କୁଖ୍ୟାତ ଲୁଟେରା କେମ୍ପା ଗିରଫ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଲୁଟ୍‌ପାଟ୍‌ କରୁଥିବା ଏକ ତିନିଜଣିଆ ଗ୍ୟାଙ୍ଗ୍‌ର ମୁଖିଆ ନନ୍ଦ ନାୟକ ଓରଫ୍‌ କେମ୍ପାକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ପଳାସୁଣି ସତ୍ୟବିହାର ଅଞ୍ଚଳରୁ ଆଜି ତାକୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ଗତ ୨ ମାସ ପୂର୍ବେ ଦିନେ ସକାଳୁ ସକାଳୁ ଅକ୍ଷୟ କୁମାର ଜେନା ଲୁଟ୍‌ର ଶିକାର ହୋଇଥିଲେ। ଆଚାର୍ଯ୍ୟବିହାର ଛକରୁ ପ୍ରେସ୍‌ ଛକ ଭିତରେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ କେମ୍ପା‌ ଓ ତା’ର ଦୁଇ ସହଯୋଗୀ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ପର୍ସ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ପ୍ରତିବାଦ କରିବାରୁ କେମ୍ପା ଗ୍ୟାଙ୍ଗ୍‌ ଅକ୍ଷୟଙ୍କୁ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରି ପକାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କେମ୍ପାକୁ ଚିହ୍ନଟ କରିଥିଲା। ତେବେ କିଛି ଦିନ ରାଜଧାନୀ ବାହାରକୁ ପଳାଇଥିବାରୁ ତାକୁ ଗିରଫ କରିବା ବିଳମ୍ବ ହୋଇଥିଲା।

ଗତ ଦୁଇ ଦିନ ହେଲା ସେ ପୁଣି ରାଜଧାନୀକୁ ଫେରିଥିଲା ଓ ଆଜି ସକାଳୁ ତାକୁ ପୁଲିସ କାବୁ କରିନେଇଥିଲା। ସୂଚନାଯୋଗ୍ୟ କେମ୍ପା ଗ୍ୟାଙ୍ଗ୍‌ ଲୁଟ୍‌ କରିବା ପାଇଁ ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଥି‌ଲା।

ସମ୍ବନ୍ଧିତ ଖବର