ରାସ୍ତାରେ ଏବେ ବି ପଡ଼ିଛି ବିଦ୍ୟୁତ୍‌ ଖୁଣ୍ଟ

ବାଲିପାଟଣା: ବାତ୍ୟା ୧୩ ଦିନ ପରେ ବି ବାଲିପାଟଣା ଅଞ୍ଚଳବାସୀଙ୍କ ଦୁଃଖ ଦୂର ହୋଇନି। ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରା ତାତି ସହ ଗରମ ଲୋକଙ୍କୁ ହନ୍ତସନ୍ତ କରାଉଛି। ବିଶେଷକରି ଛୋଟ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ବିଦ୍ୟୁତ ବିନା ଛଟପଟ ହେଉଛନ୍ତି। ସନ୍ଧ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଠପ୍‌ ହୋଇଯାଉଛି। ଦିନରେ ବି ଦୋକାନରେ ବସି ହେଉନି ବୋଲି ବ୍ୟବସାୟୀମାନେ କହିଛନ୍ତି। କେବେ ଉପଭୋକ୍ତା ବିଦ୍ୟୁତ ସଂଯୋଗ ପାଇବେ ତାହା କେହି କହି ପାରୁନାହାନ୍ତି। ତେବେ ମାସକ ଭିତରେ ବିଦ୍ୟୁତ ସଂଯୋଗ ସମ୍ଭବ ନୁହେଁ ବୋଲି ବିଭାଗର କିଛି କର୍ମଚାରୀ କହୁଛନ୍ତି। ଏବେ ବି ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ରାସ୍ତା ଉପରେ ପଡ଼ି ରହିଛି। ରାସ୍ତାରୁ ଏହାକୁ ହଟାଇବାରେ କେହି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। କର୍ମଚାରୀଙ୍କ ଅଭାବରୁ କାମ ମନ୍ଥର ହେଉଥିବା ସ୍ଥାନୀୟ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ପମ୍ପାଲୋ ପଞ୍ଚାୟତ ଗଡ଼ବନ୍ତପୁର-ସରାଟ ରାସ୍ତାର ମଝିରେ ଏକ ବଡ଼ ବିଦ୍ୟୁତ ଖୁଣ୍ଟ ଗୋଟିଏ ଭଙ୍ଗା ଗଛରେ ଲଟକି ରହିଛି। ଏପରି ଅବସ୍ଥାରେ ତାହା ଝୁଲି ରହିଛି ଯେ ଏହା କାହା ଉପରେ ଗଳି ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନି। ଆଉ ଗୋଟିଏ ଲୁହା ଖୁଣ୍ଟ ରାସ୍ତାରେ ସଂପୂର୍ଣ୍ଣ ଶୋଇ ରହିଛି। ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରୁଥିଲେ ମଧ୍ୟ ଏହାକୁ ରାସ୍ତା ଉପରୁ ହଟାଇବା ନେଇ କେହି ଚିନ୍ତା କରୁନାହାନ୍ତି। ସେହିପରି ସରାଟ ଶାସନ କେନାଲ୍‌ ବନ୍ଧରେ ଏବେ ବି ଗୋଟିଏ ଟ୍ରାନ୍ସଫର୍ମର ରାସ୍ତା ଉପରେ ପଡ଼ିଛି। ପୁନରୁଦ୍ଧାର କାମ ପାଇଁ ୯୧ କର୍ମଚାରୀଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯାଇଛି। ଏବେ ସୁଦ୍ଧା ୭ଟି ୩୩ କେଭି ଖୁଣ୍ଟ ପୋତା ଯାଇଥିବା ବେଳେ ୭ଟି ପୋଲ୍‌ର କାମ ଅଧା ହୋଇଛି। ସେହିପରି ୧୧ କେଭିର ୨/୩ଟି ଖୁଣ୍ଟ କାମ ସରିଥିବା ବେଳେ ଆଜି ବାଲିପାଟଣା ଫିଡର୍‌ରେ କାମ ହେଉଛି। ବିଭାଗୀୟ ଅଧିକାରୀଙ୍କ ମତରେ ଷ୍ଟ୍ରକ୍‌ଚର୍‌କୁ ଲାଇନ୍‌ ଆସିବାରେ ଆହୁରି ସପ୍ତାହେ ଲାଗିବ। ତେବେ ଏଲ୍‌ଟି ଲାଇନ୍‌ ସଂଯୋଗ ନେଇ ନିର୍ଦିଷ୍ଟ ସମୟ କେବେ କହି ହେବନି। ଖୁଣ୍ଟ ମିଳିବାରେ ବାଧା ଉପୁଜୁଥିବାରୁ କାମ କରିବାରେ ସମସ୍ୟା ହେଉଛି। ତୁରନ୍ତ ଖୁଣ୍ଟ ଯୋଗାଇବା ସହିତ ବିଦ୍ୟୁତ୍‌ ସଂଯୋଗ ନେଇ ଆବଶ୍ୟକୀୟ ପଦକ୍ଷେପ ନନେଲେ ଲୋକମା‌ନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଥିପ୍ରତି କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର