ବ୍ୟବସାୟୀଙ୍କ ନିଦ ହଜାଇଲେଣି ମାସ୍କ ପିନ୍ଧା ଗ୍ରାହକ, ଅପରାଧୀ ଚିହ୍ନା ପଡ଼ିବେ କିପରି ?

ଭୋପାଳରେ ଜାରି ହେଲା ଗାଇଡଲାଇନ୍, ଭୁବନେଶ୍ବରରେ କେବେ?

ଭୁବନେଶ୍ବର: ମାର୍ଚ୍ଚ ମାସ ପୂର୍ବରୁ ସାଧାରଣତଃ କେହି ମାସ୍କ ପିନ୍ଧୁ ନ ଥିଲେ। ଯିଏ ମୁହଁରେ ମାସ୍କ ପିନ୍ଧୁଥିଲା, ତା’ର କିଛି ମନ୍ଦ ଉଦ୍ଦେଶ୍ୟ ଅଛି ବୋଲି ଲୋକେ ଭାବୁଥିଲେ। ଏପରିକି ଚୋର, ଡକାୟତମାନେ ସେମାନଙ୍କ ଯୋଜନାକୁ ସଫଳ ରୂପ ଦେବା ପାଇଁ ପ୍ରଥମ ସୁରକ୍ଷା କବଚ ଭାବେ ନିଜେ ମୁହଁରେ ମାସ୍କ ପିନ୍ଧୁଥିଲେ। ତେଣୁ ଏଟିଏମ୍‌, ବ୍ୟାଙ୍କ, ଜୁଏଲାରି, ବଡ଼ ବଡ଼ ସୋ’ ରୁମ୍‌କୁ ଗଲେ ମାସ୍କ ଖୋଲି ଭିତରକୁ ପ୍ରବେଶ କରିବାକୁ ସୁରକ୍ଷାକର୍ମୀ କହୁଥିଲେ। ଏବେ କିନ୍ତୁ ସ୍ଥିତି ଓଲଟା। ମାସ୍କ ନ ପିନ୍ଧି‌ଲେ ଭିତରକୁ ମନା। ଫଳରେ ଏହା ଏବେ ବୁମେରାଂ ହୋଇଛି। କରୋନା କଟକଣା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ପରେ ତାହାର ଫାଇଦା ଅପରାଧୀ ଉଠାଇଲେଣି। ବିଭିନ୍ନ ସ୍ଥାନରେ ଅପରାଧୀମାନେ ମୁଣ୍ଡରୁ ବେକ ପର୍ଯ୍ୟନ୍ତ ମାସ୍କ ପିନ୍ଧି ଛିନ୍‌ତାଇ, ‌ଡକାୟତି, ଚୋରି କରିବାକୁ ପଛାଉ ନାହାନ୍ତି। ଏହା ସେମାନଙ୍କୁ ସୁହାଉଥିବା ବେଳେ ସେଭଳି ଅପରାଧୀଙ୍କୁ ଧରିବା ପୁଲିସ ପାଇଁ କାଠିକର ପାଠ ହେଲାଣି। ଏପରିକି ସିସିଟିଭିରେ ଅପରାଧୀର ଲୁଟ୍‌ ଚିତ୍ର ରହିଲେ ବି ସେମାନଙ୍କୁ ଚିହ୍ନଟ କରାଯାଇପାରୁନି। ବର୍ତ୍ତମାନ ସ୍ଥିତିରେ ଜୁଏଲାରି, ବ୍ୟାଙ୍କ, ଏଟିଏମ୍‌, ପେଟ୍ରୋଲ ପମ୍ପ ଏବଂ ବହୁ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନର ଚିନ୍ତା ବଢ଼ାଇ ଦେଇଛି। କାରଣ ସମ‌ସ୍ତଙ୍କ ମୁହଁରେ ଏବେ ମାସ୍କ। କାହା ଉପରେ କେତେ ନଜର ରଖିବେ, କାହାକୁ ମାସ୍କ ଖୋଲିବାକୁ କହିବେ, ସେ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି।

ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ପ୍ରତିଷ୍ଠାନରେ ପୂରାଇ ନ ଦେବାକୁ ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଥିବାରୁ ବ୍ୟାଙ୍କ, ଜୁଏଲାରି, ପେଟ୍ରୋଲ ପମ୍ପ, ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ କିପରି ତ‌ାହାର ମୁକାବିଲା କରିବେ, ସେମାନଙ୍କ ପାଇଁ ତାହା ଚିନ୍ତାର ବିଷୟ ପାଲଟି ଯାଇଛି। ଏପଟେ କମିସନରେଟ୍‌ ପୁଲିସ ପକ୍ଷରୁ ଏନେଇ କିଛି ଗାଇଡଲାଇନ୍ ବି ଜାରି କରାଯାଇ ନାହିଁ। ପୂର୍ବରୁ ଅପରାଧୀମାନେ ଗାମୁଛା, ହେଲ୍‌ମେଟ୍‌ କିମ୍ବା ମଙ୍କି କ୍ୟାପ୍‌ରେ ମୁହଁକୁ ଢ଼ାଙ୍କି ଅପରାଧ ଘଟାଉଥିଲେ। ସହଜରେ ଚିହ୍ନା ନ ପଡ଼ିବା ବା ସିସିଟିଭିରୁ ବର୍ତ୍ତିବା ପାଇଁ ସେମାନେ ଏହି ଉପାୟ ବାଛୁଥିଲେ। ପୁଲିସକୁ ବି ଚକ୍‌ମା ଦେଉଥିଲେ। ଏହିଭଳି ଅପରାଧୀଙ୍କୁ ଧରିବାରେ ପୁଲିସ୍‌ ନାକେଦମ୍‌ ହେଉଥିଲା। ସିସିଟିଭି କ୍ୟାମେରାରେ ଅପରାଧର ଦୃଶ୍ୟ ରେକର୍ଡ ହୋଇ ରହୁଥିଲେ ମଧ୍ୟ ଅପରାଧୀ ଚିହ୍ନଟ ହୋଇ ପାରୁ ନଥିଲେ। ଏଟିଏମ୍‌ ଲୁଟ୍‌ରେ ସମ୍ପୃକ୍ତ ଅପରାଧୀମାନେ ମୁହଁକୁ ଘୋଡ଼ାଇ ସେମାନଙ୍କ ଅପରେସନ୍ ସଫଳ କରୁଥିଲେ। ସେଥିପାଇଁ ଏଟିଏମ୍ ବା ବ୍ୟାଙ୍କକୁ ଗଲା ବେଳେ ହେଲ୍‌ମେଟ୍‌ ବା ମୁଖା ପିନ୍ଧିବାକୁ ବାରଣ କରାଯାଇ ଥିଲା। କିନ୍ତୁ ଏବେ ଗାମୁଛା, ହେଲ୍‌ମେଟ୍‌ ଓ ମଙ୍କି କ୍ୟାପ୍‌ର ସ୍ଥାନ ନେଇଛି ମା‌ସ୍କ। ସମସ୍ତେ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାରୁ କାହାକୁ ଚିହ୍ନିବା ସହଜ ହେଉନାହିଁ।

ଏପରିକି ଗତ କିଛି ଦିନ ମଧ୍ୟରେ ରାଜଧାନୀ ଉପକଣ୍ଠରେ ଲଗାତାର ଭାବେ ଦିନ ଦ୍ବିପ୍ରହରରେ ଛିନ୍‌ତାଇ ହୋଇଥିଲେ ହେଁ ପୁଲିସ କାହାର ଟେର୍‌ ପାଉନି। ସିସିଟିଭିରେ ପୂରା ଦୃଶ୍ୟ ରେକର୍ଡ ହୋଇଥିଲେ ‌ବି ମାସ୍କ ଥିବାରୁ ପୁଲିସ ଅପରାଧୀଙ୍କୁ ଚିହ୍ନଟ କରିବାରେ ଫେଲ୍‌ ମାରିଛି। ସମସ୍ତେ ମୁହଁରେ ମାସ୍କ ପିନ୍ଧି ଦୋକାନକୁ ଆସୁଥିବାରୁ ବ୍ୟବସାୟୀମାନେ ଏବେ ଅଧିକ ଚିନ୍ତାରେ ପଡ଼ିଛନ୍ତି। ଜଣେ ବ୍ୟବସାୟୀଙ୍କ କହିବା କଥା, ସେମାନେ ସିସିଟିଭି ଉପରେ ଭରସା କରିଆସିଛନ୍ତି। ଏବେ କିନ୍ତୁ ସମସ୍ତେ ମୁହଁରେ ମାସ୍କ ପିନ୍ଧି ଆସୁଥିବାରୁ ସିସିଟିଭି କ୍ୟାମେରା ଫୁଟେଜ୍‌ କିଛି କାମରେ ଲାଗି ପାରୁନାହିଁ। ସମସ୍ତଙ୍କ ଫଟୋ ରହୁଥିଲେ ମଧ୍ୟ ଅପରାଧ ଘଟାଇ ପଳାଇବା ଲୋକକୁ ପରେ ଚିହ୍ନଟ କରିବା ସମ୍ଭବ ହେବ ନାହିଁ। ଏଣୁ ବ୍ୟବସାୟ ପ୍ରତିଷ୍ଠାନକୁ ପ୍ରବେଶ କଲା ବେଳେ ଯଦି କିଛି ସେକେଣ୍ଡ ପାଇଁ ମାସ୍କ ଖୋଲିବାକୁ ସରକାରୀ ନିୟମ ରହନ୍ତା, ତେବେ ଅପରାଧୀକୁ ଚିହ୍ନଟ କରିବା ସମ୍ଭବ ହୋଇପାରନ୍ତା।

ସାରା ଦେଶରେ ଏହି ସମସ୍ୟା ଦେଖା ଦେଇଥିବା ବେଳେ ମଧ୍ୟପ୍ରଦେଶର ଭୋପାଳ ସହରରେ ସ୍ଥାନୀୟ ପୁଲିସ ପକ୍ଷରୁ ଏନେଇ କିଛି ପ୍ରତିକାର ବ୍ୟବସ୍ଥା କରାଯାଇଛି। ସେଠାରେ ବ୍ୟାଙ୍କ୍‌, ଏଟିଏମ୍‌, ଜୁଏଲାରି, ସୋ’ ରୁମ୍‌ ଆଦି ବ୍ୟାବସାୟିକ ପ୍ରତିଷ୍ଠାନକୁ ପ୍ରବେଶ କଲା ବେଳେ ୧୫ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସମସ୍ତେ ମାସ୍କ ଖୋଲି ପ୍ରବଶେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ପ୍ରତ୍ୟେକ ଆଗନ୍ତୁକଙ୍କ ମୁହଁର ଫଟୋ ସିସିଟିଭିରେ ରେକର୍ଡ ହୋଇପାରିବ। କିଛି ଅପରାଧ ଘଟିଲେ, ପୁଲିସ୍‌ ଅପରାଧୀଙ୍କୁ ଧରିବା କିଛି ମାତ୍ରାରେ ସହଜ ହୋଇଯିବ। ଭୋପାଳ ଭଳି ଭୁବନେଶ୍ବରରେ କମିସନରେଟ୍‌ ପୁଲିସ ନିୟମ ଜାରି କରିବା ଦରକାର ବୋଲି ଦାବି ହେଲାଣି। ଏ ନେଇ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଯାବତ୍‌ ମାସ୍କକୁ ନେଇ ସେଭଳି କିଛି ଅଘଟଣ ଘଟିନାହିଁ। ତେଣୁ ସରକାର ଯେଉଁଭଳି ଗାଇଡଲାଇନ୍ ଜାରି କରିବେ ଆମେ ତାକୁ ପାଳନ କରିବୁ।

ସମ୍ବନ୍ଧିତ ଖବର