ବେଆଇନ ଖଣି ଖନନ ପ୍ରସଙ୍ଗ, ଏସ୍‌ଟିଏଫ୍‌ର ତନାଘନା

ଆଇଆଇସି, ତହସିଲଦାର ସମେତ ୫ଜଣଙ୍କୁ ନୋଟିସ୍‌

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଖଣି ଉତ୍ତୋଳନକୁ ନେଇ ତନାଘନା କରୁଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌। ପ୍ରମୁଖ ଅଭିଯୁକ୍ତ ଛୋଟା ସମେତ ପ୍ରାୟ ୨୦ଜଣ ଗିରଫ ହୋଇଥିବା ବେଳେ ଏବେ ସରକାରୀ ଅଧିକାରୀଙ୍କ ଉପରେ ଏସ୍‌ଟିଏଫ ନଜର ପକାଇବା ଆରମ୍ଭ କରିଛି। ଖୋର୍ଧା ସଦର ଥାନା ଇନ୍‌ସ୍‌ପେକ୍ଟର ବିକ୍ରମ କେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର କୁମାର ସାମଲଙ୍କ ସମେତ ୫ଜଣଙ୍କୁ ଏସ୍‌ଟିଏଫ୍‌ ନୋଟିସ୍‌ ଜାରି କରିଛି। ଆସନ୍ତା ୧୭ରେ ସମସ୍ତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଖଣି ଖନନ ଅଞ୍ଚଳ ଖୋର୍ଦ୍ଧା ସଦର ଥାନା ଅଧୀନରେ ରହିଛି। ଏଣୁ ବେଆଇନ ଭାବେ ଖଣି ଚାଲିଥିବା ନେଇ ଇନ୍‌ସ୍‌ପେକ୍ଟର ଶ୍ରୀ ଜେନା ଜାଣିଥିଲେ କି ନାହିଁ? କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ଏ ସମସ୍ତ ଉତ୍ତର ସହ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଆସୁଥିବା ଅଭିଯୋଗର ଖୋଳତାଡ଼ କରିବ ଏସ୍‌ଟିଏଫ୍‌। ଇନ୍‌ସ୍‌ପେକ୍ଟର ଶ୍ରୀ ଜେନା ଦୀର୍ଘ ଦିନ ଧରି ଖୋର୍ଦ୍ଧାରେ ଅଛନ୍ତି। ପୁଲିସ୍‌ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଷ୍ଟ୍ରପତି ପଦକ ପାଇଛନ୍ତି। ସେହିଭଳି ବେଆଇନ ଖଣି ଉତ୍ତୋଳନ ଉପରେ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କଠାରୁ ମଧ୍ୟ ଏସ୍‌ଟିଏଫ୍‌ ଉତ୍ତର ଖୋଜିବ।

ଖଣି ତଥା ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ଛୋଟାକୁ ଜେରା କଲାବେଳେ କେତେକ ସରକାରୀ ଅଧିକାରୀଙ୍କ ନାଁ ପଦାକୁ ଆସିଥିଲା। ଜଣେ ପୁଲିସ ଅଧିକାରୀ ଏକ ଦାମୀ ଗାଡ଼ି ଛୋଟାଠାରୁ ଉପହାର ନେଇ ଏହି ବେଆଇନ ବେପାରକୁ ଚଳାଇବାକୁ ସହଯୋଗ କରିଥିଲେ। ଛୋଟା ବିରୋଧରେ ଛିଡ଼ା ହେଉଥିବା ଅନ୍ୟ ଅପରାଧୀଙ୍କୁ ଦମନ କରିବାକୁ ସେ ଅଣ୍ଟା ଭିଡ଼ିଥିଲେ। କେହି ସମସ୍ୟା କଲେ ତାଙ୍କ ପରିବାର ସଦସ୍ୟଙ୍କୁ ମିଛ ମାମଲା କରି ମଧ୍ୟ ବାନ୍ଧୁଥିବା ଅଭିଯୋଗ ରହିଥିଲା। ଆସନ୍ତା ୧୭ରେ ଜେରାର ସମ୍ମୁଖୀନ ହେବାକୁ ଥିବା ଇନ୍‌ସ୍‌ପେକ୍ଟର ସେହି ଅଧିକାରୀ ନୁହନ୍ତି ତ! ସଦର ଥାନା ଅଧିକାରୀଙ୍କୁ ନୋଟିସ୍‌ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର୍‌। ସେ କହିଛନ୍ତି, ଏହି ବେପାରକୁ ମୂଳପୋଛ କରିବାର ଅଛି। ଏଣୁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି। ଯେହେତୁ ଏହି ଅଧିକାରୀମାନେ ସେତେବେଳେ ଦାୟିତ୍ବରେ ଥିଲେ, ସେଥିପାଇଁ ସେମାନଙ୍କଠାରୁ ସୂଚନା ସଂଗ୍ରହ କରିବାକୁ ନୋଟିସ୍‌ କରାଯାଇଛି। ଆଗକୁ ମଧ୍ୟ କେତେକ ଅଧିକାରୀଙ୍କୁ ନୋଟିସ୍‌ ହେବାକୁ ଯୋଜନା ହୋଇଛି। ଏହା ଛଡ଼ା ଅଧିକାରୀଙ୍କ ସମ୍ପୃକ୍ତି ଦିଗକୁ ମଧ୍ୟ ଧ୍ୟାନ ଦିଆଯାଇଛି।

ସମ୍ବନ୍ଧିତ ଖବର