ରାଜଧାନୀରେ ଭ୍ରାମ୍ୟମାଣ ଖାଦ୍ୟ ସୁରକ୍ଷା ଭ୍ୟାନ୍‌ର ଯାଞ୍ଚ ପରେ ୮ ଦୋକାନୀଙ୍କୁ ନୋଟିସ୍ ଜାରି

ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିଲେ

ଭୁବନେଶ୍ବର: ଭ୍ରାମ୍ୟମାଣ ଖାଦ୍ୟ ସୁରକ୍ଷା ଭ୍ୟାନ୍ ପକ୍ଷରୁ ରାଜଧାନୀର କିଛି ଅଞ୍ଚଳରେ ଖାଦ୍ୟ ଯାଞ୍ଚ କରାଯାଇଛି। ସଂଗୃହୀତ କିଛି ଖାଦ୍ୟ ନମୁନା ଅସ୍ବାସ୍ଥ୍ୟକର ରହିଥିବା ଜଣାପଡ଼ିଛି। ଏଥିରେ ପିଠା, ମିଠା, ସସ୍ ଓ ଅନ୍ୟାନ୍ୟ ଖାଦ୍ୟ ରହିଛି। ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି। ଆଜି ରାଜଧାନୀର ତମାଣ୍ଡୋ, ଆଇଗିଣିଆ, ପାତ୍ରପଡ଼ା ଅଞ୍ଚଳରେ ଭ୍ରାମ୍ୟମାଣ ଖାଦ୍ୟ ସୁରକ୍ଷା ଭ୍ୟାନ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୨୫ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୮ଟି ନମୁନା ଅସ୍ବାସ୍ଥ୍ୟକର ରହିଥିବା ନଜରକୁ ଆସିଥିଲା। ଏହାସହ ୩୦ କେଜିର ଖାଦ୍ୟକୁ ମଧ୍ୟ ନଷ୍ଟ କରି ଦିଆଯାଇଛି। ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଅଞ୍ଚଳରେ ଦୋକାନୀମାନଙ୍କ ସହିତ ମଲ୍‌ରେ ମଧ୍ୟ ଖାଦ୍ୟ ଯାଞ୍ଚ କରାଯାଇଥିଲା। ଯେଉଁମାନଙ୍କର ଖାଦ୍ୟ ଅସ୍ବାସ୍ଥ୍ୟକର ରହିଥିଲା ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ ଜାରି ରହିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀରେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ହେବା ନୂଆ କଥା ନୁହେଁ। ଏକାଧିକ ଥର ଚଢ଼ଉ ହେଉଥିଲେ ହେଁ ଖାଦ୍ୟ ପ୍ରସ୍ତୁତିରେ ସୁଧାର ଆସୁନାହିଁ। କିଛିମାସ ପୂର୍ବରୁ ରାଜଧାନୀର ଏକ ନାମୀ ରେସ୍ତୋରାଁରେ ବିରିୟାନିରୁ ଅସରପା ବାହାରିବା ପରେ ସଂପୃକ୍ତ ରେସ୍ତୋରାଁଠାରୁ ୨ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବା ସମୟରେ ଛେନା, ମସଲା ଓ ମିଠା ଜାତୀୟ ଖାଦ୍ୟ ନିମ୍ନମାନର ଥିବା ନଜରକୁ ଆସିଥିଲା। ତେବେ ଏସବୁ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କୁ ସେମାନଙ୍କ ଖାଦ୍ୟର ଗୁଣବତ୍ତା ବୃଦ୍ଧି କରିବା ପାଇଁ କେବଳ ନୋଟିସ୍ ଜାରି କରାଯାଉଛି। ଫଳରେ ଦୋକାନୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। କେବଳ ଯେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଛି ତା ନୁହେଁ, ରାଜଧାନୀର ଅନେକ ସ୍ଥାନରେ ଆସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି। ଏଭଳି ପରିସ୍ଥିତିରେ ନିୟମିତ ଦୋକାନଗୁଡ଼ିକରେ ଖାଦ୍ୟ ନମୁନା ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର