟୁ, ଠିକାଦାରଙ୍କୁ ନୋଟିସ୍‌

ଭୁବନେଶ୍ବର: ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଇଡି) ଓ ଠିକାଦାରଙ୍କ ବେପରୁଆ ଏବଂ ଦାୟିତ୍ବହୀନ କାମ ପାଇଁ ପାଇପ୍‌ ମିସ୍ତ୍ରି ବି. ରୁଦ୍ର ଦୋରାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ସମ୍ପୃକ୍ତ ଠିକାଦାରଙ୍କୁ ବଞ୍ଚାଇବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ନୋଟିସ୍‌ ଜାରି କରିଥିବା ଅଭିଯୋଗ ହୋଇଛି। ବିଭାଗକୁ ସୂଚନା ନ ଦେଇ କାହିଁକି କାମ କରୁଥିଲ ତାହାର ଉତ୍ତର ଦିଅ ବୋଲି ବିଭାଗ ପକ୍ଷରୁ ଏପରି ନୋଟିସ ଜାରି କରାଯାଇଛି। ଉତ୍ତର ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଗତକାଲି ହତ୍ୟା ଅଭିଯୋଗ ନେଇ ଥାନା ଘେରିଥିବା ପରିବାରବର୍ଗଙ୍କ ସ୍ବରରେ ପରିବର୍ତ୍ତନ ଆସିଛି। ମୃତକଙ୍କ ପରିଜନ ଦେଇଥିବା ଏତଲା ପଞ୍ଜୀକରଣ ହୋଇ ନାହିଁ। ବରଂ ପରିବାରବର୍ଗଙ୍କୁ କିଛି ପଇସା ଦେଇ ଏଠାରୁ ପଠାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାରବର୍ଗ ମୃତଦେହକୁ ଧରି ନିଜ ଗାଁ ଗଂଜାମ ଜିଲ୍ଲାର କଂସମାରିକୁ ଚାଲି ଯାଇଛନ୍ତି। ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ଓ ପୁଲିସ ମିଶି ଏଭଳି ଷଡ଼ଯନ୍ତ୍ର କରିଥିବା ଟିୟୁସିଆଇ ରାଜ୍ୟ ସଭାପତି ଶିବରାମ ଅଭିଯୋଗ କରିଛନ୍ତି। ଏ ନେଇ ସେ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସେହିପରି ବସ୍ତି ସୁରକ୍ଷା ମଞ୍ଚ ରୁଦ୍ରଙ୍କ ଅକାଳ ମୃତ୍ୟୁ ପାଇଁ ପିଏଚଇଡିକୁ ଦାୟୀ କରିବା ସହ ଠିକାଦାରକୁ ଗିରଫ, ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ରୁଦ୍ରଙ୍କ ବିଧବା ପତ୍ନୀଙ୍କୁ ଚାକିରି ଦାବି କରିଛି। ଅନ୍ୟପଟେ ସହିଦ ନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା(୨୦/୧୯) ରୁଜୁ କରିଛି। ସୂଚନାଯୋଗ୍ୟ ଯେ, ଗତକାଲି ଭିଏସ୍‌ଏସ୍‌ ନଗର‌ରେ ଏକ ଚାମ୍ବର ଭିତରେ ଫ୍ଲୋ ମିଟର ଲଗାଉଥିବା ବେ‌ଳେ ପାଣି ଆସିଯିବାରୁ ବି.ରୁଦ୍ର ଦୋରାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର