୫ ସିନେମା ହଲ୍‌କୁ ନୋଟିସ୍

ମିଳୁନି ଅଗ୍ନିଶମ ଏନ୍‌ଓସି

ଭୁବନେଶ୍ବର : ବିନା ସ୍ବୀକୃତିରେ ଚାଲୁଥିବା ଭୁବନେଶ୍ବର ଓ କଟକର ୫ଟି ସିନେମା ହଲ୍‌କୁ ନୋଟିସ୍‌ କରିଛି କମିସନରେଟ୍‌ ପୁଲିସ। ଏହି ତାଲିକାରେ ଭୁବନେଶ୍ବରର ସ୍ବାତୀ, ସ୍ତୁତି, ମହା‌ରାଜା ଓ କେଶରୀ ଥିବା ବେଳେ କଟକର ବୃନ୍ଦାବନ ହଲ୍‌ ରହିଛି। ୭ ଦିନ ଭିତରେ ସ୍ବୀକୃତି ନବୀକରଣ ନ କଲେ, ଓଡ଼ିଶା ସିନେମା ରୁଲ୍‌ସ୍‌ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଅପରପକ୍ଷେ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ହଲ୍‌ଗୁଡ଼ିକୁ ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ମିଳି ନ ଥିବାରୁ ସ୍ବୀକୃତିକୁ ନବୀକରଣ କରିବା ଅସମ୍ଭବ ହୋଇଛି।

ସୂଚନା ମୁତାବକ, ଓଡ଼ିଶା ସିନେମା ରୁଲ୍‌ସ୍‌ ଆଧାରରେ ଫିଲ୍ମ ଚଲାଇବାକୁ ହେଲେ କମିସନରେଟ୍‌ ପୁଲିସଠାରୁ ଥରକେ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ସ୍ବୀକୃତି ନେବାକୁ ହୋଇଥାଏ। ସ୍ବୀକୃତି ଦେବା ପୂର୍ବରୁ ଅଗ୍ନିଶମ ସେବା ସଂସ୍ଥା ଓ ବିଦ୍ୟୁତ ବିଭାଗର ଏନ୍‌ଓସି ଅଛି କି ନାହିଁ, ହଲ୍‌ର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି କି ନାହିଁ ତାହାର ତର୍ଜମା କରାଯାଇଥାଏ।

ଏହି ସବୁ ହଲ୍‌ଗୁଡ଼ିକୁ କମିସନରେଟ୍‌ ପୁଲିସ ପକ୍ଷରୁ ମିଳିଥିବା ସ୍ବୀକୃତି ଅବଧି ୨୦୧୫ ମସିହାରେ ଶେଷ ହୋଇଥିଲା। ସେତେବେଳେ ସେମାନେ ନବୀକରଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଅଗ୍ନିଶମ ସେବା ସଂସ୍ଥାର ମାନଦଣ୍ଡ ପୂରଣ କରୁନଥିବାରୁ ହଲ୍‌ଗୁଡ଼ିକୁ ଏନ୍‌ଓସି ମିଳି ପାରି ନଥିଲା। ଫଳରେ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ନବୀକରଣ ସ୍ବୀକୃତି ମିଳି ନଥିଲା। ଏଣୁ ‘ବିନା ସ୍ବୀକୃତିରେ ଚାଲୁଥିବା ହଲ୍‌ଗୁଡ଼ିକୁ କାହିଁକ ବନ୍ଦ କରା ନଯିବ’ ସେଥିପାଇଁ କାରଣ ଦର୍ଶାଇବାକୁ କମିସନରେଟ୍‌ ପୁଲିସ ନୋଟିସ୍‌ ଜାରି କରିଥିଲା। ଏହି ନୋଟିସ୍‌ ବିରୋଧରେ କିଛି ହଲ୍‌ ମାଲିକ କୋର୍ଟର ଦ୍ବାରସ୍ଥ ହେବାରୁ କୋର୍ଟ ରହିତାଦେଶ ଜାରି କରିଥିଲେ। ଫଳରେ ହଲ୍‌ଗୁଡ଼ିକ ବିନା ସ୍ବୀକୃତିରେ ଚାଲୁଥିଲା। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ୫ ବର୍ଷ ଧରି ରହିତାଦେଶ ବଳବତ୍ତର ରହିବା ପରେ ଗତ କିଛି ଦିନ ତଳେ ଏହା ଶେଷ ହୋଇଛି। ଏଣୁ କମିସନରେଟ୍‌ ପୁଲିସ ପୁଣିଥରେ ଏହି ସବୁ ହଲ୍‌କୁ ନୋଟିସ୍‌ ଜାରି କରିଛି।

ହଲ୍‌ ସୂତ୍ରରୁ ମିଳିଥିବା ସୂଚନା‌ ଅନୁଯାୟୀ, ଅଗ୍ନିଶମ ସଂସ୍ଥା ପକ୍ଷରୁ ତିନିଜଣିଆ ଟିମ୍ ହଲ୍‌ଗୁଡ଼ିକ ଯାଞ୍ଚ କରି ସାରିଛନ୍ତି। ସୁରକ୍ଷା ପାଇଁ ଯାହା ଯ‌ାହା ବନ୍ଦୋବସ୍ତ କରିବା ନିମନ୍ତେ ଏହି ଟିମ୍ ସର୍ତ୍ତ ରଖିଥିଲା, ତାହାକୁ ହଲ୍‌ଗୁଡ଼ିକୁ ପୂରଣ କରିସାରିଛନ୍ତି। କେବଳ ସାର୍ଟିଫିକେଟ୍‌ ମିଳିବାକୁ ବାକି ଅଛି। ସାର୍ଟିଫିକେଟ୍‌ ମିଳିଲା ପରେ ପୁଲିସ୍‌ ନିକଟରେ ତାହାକୁ ଦାଖଲ କରାଯିବ ବୋଲି ହଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ୭ ଦିନ ଭିତରେ ହଲ୍‌ କର୍ତ୍ତୃପକ୍ଷ ଅଗ୍ନିଶମ ସାର୍ଟିଫିକେଟ୍‌ ଦାଖଲ କରିବେ ନା ଆଉ କିଛି ଦିନ ସମୟ ନେବେ, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର