ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଅଞ୍ଚଳକୁ ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍ କୁହାଯାଉଛି। ରାଜ୍ୟ ସରକାର ଏବେ ଏହାର ବିକାଶ କରୁଛନ୍ତି। ଆଗାମୀ ଦିନରେ ଶିଶୁପାଳଗଡ଼କୁ ଐତିହାସିକ କ୍ଷେତ୍ର ଐତିହ୍ୟ ଜୋନ୍ କୁହାଯିବ। ଧଉଳିକୁ ସାଂସ୍କୃତିକ କ୍ଷେତ୍ର ଐତିହ୍ୟ ଜୋନ୍ କୁହାଯିବ। ଏବେ ଯେପରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଲିଙ୍ଗରାଜ ମନ୍ଦିର ଏବଂ ଏହା ଚତୁଃପାର୍ଶ୍ବ ଅଞ୍ଚଳର ବିକାଶ କରାଯାଉଛି, ଆଗାମୀ ଦିନରେ ସେହିପରି ଶିଶୁପାଳଗଡ଼ ଏବଂ ଧଉଳିର ବିକାଶ କରାଯିବ। ମୋଟ୍ ୧୯ ବର୍ଗକିମି ଅଞ୍ଚଳକୁ ନେଇ ଐତିହ୍ୟ ଜିଲ୍ଲା ପ୍ରସ୍ତୁତ ହେବ। ଏନେଇ ବିଡିଏ ପକ୍ଷରୁ ଯୋଜନା ହୋଇଛି। ସିଡିପି-୨୦୩୦ରେ ୭ଟି ସ୍ବତନ୍ତ୍ର ଐତିହ୍ୟ ଜୋନ୍ ଥିବା ବେଳେ ଏବେ ଏହି ତିନିଟି ଐତିହ୍ୟ ଜୋନ୍କୁ ନେଇ ଐତିହ୍ୟ ଜିଲ୍ଲା ଗଠନ ହୋଇଛି।
ବିଡିଏର କମ୍ପ୍ରେହେନସିଭ୍ ଡେଭଲପମେଣ୍ଟ ପ୍ଲାନ୍-୨୦୩୦ ବା ସିଡିପି-୨୦୩୦ ଅନୁଯାୟୀ, ଶିଶୁପାଳଗଡ଼ ଓ ଧଉଳି ଚତୁଃପାର୍ଶ୍ବ ଅଞ୍ଚଳର ବିକାଶ କରାଯିବ। ୨୦୩୦ ବେଳକୁ ରାଜଧାନୀର ଜନସଂଖ୍ୟା ୩୦ ଲକ୍ଷ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ଏହାକୁ ନଜରରେ ରଖି କେଉଁ ଅଞ୍ଚଳରେ କିପରି ଓ କେତେ ଓସାରର ରାସ୍ତା ନିର୍ମାଣ ହେବ, କେଉଁଠି କି ପ୍ରକାରର ଉନ୍ନତୀକରଣ କାମ ହେବ, ସେନେଇ ବିଡିଏ ସିଡିପି-୨୦୩୦ ପ୍ରସ୍ତୁତ କରିଛି। ଏହି ଅଞ୍ଚଳର ବିକାଶ ହେଲେ ଏହାର ରୂପରେଖ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ପ୍ରସ୍ତୁତ କରିବେ। କିନ୍ତୁ ଏବେ ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍ର କାମ ଜୋରଦାର ଚାଲି ଥିବାରୁ ଏବଂ ଖୁବ୍ଶୀଘ୍ର ଏହା ନୂଆ ରୂପ ପାଇବାକୁ ଯାଉଥିବାରୁ ଐତିହ୍ୟ କୀର୍ତ୍ତିରାଜିଗୁଡ଼ିକୁ ଯିବା ପାଇଁ କିପରି ସାଇନେଜ୍ ବା ଫଳକ ଲାଗିବ, କିପରି ଏଥିରେ ବିଭିନ୍ନ ନାମ ଲେଖା ହେବ, କେଉଁଭଳି ମ୍ୟାପ୍ ରହିବ, ସେନେଇ ବିଜ୍ଞପ୍ତି ଜାରି ହୋଇଛି।
ଶିଶୁପାଳଗଡ଼ ହେବ ଐତିହାସିକ କ୍ଷେତ୍ର ଐତିହ୍ୟ ଜୋନ୍
ଧଉଳି ହେବ ସାଂସ୍କୃତିକ କ୍ଷେତ୍ର ଐତିହ୍ୟ ଜୋନ୍
ଏକାମ୍ର କ୍ଷେତ୍ର ଐତିହ୍ୟ ଫଳକ ଲାଗିବା ନିୟମକୁ ମଞ୍ଜୁରୀ
ବିଡିଏ ପକ୍ଷରୁ ଏନେଇ ନଗର ଉନ୍ନୟନ ବିଭାଗକୁ ଯେଉଁ ପ୍ରସ୍ତାବ ପଠାଯାଇଥିଲା, ତାହାକୁ ଅନୁମୋଦନ କରାଯାଇଛି। ଏହାପରେ ଆଜି ବିଡିଏ ପକ୍ଷରୁ ‘ହେରିଟେଜ୍ ସାଇନେଜ୍ ଗାଇଡଲାଇନ୍ ଫର୍ ଏକାମ୍ରକ୍ଷେତ୍ର’ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଏକାମ୍ରକ୍ଷେତ୍ର ଐତିହ୍ୟ ଜୋନ୍ରେ ଏହା ଲାଗୁ ହେବ। ପରବର୍ତ୍ତୀ ସମୟରେ ଯେଉଁ ଐତିହ୍ୟ ଜୋନ୍ରେ ରାଜ୍ୟ ସରକାର ବିକାଶ କରିବେ, ସେହି ଅଞ୍ଚଳରେ ଏହି ନିୟମ ଲାଗୁ ହେବ ବୋଲି ବିଡିଏର ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି। ଏଣିକି ଐତିହ୍ୟ କ୍ଷେତ୍ରରେ ଯାହା ବି କାର୍ଯ୍ୟ ହେବ, ‘ହେରିଟେଜ୍ ସାଇନେଜ୍ ଗାଇଡଲାଇନ୍’ ଅନୁଯାୟୀ ହେବ। ସବୁ ଦୋକାନର ନାମ ଗୋଟିଏ ଡିଜାଇନ୍ରେ ଲେଖା ହେବାଠାରୁ ଆରମ୍ଭ କରି ବିଭିନ୍ନ ଜାଗାର ସ୍ଥାନ, ବ୍ୟାବସାୟିକ ପ୍ରତିଷ୍ଠାନ, ଘରର ନାମ, ଛକର ନାମ ଲେଖିବା ପାଇଁ ସ୍ବତନ୍ତ୍ର ପ୍ରକାରର ଡିଜାଇନ୍ ରହିଛି। ବିଡିଏର ହେରିଟେଜ୍ ସେଲ୍ ମୁଖ୍ୟ ତଥା ଆସିଷ୍ଟାଣ୍ଟ ଟାଉନ୍ ପ୍ଲାନର ସୁପର୍ଣ୍ଣା ଦାସଙ୍କ କହିବାନୁଯାୟୀ, ଏଠାକୁ ବହୁ ପର୍ଯ୍ୟଟକ ଆସୁଥିଲେ ହେଁ ବିଭିନ୍ନ ସଂସ୍ଥା ପକ୍ଷରୁ ଭିନ୍ନଭିନ୍ନ ପ୍ରକାରର ସାଇନେଜ୍ ବୋର୍ଡ ଲାଗୁଥିବାରୁ ପର୍ଯ୍ୟଟକ ସନ୍ଦେହରେ ପଡ଼ୁଛନ୍ତି। ଏପରିକି ଯେଉଁ ସଂସ୍ଥା ବୋର୍ଡ ଲଗାଉଛନ୍ତି, ସେମାନେ ବିଜ୍ଞାପନକୁ ଅଧିକ ଗୁରୁତ୍ବ ଦେଉଛନ୍ତି, କେବଳ ଏତିକି ନୁହେଁ, ଠିକ୍ ସ୍ଥାନରେ ସାଇନେଜ୍ ବୋର୍ଡ ଲାଗୁ ନଥିବାରୁ ଏହା ଭଲ ଭାବେ ଜଣାପଡ଼ୁନି। ତେଣୁ ଏଥିପାଇଁ ଏହି ନିୟମ ଆସିଛି। ଏଣିକି ଯେଉଁ ସଂସ୍ଥା ସାଇନେଜ୍ ବୋର୍ଡ ଲଗାଇଲେ ବି ବିଡିଏର ‘ହେରିଟେଜ୍ ସାଇନେଜ୍ ଗାଇଡଲାଇନ୍’ ମାନିବେ। ନଚେତ ଏହାକୁ କାଢ଼ି ଦିଆଯିବ। ଏକାମ୍ର କ୍ଷେତ୍ରରେ ମୋଟ୍ ୭ ପ୍ରକାରର ସାଇନେଜ୍ ଲାଗିବ। ଏଥିରେ ପ୍ରବେଶ ପଥ, ପ୍ରସ୍ଥାନ ପଥ, ସୂଚନା ଫଳକ, ସୁବିଧା ଫଳକ, ପ୍ରମୁଖ ଛକରେ ଫଳକ, ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଫଳକ ଆଦି ଲାଗିବ। ସବୁ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଗୋଟିଏ ପ୍ରକାରର ସାଇନେଜ୍ ରହିବ। ହାଲକା ଧଳା ରଙ୍ଗର ବୋର୍ଡରେ ଦୋକାନ ବା ସଂସ୍ଥାର ନାମ, କୋଠାର ନାଁ ଏବଂ କିଛି ଲୋଗୋ ଥିଲେ ଲାଗିବ। ଆଉ କୌଣସି ପ୍ରକାରର ଚିତ୍ର ରହିବନି। ସବୁ ଲେଖା ଗୋଟିଏ ପ୍ରକାରର ହେବ। ଓଡ଼ିଆ ଓ ଇଂରାଜୀରେ କେବଳ ଲେଖା ହେବ। ଓଡ଼ିଆରେ ବଡ଼ ଅକ୍ଷରରେ ଲେଖା ହେବ, ଇଂରାଜୀରେ ଛୋଟ ଅକ୍ଷରରେ ଲେଖା ହେବ। ସେହିପରି ୨ପ୍ରକାରର ମ୍ୟାପ୍ ଯଥା ହେରିଟେଜ୍ ମ୍ୟାପ୍ ଓ ଗାଇଡ୍ ମ୍ୟାପ୍ ରହିବ। ଏହାଦ୍ବାରା ଯେ କେହି ବି ମ୍ୟାପ୍ ଦେଖି ତାଙ୍କ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।
ବିଭିନ୍ନ ସ୍ଥାନରେ ଘରର ନାମଗୁଡ଼ିକ ଭିନ୍ନଭିନ୍ନ ଷ୍ଟାଇଲରେ ଲେଖା ହୋଇଛି। ତେଣୁ ସେଗୁଡ଼ିକୁ ଖୋଦେଇ କରି ଗୋଟିଏ ଡିଜାଇନ୍ରେ ଲେଖାଯିବ। ପରବର୍ତ୍ତୀ ସମୟରେ ସବୁ ଘରର ରଙ୍ଗ ଗୋଟିଏ ପ୍ରକାରର ହେବ। ଅନ୍ୟ ସାଇନେଜ୍ଗୁଡ଼ିକରେ ବାଦାମୀ ରଙ୍ଗର ବୋର୍ଡରେ ଧଳା ଅକ୍ଷରରେ ଲେଖା ହେବ କିମ୍ବା ଧଳା ରଙ୍ଗର ଚିତ୍ର ଅଙ୍କା ହେବ। ଉଭୟ ଇଂରାଜୀ ଓ ଓଡ଼ିଆରେ ଲେଖାହେବ। କେଉଁ ସ୍ଥାନରେ ଓଡ଼ିଆ ଅକ୍ଷରର ସାଇଜ୍ କେତେ ହେବ, ଇଂରାଜୀ ଅକ୍ଷରର ସାଇଜ୍ କେତେ ହେବ, ତାହା ସ୍ଥିର ହୋଇଛି। ବାଲିପଥରର ବେସ୍ ଉପରେ କାଷ୍ଟ ଆଇରନ୍ ପାଇପ୍ରେ ସାଇନେଜ୍ ବୋର୍ଡ ଲାଗିବ। ଐତିହ୍ୟ ଜୋନ୍ରେ ଯେଉଁମାନେ ଘର ନିର୍ମାଣ କରିବେ, ଦୋକାନ କରିବେ କିମ୍ବା କିଛି ନୂଆ କରିବେ, ତେବେ ସେମାନଙ୍କୁ ବିଡିଏର ହେରିଟେଜ୍ ସେଲ୍ ପକ୍ଷରୁ ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ କାମ କରିବାକୁ ହେବ। ଏନେଇ ପ୍ଲାନ୍ରେ ଉଲ୍ଲେଖ କରିଥିଲେ ପ୍ଲାନ୍ ଅନୁମୋଦନ ହେବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ହକି ବିଶ୍ବକପ୍ ବେଳେ ବିଡିଏ ପକ୍ଷରୁ ପୁରୁଣା ଭୁବନେଶ୍ବରରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଏହି ଐତିହ୍ୟ ସାଇନେଜ୍ ଲାଗିଥିଲା। ସେଥିରୁ କିଛି ସାଇନେଜ୍କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ଆଉ କିଛି ବାତ୍ୟା ଫନିରେ ଭାଙ୍ଗି ଯାଇଥିଲା। ଆଗାମୀ
ଦିନରେ ସେହିଭଳି ସାଇନେଜ୍ ଲାଗିବ।