ଭୁବନେଶ୍ବର: ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ସେବାୟତ ଯୋଗେନ୍ଦ୍ର ସମର୍ଥା ଖସିପଡ଼ି ଆହତ ହେବା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚ୍ଆର୍ସି) ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର୍) ସପ୍ତାହକ ମଧ୍ୟରେ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ, ଆହତ ସେବାୟତଙ୍କୁ ଉପଯୁକ୍ତ କ୍ଷତିପୂରଣ ତଥା ରାଜ୍ୟର ସମସ୍ତ ମନ୍ଦିରରେ ସେବାୟତଙ୍କ ସୁରକ୍ଷା ପାଇଁ ପ୍ରୋଟୋକଲ୍ ଆଣିବାକୁ କହିଛନ୍ତି। ଏହି ନୋଟିସ୍ର ନକଲ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ନିକଟକୁ ପଠାଯାଇଛି।
ଏହି ମାମଲାର ଶୁଣାଣି ଜୁଲାଇ ୨୧ରେ ଏନ୍ଏଚ୍ଆର୍ସିଙ୍କ କ୍ୟାମ୍ପକୋର୍ଟରେ ହେବ। ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗର ପ୍ରମୁଖ ସଚିବ କ୍ୟାମ୍ପ ସିଟିଂର ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଅନୁରୂପ ଭାବେ ସରକାରଙ୍କ ଦ୍ୱାରା ପରିଚାଳିତ ଉଚ୍ଚ ମନ୍ଦିରଗୁଡ଼ିକରେ ନୀତି ପାଇଁ ଚଢ଼ୁଥିବା ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଆଣିବା ଏବଂ ସେମାନଙ୍କୁ ନିରାପତ୍ତା ଉପକରଣ ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ କମିସନଙ୍କ ନିକଟରେ ଯୁକ୍ତି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୬ତାରିଖରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ିଥିଲେ। ଏଥିରେ ତାଙ୍କ ମୁହଁରେ ଗୁରୁତର ଆଘାତ ଲାଗିଥିବା ବେଳେ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଦୁଇଜଣ ସେବାୟତ ଓ ଜଣେ ପୁଲିସ କର୍ମଚାରୀ ମଧ୍ୟ ଦୀପ ତେଲ ପଡ଼ି ଆହତ ହୋଇଥିଲେ। ଆହତମାନଙ୍କର କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣା ସମ୍ପର୍କରେ ଏନ୍ଏଚଆର୍ସିଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp