ଇସ୍କନ୍‌ ଓ ପ୍ରେସିଡେନ୍ସି ହୋଟେଲକୁ କାରଣ ଦର୍ଶାଅ ନୋଟିସ୍‌

ମହଙ୍ଗା ପଡ଼ିଲା ରାସ୍ତା ଜବରଦଖଲ

ଭୁବନେଶ୍ୱର: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଜମି ଏବଂ ସରକାରୀ ଜମିକୁ ଜବରଦଖଲ କରି ଦୋକାନ କରିବା ଇସ୍କନ୍‌ ମନ୍ଦିର କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ଯାତାୟାତ ପାଇଁ ଥିବା ରାସ୍ତାକୁ ଜବରଦଖଲ କରିଥିବାରୁ ଇସ୍କନ୍‌ ମନ୍ଦିର କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଇସ୍କନ୍‌ କର୍ତ୍ତୃପକ୍ଷଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ତୁରନ୍ତ ଉତ୍ତର ରଖିବାକୁ ମନ୍ଦିରର ସଭାପତିଙ୍କୁ ବିଏମ୍‌ସି ଅତିରିକ୍ତ କମିସନର ଶୁଭମ୍‌ ସାକସେନା କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ଆଜି ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ରେ କୁହାଯାଇଛି ଯେ ଯାତାୟାତ ପାଇଁ ଥିବା ରାସ୍ତା ଉପରେ ବେଆଇନ ଭାବେ ଇସ୍କନ କର୍ତ୍ତୃପକ୍ଷ ଦୋକାନ ନିର୍ମାଣ କରିଛନ୍ତି। ଯାହା ବର୍ଷା ଜଳ ନିଷ୍କାସନରେ ବାଧକ ସାଜୁଛି। ତେଣୁ ଓଡ଼ିଶା ମ୍ୟୁନିସିପାଲଟି ଆକ୍ଟ, ୨୦୦୩ର ଧାରା ୪୦୭ ଅନୁଯାୟୀ ଏବଂ ବିଏମ୍‌ସିର ୟୁଜର୍ସ ଚାର୍ଜେସ୍‌ ରେଗୁଲେସନ୍‌, ୨୦୧୫ ଅନୁଯାୟୀ ଏହି କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।  କେବଳ ଏତିକି ନୁହେଁ ବିଏମ୍‌ସିର ଦକ୍ଷିଣ ପଶ୍ଚିମ ଜୋନ୍‌ର ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେଉଁ ଦୋକାନ ରାସ୍ତାକୁ ଜବରଦଖଲ କରି ନିର୍ମାଣ କରାଯାଇଛି ତାହାକୁ ତୁରନ୍ତ ଉଚ୍ଛେଦ କରିବେ। ଏହାସହ ବିଏମ୍‌ସିର ୟୁଜର୍ସ ଚାର୍ଜେସ୍‌ ରେଗୁଲେସନ୍‌, ୨୦୧୫ର ଧାରା ୪ ଓ ୧୧ ଅନୁଯାୟୀ ଓ ଆଡମିନିଷ୍ଟ୍ରେଟିଭ୍‌ ଚାର୍ଜେସ୍‌ ନିୟମ ଅନୁଯାୟୀ ଏହି ଦୋକାନ ଯେବେଠୁ ନିର୍ମାଣ ହୋଇଥିବ, ସେହି ଦିନଠାରୁ ଦୈନିକ ୫ ହଜାର ଟଙ୍କା ହିସାବରେ ଜରିମାନା ଆଦାୟ କରିବେ। ଡେପୁଟି କମିସନର ତୁରନ୍ତ ତଦନ୍ତ ଆରମ୍ଭ କରି ଜରିମାନା ଅର୍ଥ ଧାର୍ଯ୍ୟ କରିବା ସହ ଜରିମାନା ଆଦାୟ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। ଦୋକାନ ଉଚ୍ଛେଦ ପାଇଁ ଆବଶ୍ୟକୀୟ ଏନଫୋର୍ସମେଣ୍ଟ ଟିମ୍‌ ଦେବାକୁ ବିଡିଏର ଅତିରିକ୍ତ କମିସନରଙ୍କୁ କୁହାଯାଇଛି।

ସେହିପରି ଇସ୍କନ୍‌ ନିକଟରେ ଥିବା ହୋଟେଲ ପ୍ରେସିଡେନ୍ସିକୁ ବି ଆଜି କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। ଜାତୀୟ ରାଜପଥର ଯାତାୟାତ ପାଇଁ ଥିବା ଜମିକୁ ଜବରଦଖଲ କରି ହୋଟେଲ ଗାଡ଼ି ପାର୍କିଂ କରିବା, ଜାତୀୟ ରାଜପଥ ଉପରେ ଥିବା ଡ୍ରେନ୍‌କୁ ହୋଟେଲ ବର୍ଜ୍ୟଜଳ ଛାଡ଼ିବା ଏବଂ ଜେନେରେଟର୍‌ ବସାଇଥିବାରୁ ଓଡ଼ିଶା ମ୍ୟୁନିସିପାଲଟି ଆକ୍ଟ, ୨୦୦୩ ଏବଂ ବିଏମ୍‌ସିର ୟୁଜର୍ସ ଚାର୍ଜେସ୍‌ ରେଗୁଲେସନ୍‌, ୨୦୧୫ ଅନୁଯାୟୀ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହୋଟେଲ ମ୍ୟାନେଜରଙ୍କୁ କୁହାଯାଇଛି। ଏହାସହ ବିଏମ୍‌ସିର ୟୁଜର୍ସ ଚାର୍ଜେସ୍‌ ରେଗୁଲେସନ୍‌, ୨୦୧୫ର ଧାରା ୪ ଓ ୧୧ ଅନୁଯାୟୀ ଏବଂ ଆଡମିନିଷ୍ଟ୍ରେଟିଭ୍‌ ଚାର୍ଜେସ୍‌ ନିୟମ ଅନୁଯାୟୀ ଏହି ଜବରଦଖଲ ହେବା ଦିନଠାରୁ ଦୈନିକ ୫ ହଜାର ଟଙ୍କା ହିସାବରେ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ କୁହାଯାଇଛି। ଏହାବାଦ୍‌ ଓ୍ଵାର୍ଡ-୨୫ରେ ଆର୍‌.କେ ମାର୍ବଲ୍‌ସ ନାମକ ଏକ ଦୋକାନ ଜାତୀୟ ରାଜପଥ ଜମିକୁ ଜବରଦଖଲ କରିଥିବାରୁ ବିଏମ୍‌ସି ପକ୍ଷରୁ ସମସ୍ତ ସାମଗ୍ରୀ ସିଲ୍‌ କରାଯାଇଛି। ଏହାସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଭି-୨ ନିକଟରେ  ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ତଥା ଚିପ୍ସ ଓ ଇଟା ଗଦାଇଥିବାରୁ ଏହାକୁ ସିଜ୍‌ କରାଯାଇଛି। ଓ୍ଵାର୍ଡ -୩୮ରେ ପୁରୁଣା ଭୋଇ ସାହି ଗଳି ନିକଟରେ ଗୋଟିଏ ଟ୍ରିପ୍‌ ଚିପ୍ସ, ବାଲି ଓ ଇଟା ଗଦା ହୋଇଥିବା ବେଳେ ବିଏମ୍‌ସି ଏହାକୁ ସିଜ୍‌ କରିଛି। ବିଏମ୍‌ସି କମିସନର କ୍ରିଷନ କୁମାର ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଆଜି ଇସ୍କନ୍‌ ଏବଂ ନୂଆପଲ୍ଲୀ ଅଞ୍ଚଳ ପରିଦର୍ଶନ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ୫ ଉପରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ବିଏମ୍‌ସି ପକ୍ଷରୁ ସାଇଫନ୍‌ ଭଙ୍ଗା ହେଲା, ଡ୍ରେନ୍‌ ଖୋଳା ହେଲା। ତଥାପି ବର୍ଷା ଜଳ ନିଷ୍କାସନ ହେଲାନି। ଏଠାରେ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ରାସ୍ତାକୁ ଇସ୍କନ୍‌, ହୋଟେଲ ପ୍ରେସିଡେନ୍ସି ସମେତ କେତେକ ଦୋକାନୀ ମାଡ଼ି ବସିଥିବାରୁ ଏହି ସମସ୍ୟା ହେଉଥିବା ଜଣାପଡ଼ିବା ପରେ ଆଜି ଜବରଦଖଲ ଉଚ୍ଛେଦ କରିବାକୁ ଏବଂ ଜରିମାନା ଆଦାୟ କରିବାକୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର