ସହାୟତା କରି ପ୍ରଶଂସା ସାଉଣ୍ଟିଥିଲେ: ଏବେ ଅଜବ ଅନୁରୋଧ ପାଇଁ ଚିନ୍ତାରେ ଆଇପିଏସ୍‌ ଅଫିସର

ଭୁବନେଶ୍ବର: ଜଣେ ଶିଶୁ ରୋଗୀଙ୍କ ପାଇଁ ରାଜସ୍ଥାନରୁ ଓଟ କ୍ଷୀର ଆଣି ମୁମ୍ବାଇରେ ପହଞ୍ଚାଇ ଚର୍ଚ୍ଚାରେ ଥିବା ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କ ପାଇଁ ଏବେ ନୂଆ ଅଡ଼ୁଆ ସାମ୍ନାକୁ ଆସିଛି। କୋଭିଡ୍‌-୧୯ ମୁକାବିଲା ସମୟରେ ଘରେ ରହୁଥିବା ଲୋ‌କଙ୍କୁ ଜରୁରୀ ସହାୟତା ପାଇଁ ସେ ଟ୍ବିଟରରେ ଘୋଷଣା କରିବା ପରେ ଗୋଟିଏ ଦିନରେ ତାଙ୍କ ପାଖରେ ୨ଶହରୁ ଊର୍ଦ୍ଧ୍ବ ଅନୁରୋଧ ପହଞ୍ଚିଛି। ତେବେ ଏଥିରେ ଅଜବ ଅଜବ ଅନୁରୋଧ ଆସିଛି। କେହି ଜଣେ ‘ମଦ ମିଳିପାରିବ କି’ ବୋଲି ପ୍ରଶ୍ନ କରିଛନ୍ତି। କେବଳ ମଦ ନୁହେଁ, ବରଂ କଶ୍ମୀରରେ କେବେ ୪ଜି କାମ କରିବ? ମେ ୩୧ ୟୁପିଏସ୍‌ସି ପରୀକ୍ଷା ବାତିଲ ହେବ କି? ଷ୍ଟଡି ମ୍ୟାଟେରିଆଲ ହୋମ୍‌ ଡେଲିଭରି ହେଇ ପାରିବ କି? ଏଭଳି ଅନେକ ବିଚିତ୍ର ପ୍ରଶ୍ନ ଲୋକମାନେ ପଚାରିଛନ୍ତି। ତେବେ ସବୁଠାରୁ କୌତୁହଳପ୍ରଦ ହେଉଛି ଜଣେ ଲୋକ ଏକ ପରିବା ତାଲିକା ପଠାଇଛନ୍ତି। ଏହାକୁ ନେଇ କେତେକ ଉପହାସ କରିଥିଲେ ମଧ୍ୟ କେତେକ ଗମ୍ଭୀରତାର ସହ ନେଇ ଏହି ଅର୍ଡର କରିଥିବା ଜଣାପଡ଼ିଛି। ଏଭଳି ଅର୍ଡର ପାଇଁ କ’ଣ କରିବେ ସେ ନେଇ ଆଇପିଏସ୍‌ ଅଫିସର ଶ୍ରୀ ବୋଥ୍ରା ଚିନ୍ତାରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଜଣେ ଶିଶୁରୋଗୀଙ୍କ ମା’ଙ୍କ ଅନୁରୋଧ ପରେ ଶ୍ରୀ ବୋଥ୍ରା ନିଜ ବ୍ୟକ୍ତିଗତ ପ୍ରୟାସରେ ରାଜସ୍ଥାନରୁ ଓଟ କ୍ଷୀର ଆଣି ମୁମ୍ବାଇରେ ପହଞ୍ଚାଇଥିଲେ। ଏହାପରେ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଥିଲା। ଏଣୁ ଏଭଳି ଜରୁରୀ ସହାୟତା କରିବା ପାଇଁ ସେ ଉତ୍ସାହିତ ହୋଇଥିଲେ। ଯାହାର ଯାହା ସମସ୍ୟା ହେଉଛି ସେମାନେ ଟ୍ବିଟର ଜରିଆରେ ଜଣାଇପାରିବେ ବୋଲି ସେ ଏକ ଟ୍ବିଟ୍‌ କରିଥିଲେ। ଏବେ କ’ଣ କରିବା ବୋଲି ପ୍ରଶ୍ନ କରିବା ସହ ଏକ ସ୍ବତନ୍ତ୍ର ଗ୍ରୁପ୍‌ ତିଆରି କରିବା ପାଇଁ ସେ ଅନୁଗାମୀମାନଙ୍କର ପରାମର୍ଶ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର