ଏମ୍‌ବିଏ ଛାତ୍ରରୁ କୁଖ୍ୟାତ ଠକ, ରାଜଧାନୀର ପଞ୍ଚ ତାରକା ହୋଟେଲରୁ ଗିରଫ କଲା ପୁଲିସ

ସୁନା ଦୋକାନୀଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଉଥିଲା
ତିନି ଜିଲ୍ଲାର ପୁଲିସ ପାଇଁ ଥିଲା ମୋଷ୍ଟ ‌ୱାଣ୍ଟେଡ୍‌

ଭୁବନେଶ୍ବର : ବୟସ ମାତ୍ର ୨୫, ହେଲେ ରୋଜଗାର ବର୍ଷକୁ ୨.୫କୋଟି। ଏହି ରୋଜଗାର କୌଣସି ଚାକିରି କିମ୍ବା ବ୍ୟବସାୟରୁ ନୁହେଁ, ପେସା ଥିଲା ଅଭିନବ ଉପାୟରେ ଠକେଇ। ସୁନା ଗହଣା କିଣିବା ପରେ ଅନ୍‌ଲାଇନ୍‌ରେ ପେମେଣ୍ଟ କରିବାକୁ ଯାଇ ବଡ଼ ବଡ଼ ସୁନା ବ୍ୟବସାୟୀଙ୍କୁ ଏଭଳି କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଜଣେ ଠକକୁ ଧରିଛି କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍‌। ତିନି ଜିଳ୍ଲା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଏହି ଅଭିଯୁକ୍ତ ହେଉଛି ବେଙ୍ଗାଲୁରୁର ବିଶାଲ ରାଜ କୁମାର ନିଲେଙ୍ଗେ। ଖାରବେଳ ନଗରରେ ଥିବା ଏକ ପଞ୍ଚ ତାରକା ହୋଟେଲରୁ ତାକୁ ଧରାଯିବା ପରେ ଆଜି ସମ୍ବଲପୁର ପୁଲିସକୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ପୁରୀ ସମେତ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ବିଶାଲ ନାମରେ ୧୭ରୁ ଊର୍ଦ୍ଧ୍ବ ମାମଲା ରହିଛି। କେବଳ ଓଡ଼ିଶା ନୁହେଁ, ବରଂ ରାଜ୍ୟ ବାହାରେ ମଧ୍ୟ ତା‌’ ନାମରେ ଏଭଳି ବଡ଼ ବଡ଼ ଠକେଇ ଅଭିଯୋଗ ରହିଛି।

ବିଶାଲ ଜଣେ ଏମ୍‌ବିଏ ଛାତ୍ର। ଯୁକ୍ତ ତିନି ପଢ଼ିବା ବେଳେ ତା ମୁଣ୍ଡକୁ ଅଦ୍ଭୁତ ଖିଆଲ ଜୁଟିଥିଲା। ନିଜକୁ ଇନ୍‌କମ୍‌ ଟାକ୍ସ ଅଫିସର କହି ସେ ଏକ ସୁନା ଦୋକାନରେ ଚଢ଼ଉ କରିଥିଲା। ସେଠାରୁ ମୋଟା ଅଙ୍କର ହାତଗୁଞ୍ଜା ପାଇବା ପରେ ଅପରାଧ ଦୁନିଆରେ ପାଦ ଦେବା ପାଇଁ ତା’ର ସାହସ ବଢ଼ିଥିଲା। ପରେ ସେ ସୁନା ଦୋକାନକୁ ହିଁ ଟାର୍ଗେଟ କରିଥିଲା। ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା କିଣିବା ପରେ ‌ଅନ୍‌ଲାଇନ୍‌ରେ ହିଁ ପେମେଣ୍ଟ କରୁଥିଲା। ଅନ୍‌ଲାଇନ୍‌ରେ ପେମେଣ୍ଟ କରିବା ବେଳେ ସେ ଏଭଳି ବ୍ୟବସ୍ଥା କରିଥିଲା କି ତା’ ନିଜ ମୋବାଇଲରେ ପେମେଣ୍ଟ ହୋଇଥିବା ଦେଖାଇବ। କିନ୍ତୁ ବାସ୍ତବରେ ପେମେଣ୍ଟ ହେବ ନାହିଁ। ଲକ୍ଷାଧିକ ଟଙ୍କାର ସୁନାଗହଣା ନେଉଥିବାରୁ ଭଲ ଗ୍ରାହକ ଭାବି ଦୋକାନୀ ପେମେଣ୍ଟକୁ ନେଇ ସନ୍ଦେହ କରୁନଥିଲେ। ଅନ୍‌ଲାଇନ୍‌ରେ ବେଳେ ବେଳେ ଟଙ୍କା ପହଞ୍ଚିବାକୁ ବିଳମ୍ବ ହେଉଥିବାରୁ କିଛି ସମୟ ପରେ ପେମେଣ୍ଟ ଆସିଯିବ ଭାବି ଦୋକାନୀ ସୁନା ଗହଣା ଦେଇ ଦେଉଥିଲେ। ତେବେ ଆଦୌ ପେମେଣ୍ଟ ନ ଆସିଲେ ଦୋକାନୀ ଠକାମିର ଶିକାର ହେଉଥିବା ଜାଣି ପାରୁଥିଲେ। ସେତେବେଳକୁ ବିଶାଲ ଆଉ ଧରାଛୁଆଁ ଦେଉନଥିଲା। ସେହିସବୁ ସୁନାଗହଣାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକି ମାଲାମାଲ ହେଉଥିଲା ବିଶାଲ। ଗୋଟିଏ ରାଜ୍ୟ କିମ୍ବା ଗୋଟିଏ ସହରରୁ ଏଭଳି ଗୋଟିଏ ଠକେଇ କରିବା ପରେ ଅନ୍ୟ ଜାଗାକୁ ଟାର୍ଗେଟ କରୁଥିଲା। ସମ୍ବଲପୁରରେ ଏଭଳି ଠକେଇ କରିବା ପରେ ବିଶାଲ ଭୁବନେଶ୍ବରର ଆସିଥିବା ନେଇ ସୂଚନା ପାଇଥିଲା ସମ୍ବଲପୁର ପୁଲିସ। ତେଣୁ ତାକୁ ଧରିବା ପାଇଁ କମିସନରେଟ୍‌ ପୁଲିସର ସହଯୋଗ‌ ଲୋଡ଼ିଥିଲା। ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ବିଶାଲକୁ ଧରିବା ପରେ ଆଜି ତା’କୁ ସମ୍ବଲପୁର ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର