ଭୁବନେଶ୍ବର: ମରାମତି ଆଳରେ ବୁଦ୍ଧେଶ୍ବରୀ କଲୋନି କମ୍ୟୁନିଟି ସେଣ୍ଟରକୁ ଭଡ଼ାରେ ଲଗାଇ ବିଏମ୍‌ସି ଚର୍ଚ୍ଚାରେ ଥିବା ବେଳେ ଆଉ ଏକ ପ୍ରସଙ୍ଗ ବିଏମ୍‌ସି ଅଧିକାରୀଙ୍କୁ ବିବାଦକୁ ଟାଣିଛି। ଭୀମପୁର ମୌଜାରେ ଥିବା ‘ମା ଗୌରୀ ରିସର୍ଟ’ର ବିଲ୍ଡିଂ ପ୍ଲାନ୍‌ ନାହିଁ, ପାର୍କିଂ ପାଇଁ ଜାଗା ନାହିଁ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବି ମିଳିନି, ହୋଲ୍ଡିଂ ଟିକସ ବି ହେଇନି। ହେଲେ ବର୍ଷ ବର୍ଷ ଧରି ଏହା ଭଡ଼ାରେ ଲାଗୁଛି। କିନ୍ତୁ ବିଏମ୍‌ସି ଏ ବାବଦରେ ଟଙ୍କାଟିଏ ରାଜସ୍ବ ପାଉନି। କେତେକ ଅଧିକାରୀଙ୍କ ଛତ୍ରଛାୟା ତଳେ ଏହି ବେପାର ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠି ଯିବା ପରେ ଏହାକୁ ସିଲ୍‌ କରିବାକୁ ବିଏମ୍‌ସି ଦକ୍ଷିଣପଶ୍ଚିମ ଜୋନ୍‌ ଜେଡ୍‌‌ଡିସି (ଜୋନାଲ୍‌ ଡେପୁଟି କମିସନର)ଙ୍କୁ ନିର୍ଦ୍ଦେଶ ଦେଇଥିଲା‌। କିନ୍ତୁ ବର୍ଷେ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବରଂ ଏହି କଲ୍ୟାଣମଣ୍ଡପ ଆଗରେ ମାଟି ଥିବାରୁ ବର୍ଷାରେ କାଦୁଅ ପଚପଚ ହେଉଥିଲା। ବିଏମ୍‌ସି ଏବେ ସାମ୍ନାରେ ପେଭର ବ୍ଲକ୍‌ ପକାଇ ଚିକ୍କଣ କରିଦେଇଛି। ଫଳରେ ବାହାଘର ଋତୁ‌ରେ ଏଠାରେ ପାର୍କିଂ ହେବା ସହ ଏହି ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି।

Advertisment

ତେବେ କେବଳ ଏହି କଲ୍ୟାଣମଣ୍ଡପ ନୁହେଁ, ବରଂ ବିଭିନ୍ନ ସ୍ଥାନରେ ବିଏମ୍‌ସିର ଜେଡ୍‌ଡିସିମାନେ ଅସ୍ଥାୟୀ ଟ୍ରେଡ୍‌ ଲାଇସେନ୍ସ ଇସ୍ୟୁ କରିଛନ୍ତି। ଯେତିକି ଜାଗାରେ ଏହି ବ୍ୟବସାୟ ହେବା କଥା ତାହାର ଦୁଇଗୁଣରୁ ଅଧିକ ଜାଗାରେ ବେପାର ପସରା ମେଲୁଛି। ଏହା ଅଧିକାରୀମାନେ ଜାଣିଥିଲେ ମଧ୍ୟ ନିରବ ରହିଛନ୍ତି। ସବୁଠାରୁ ବଡ଼ କେଳେଙ୍କାରୀ ହେଉଛି ପ୍ଲାଷ୍ଟିକ୍‌ ବଜାର। ଏଠାରେ କୌଣସି ବେପାରୀଙ୍କୁ ଲାଇସେନ୍ସ ଦିଆଯାଉନି। ବରଂ ମଧ୍ୟସ୍ଥିଙ୍କ ଜରିଆରେ ଲାଇସେନ୍ସ ଦିଆଯାଉଥିବା ଅଭିଯୋଗ ହୋଇଛି। ଯେତିକି ଟଙ୍କାରେ ବିଏମ୍‌ସିର ଧାର୍ଯ୍ୟ ଦେୟ ଠାରୁ ମଧ୍ୟସ୍ଥି ଅଧିକ ଟଙ୍କାରେ ଭଡ଼ାରେ ଲଗାଉଛି। ଅଧିକାରୀଙ୍କୁ ମାସକୁ ମାସ ବଟି ଦେଉଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ଜୋନ୍‌ରେ ଏଭଳି ଦୁଇଟି ପ୍ଲାଷ୍ଟିକ୍‌ ବଜାରରେ ଏଭଳି ଅଭିଯୋଗ ଆସିଛି। ଦକ୍ଷିଣପୂର୍ବ ଜୋନ୍‌ରେ ଜଣେ ନେତାଙ୍କ ସମ୍ପର୍କୀୟ ଏଭଳି ବେପାର ଚଳାଇଥିବା ବିଏମ୍‌ସିରେ ଅଭିଯୋଗ ହୋଇଛି। ଦୀର୍ଘଦିନରୁ ଅଭିଯୋଗ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।

ପଳାଶପଲ୍ଲୀରୁ ପୋଖରୀପୁଟ୍‌ ଯାଉଥିବା ରାସ୍ତାରେ ‘ମା ଗୌରୀ ରିସର୍ଟ’ ରହିଛି। ୨୦୧୬ ମସିହାରୁ ଏହା କାର୍ଯ୍ୟକ୍ଷମ ରହିଛି। ୮ ବର୍ଷ ଧରି ଏଠାରେ ବେପାର ଚାଲିଛି। ଗତ ବର୍ଷ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ଏହା ବେଆଇନ ବୋଲି କହିବା ପରେ ବିଏମ୍‌ସି କେବଳ ଏକ ଚିଠି ଲେଖି ବସିଯାଇଛି। ଅଭିଯୋଗ ହେବା ପରେ ବିଏମ୍‌ସି ତଦନ୍ତ କରିଥିଲା। ତଦନ୍ତ ବେଳେ ଏହି ସବୁ ତଥ୍ୟ ସତ ବୋଲି ଜଣାପଡ଼ିବା ପରେ ଦକ୍ଷିଣ-ପଶ୍ଚିମ ଜୋନ୍‌ ତତ୍‌କାଳୀନ ଜେଡ୍‌ଡିସି ରବିନାରାୟଣ ଜେଠୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ‌ନିର୍ଦ୍ଦେଶ ହୋଇଥିଲା। ତାଙ୍କର ବଦଳି ହୋଇଗଲା ସିନା ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି। ତାଙ୍କ ପରେ ଯେଉଁ ଜେଡ୍‌ଡିସି ଦାୟିତ୍ବ ନେଲେ ସେ ବି ଚିଠି ଲେଖି ବସିଗଲେ। ତେବେ କେବଳ ଏହି ମଣ୍ଡପ ନୁହେଁ, ବରଂ ବିଭିନ୍ନ ଜୋନ୍‌ର ଦାୟିତ୍ବରେ ଥିବା ଜେଡ୍‌ଡିସିଙ୍କ ଇଙ୍ଗିତରେ ଯାବତୀୟ ବେଆଇନ କାର୍ଯ୍ୟ ହେଉଥବା ଅଭିଯୋଗ ହୋଇଛି। ବିଏମ୍‌ସି କହିଛି ବିଲ୍ଡିଂ ପ୍ଲାନ୍‌ ନଥିବାରୁ ଏହାର ହୋଲ୍ଡିଂ ଟିକସ ଧାର୍ଯ୍ୟ ହୋଇ ପାରୁନାହିଁ। ଏ ନେଇ ଚିଠି ଲେଖାଯାଇଛି। ଅଗ୍ନିଶମ ସେବା ସଂସ୍ଥା ମଧ୍ୟ ନିରାପତ୍ତା ବ୍ୟବସ୍ଥା କରିବାକୁ ଚିଠି ଦେଇଛି। ଏଭଳି ଚିଠି ଲେଖାଲେଖିରେ ବେଆଇନ କଲ୍ୟାଣମଣ୍ଡପ ଚାଲିଛି। ୮ ବର୍ଷରେ ବିଏମ୍‌ସି ଏଠାରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ରାଜସ୍ବ ହରାଇଛି। ଏଣେ ବିଏମ୍‌ସିର ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହୋଇ ପାରୁ ନାହିଁ। କେମିତି ଲକ୍ଷ୍ୟ ପୂରଣ ହେବ ବା ଅଧିକ ରାଜସ୍ବ ମିଳିବ ସେ ନେଇ ବିଏମ୍‌ସି ଟିମ୍‌ ଗଠନ କରି ତନାଘନା କରୁଛି।