ଭୁବନେଶ୍ବର: ୩୫ ବର୍ଷରେ ପଦାର୍ପଣ କରୁଛି ନୂଆପଲ୍ଲୀ ଦୁର୍ଗାପୂଜା। ନିଆରା ଶୈଳୀରେ ପୂଜା କରି ଚର୍ଚ୍ଚାରେ ରହିଆସୁଥିବା ଏହି କମିଟି ଚଳିତବର୍ଷ ନିରାଶ୍ରିତ ମା’ ବାପାଙ୍କ ଦୁଃଖଭରା କାହାଣୀକୁ ନେଇ ସଚେତନଧର୍ମୀ ତୋରଣ ପ୍ରସ୍ତୁତ କରୁଛି। ତୋରଣରେ ପ୍ରଦର୍ଶିତ ହେବ ଜରାଶ୍ରମରେ ଗୁମୁରି କାନ୍ଦୁଥିବା ବୃଦ୍ଧ ବାପାମା’ଙ୍କ ଚଳଣି। ଯୁବପିଢ଼ିକୁ ତଥା ସ୍ବାର୍ଥପର ସମାଜକୁ ଚେତାଇ ଦେବା ଉଦ୍ଦେଶ୍ୟରେ ଏଥର ଏହି ପୂଜା କମିଟି ମା’ ଜଗତଜନନୀଙ୍କୁ ‘ବୃଦ୍ଧାଶ୍ରମ’ରେ ଉପବେଶନ କରୁଛି। ମା’ ଦୁର୍ଗାଙ୍କୁ ଏଭଳି ଦୁର୍ଦ୍ଦଶାରେ ଦେଖିଲେ କାଳେ କିଛି ସ୍ବାର୍ଥପର ସନ୍ତାନଙ୍କ ଆଖି ଖୋଲିଯିବ, ଏହି ଲକ୍ଷ୍ୟରେ ଏଭଳି ଏକ ସାମାଜିକ ବାର୍ତ୍ତା ଚୟନ କରିଛି ଏହି କମିଟି।
ତୋରଣ ତିଆରି ପାଇଁ ୩୦ରୁ ୪୦ ଜଣ ବଙ୍ଗୀୟ କାରିଗର ଲାଗିଛନ୍ତି। ପୂଜା ବାବଦକୁ ୨୫ ଲକ୍ଷ ଟଙ୍କାର ବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୭ରୁ ୧୮ ଫୁଟ୍ ଏବଂ ମେଢ଼ର ଉଚ୍ଚତା ୨୦ରୁ ୨୧ ଫୁଟ ହେବ। ଏଥିସହ ମଣ୍ଡପରେ ସମାଜ ପାଇଁ ବାର୍ତ୍ତା ସୂଚକ ଲାଇଟ୍ର ସାଜ୍ଜସଜା ରହିବ। ବିଧି ଅନୁସାରେ ଏହି ପୀଠରେ ମା’ଙ୍କର ଷୋଳ ପୂଜା ଆରମ୍ଭ ହୋଇଯାଇଛି।
ଷଷ୍ଠୀରେ ଭଜନ ସମାରୋହ, ସପ୍ତମୀରେ ମେଲୋଡି କାର୍ଯ୍ୟକ୍ରମ, ଅଷ୍ଟମୀରେ ଭଜନ ଓ ନବମୀରେ ମଧ୍ୟ ବଡ଼ ଧରଣର ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜାର ମୁଖ୍ୟ ଆକର୍ଷଣ ହେବ ଦଶମୀ ଦିନର ‘ରାବଣପୋଡ଼ି ଉତ୍ସବ’। କଟକଣା ଅନୁଯାୟୀ ଚଳିତ ବର୍ଷ ଆତସବାଜି କିମ୍ବା ବାଣ ଫୁଟାଇବାର ଅନୁମତି ନଥିବାରୁ ସେ ସବୁକୁ ବାଦ୍ ଦେଇ ବିଧି ମୁତାବକ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଷଷ୍ଠୀଠାରୁ ଭସାଣି ଯାଏ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ମା’ଙ୍କ ପାଇଁ ଶଙ୍କୁଡ଼ି ଭୋଗ ହେବ। ପୂର୍ବତନ ସଭାପତି ପବିତ୍ର ମୋହନ ବେହେରା, ସର୍ବେଶ୍ବର ସାମଲ, ପ୍ରେମାନନ୍ଦ ଜେନା, ସଂଗ୍ରାମ କେଶରୀ ନନ୍ଦ, ସୁଶାନ୍ତ କୁମାର ଦାଶ ପ୍ରମୁଖଙ୍କ ପରିଚାଳନାରେ ଏହି ପୂଜା ଆୟୋଜିତ ହେଉଛି।
କମିଟିର ରହିଛି ସ୍ବତନ୍ତ୍ର ଆମ୍ବୁଲାନ୍ସ
/sambad/media/post_attachments/wp-content/uploads/2022/09/45-11.jpg)
କରୋନା ସଂକଟ ଟଳି ନଥିବାରୁ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଉପରେ ଗୁରୁତ୍ବାରୋପ କରାଯାଉଛି। ଶ୍ରଦ୍ଧାଳୁଙ୍କ ସହାୟତା ତଥା ସମସ୍ତ କାମ ସୁରୁଖୁରୁରେ ହେବା ପାଇଁ ମଣ୍ଡପରେ ଚଳିତ ବର୍ଷ ୨୦୦ ସ୍ବେଚ୍ଛାସେବୀଙ୍କ ସମେତ କିଛି ମହିଳା ଓ କିନ୍ନର ପୂଜାରେ ସହଯୋଗ କରିବେ। ଏଥିସହ କମିଟି ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି। ଏଥିସହ କୌଣସି ପ୍ରକାର ଆପତକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ନିଆଁ ଲିଭା ଗାଡ଼ି, ଗ୍ୟାସ୍ ଓ ବାଲି ମଧ୍ୟ ବ୍ୟବସ୍ଥା କରାଯାଇଛି। ମଣ୍ଡପକୁ ସିସିଟିଭିର କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି।
-ନବକିଶୋର ବେହେରା, ଉପଦେଷ୍ଟା
୨୦ ମଣ୍ଡପର ମା’ଙ୍କ ମୂର୍ତ୍ତି ମେଲଣ
/sambad/media/post_attachments/wp-content/uploads/2022/09/46-11.jpg)
୨୦ଟି ମଣ୍ଡପର ମା’ଙ୍କ ମୂର୍ତ୍ତି ମେଲଣ ପୂଜାର ମୁଖ୍ୟ ଆକର୍ଷଣ ପାଲଟିବ। ଭସାଣି ଦିନ ଏହି ମଣ୍ଡପକୁ ୨୦ଟି ପୂଜା ମଣ୍ଡପର ମେଢ଼ ଆସିବ ଓ ଏଠାରେ ଦେବୀଙ୍କ ମେଲଣ ହେବ। ଏହି ସମୟରେ କିଛି ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏକାଥରେ ଏତେ ସଂଖ୍ୟାରେ ମେଢ଼ ଓ ଦେବୀ ମୂର୍ତ୍ତି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମେଢ଼ଗୁଡ଼ିକ ଏହି ମଣ୍ଡପରୁ ବାହାରି ଇସ୍କନ, ସିଆର୍ପି ଛକ, ଡିଏଭି ଛକ ଦେଇ ଗଙ୍ଗନଗର ଯାଏ ଯିବେ। ଏହି ୨୦ ପୂଜା ମଣ୍ଡପର ମୂର୍ତ୍ତିଙ୍କୁ ଶୋଭାଯାତ୍ରା ପରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ।
-ଚିତ୍ରସେନ ବେହେରା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/43-15.jpg)