ଭୁବନେଶ୍ୱର : କମିସନରେଟ୍‌ ପୁଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା। ବ୍ରାଉନ୍‌ସୁଗାର ବେପାର ସହ ସେକ୍ସ ରୢାକେଟ୍‌ କାରବାରରେ ପୁଲିସ ନିଦ ହଜାଇଥିବା ମୁନାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ତା’ଠାରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଯାହାର ବଜାର ଦର ୨୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ତା’ ସହ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କାର୍‌, ୩୨.୧୧୦ ଗ୍ରାମ୍‌ ଓଜନର ସୁନା ଚେନ୍‌, ଗୋଟିଏ ପଲସର୍‌ ବାଇକ୍‌, ଗୋଟିଏ ୟାମାହା ଫାସିନୋ, ୧୨ ହଜାର ୪୨୦ଟଙ୍କା ଓ ୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଆଜି ସକାଳ ୯ଟା ବେଳେ କଳିଙ୍ଗନଗର ବଗା ପାର୍କ ସାମ୍ନାରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ପୁଲିସ୍‌ ତାକୁ ଗିରଫ କରିଛି। ତା’ର କେତେକ ସହଯୋଗୀ ପୁଲିସ ହାତରେ ଲାଗି ପାରି ନାହାନ୍ତି। ସେମାନଙ୍କୁ ଠାବ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ। ମୁନାକୁ ତଡ଼ିପାର କରିବା ପାଇଁ ଯୋଜନା ହେବା ସହ ଏନ୍‌ଏସ୍‌ଏ ଲାଗିବା ପାଇଁ ମଧ୍ୟ ଯୋଜନା ହେଉଥିବା ଜଣାପଡ଼ିଛି।

Advertisment

କଳିଙ୍ଗ ନଗର ବସନ୍ତ ସାହୁ ଛକରେ ରହୁଥିବା ମୁନାର ପୂରା ନାମ ମୁନା ସେଠୀ। ଘର ନୟାଗଡ଼ ଦଶପଲ୍ଲା ମଧୁପରରେ। ୨୦୧୦ ମସିହାରୁ ସେ ଭୁବନେଶ୍ବରରେ ରହିବା ସହ ବ୍ରାଉନ୍‌ସୁଗାର ବେପାର, ଡକାୟତି ଓ ଚୋରି ଆରମ୍ଭ କରିଥିଲା। ୨୦୧୩ ମସିହାରେ ଖାରବେଳନଗର ଥାନା ପୁଲିସ ତାକୁ ଚୋରି ଅଭିଯୋଗରେ ଗିରଫ କରିଥିଲା। ଅଦ୍ୟାବଧି ତା’ ନାଁରେ ୧୩ଟି ମାମଲା ରହିଛି। ଖଣ୍ଡଗିରି ଥାନାରେ ୯ଟି ମାମଲା ଥିବା ବେଳେ ଖାରବେଳ ନଗର ଥାନାରେ ଗୋଟିଏ ଓ ନୂଆପଲ୍ଲୀ ଥାନାରେ ୩ଟି ମାମଲା ରହିଛି।

publive-image

କେମିତି କରୁଥିଲା ବେପାର
ବାଲେଶ୍ବର ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ମୁନା ଭୁବନେଶ୍ବରରେ ବେପାର କରୁଥିଲା। ୨୦୧୩ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଏଭଳି ବେପାର କରିବା ପରେ ସେ କାର୍‌ କିଣିଥିଲା। ପରେ ଏଠାରେ କେତେକ ବେପାରୀଙ୍କୁ ଯୋଗାଡ଼ କରିଥିଲା। କାର୍‌ରେ ମାଲ୍‌ ଆଣି ଏଠାରେ ବେପାରୀଙ୍କୁ ଯୋଗାଉଥିଲା। ବେପାର ବଢ଼ିବା ସହ ଶତ୍ରୁ ଓ ବିପଦ ମଧ୍ୟ ବଢ଼ିଥିଲା। ଏଣୁ ସେ ସାଙ୍ଗରେ ୪ ଜଣ ସହଯୋଗୀଙ୍କୁ ରଖିଥିଲା। ସେମାନଙ୍କୁ ବନ୍ଧୁକ ଯୋଗାଇ ଦେଇ ନିଜର ସୁରକ୍ଷା ପାଇଁ ବ୍ୟବହାର କରୁଥିଲା। ନିଶାଦ୍ରବ୍ୟ ସୁରକ୍ଷିତ ଆଣିବା ପାଇଁ ସହଯୋଗୀଙ୍କ ସହ ଯିବା ଆସିବା କରୁଥିଲା। ଆବଶ୍ୟକ ପଡ଼ିଲେ ଅନ୍ୟକୁ ଭୟଭୀତ କରାଇବା ପାଇଁ ଫାଙ୍କା ଗୁଳିଚାଳନା ମଧ୍ୟ କରୁଥିଲେ। ପୂର୍ବରୁ ଏସ୍‌ଟିଫ୍‌ ମଧ୍ୟ ମୁନା ଉପରେ ନଜର ରଖିଥିଲା। ହେଲେ ଚକ୍‌ମା ଦେଇ ସେ ଖସି ଯାଇଥିଲା। ଏଠାରେ ଅପରାଧ କରିବା ପରେ ସେ ନୟାଗଡ଼ ଚାଲି ଯାଉଥିଲା। ଫଳରେ ପୁଲିସ ପଞ୍ଝାକୁ ଆସି ପାରୁନଥିଲା।