ଭୁବନେଶ୍ବର: ବାଇକ୍‌ ଲୁଟ୍‌ପାଟ କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ଜଣେ କୁଖ୍ୟାତ ବାଇକ୍‌ ଲୁଟେରାକୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସେ ହେଲା ଖଣ୍ଡଗିରି ଥାନା ଶୁକବିହାର ଅଞ୍ଚଳର ଦୀପକ କୁମାର ସାହୁ ଓରଫ ଦୀପୁ। ପୁଲିସ ତାଠାରୁ ୫ଟି ବାଇକ୍‌ ଓ କିଛି ମାଷ୍ଟର ଚାବିକାଠି ଜବତ କରିଛି। ତେବେ ସେ କିଭଳି ଆଖି ପିଛୁଳାକେ ବାଇକ୍‌ ଗୁଡ଼ିକୁ ମାଷ୍ଟର ଚାବିକାଠିରେ ଖୋଲି ଚମ୍ପଟ ମାରୁଥିଲା ତାର ସିନ୍‌ ରିକ୍ରିଏସନ୍‌ କରି ଦେଖାଇଥିଲା। 
ସୂଚନା ମୁତାବକ, ଗତ କିଛିମାସ ‌ହେବ ଦୀପୁ କଟକ ବାଙ୍କିରୁ ଆସି ରାଜଧାନୀ ଉପରେ ଆଖି ପକାଇଥିଲା। ପ୍ରଥମେ ବୁଲି ବୁଲି ବାଇକ୍‌ ଚୋରି କରିବା ପାଇଁ ସ୍ଥାନ ନିର୍ଦ୍ଧାରଣ କରୁଥିଲା। ପରେ ସୁଯୋଗ ଦେଖି ଆଖି ପିଛୁଳାକେ ମାଷ୍ଟର ଚାବିକାଠିରେ ବାଇକ୍‌ ନେଇ ଚମ୍ପଟ ମାରୁଥିଲା। ଏହାପରେ ବାଇକ୍‌କୁ କଟକ, ଖୋର୍ଦ୍ଧା ଭଳି ଆଖପାଖ ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରୁଥିଲା। କମିସନରେଟ୍‌ ପୁଲିସର ଲିଙ୍ଗରାଜ, କ୍ୟାପିଟାଲ, ଖଣ୍ଡଗିରି, ବଡ଼ଗଡ଼, ନୂଆପଲ୍ଲୀ ଓ ଏୟାରଫିଲ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି କରି ପୁଲିସ ନିଦ ହଜାଇଥିବା ଦୀପୁକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଚଥିଲା।  ସପ୍ତାହ ତଳେ ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳର ଶିବପ୍ରସାଦ ସାମଲ୍‌ ଘର ସାମ୍ନାରେ ବାଇକ୍‌ ରଖିଥିବା ବେଳେ ଦୀପୁ ଏହାକୁ ନେଇ ଚମ୍ପଟ ମାରିଥିଲା। ବାଇକ୍‌ ଚୋରି ହୋଇଥିବା ନେଇ ଶିବ ଥାନାରେ ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ପୁଲିସ ତାକୁ ଚିହ୍ନଟ କରି ଗତିବିଧି ଉପରେ ନଜର ରଖିଥିଲା। ରବିବାର ଦିନ ସେ ପୁଣି ରାଜଧାନୀକୁ ଆସି ଲିଙ୍ଗରାଜ ଥାନା ଅଞ୍ଚଳରୁ ଚୋରି ପାଇଁ ଯୋଜନା ବେଳେ ଖବରପାଇ ପୁଲିସ ଟିମ୍‌ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ‌ଆଣି ଜେରା ବେଳେ ସେ ସବୁ ସତ ଓଗାଳିଥିଲା। ପରେ ପୁଲିସ ତାକୁ କଟକସ୍ଥିତ ଘରକୁ ନେଇ ସେଠାରୁ ୫ଟି ବାଇକ୍‌ ଜବତ କରିଥିଲା। ଆଜି ପୁଲିସ ତାକୁ କୋର୍ଟଚାଲାଣ କରିଛି। ପୂର୍ବରୁ ତା ନାଁରେ ଲିଙ୍ଗରାଜ, କ୍ୟାପିଟାଲ, ଖଣ୍ଡଗିରୀ, ବଡ଼ଗଡ଼, ନୂଆପଲ୍ଲୀ ଓ ଏୟାରଫିଲ୍ଡ ଥାନାରେ ୨୫ରୁ ଅଧିକ ମାମଲା ଥିବା ଜଣାପଡ଼ିଛି।