ଭୁବନେଶ୍ବର : ଏପ୍ରିଲ ମାସ ରାଜଧାନୀ ପାଇଁ ବିପଦପୂର୍ଣ୍ଣ ସାଜିଲାଣି। ମାସର ପ୍ରଥମ ୮ ଦିନରେ ୫୯୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ରାଜ୍ୟର ସବୁଠୁ ଅଧିକ ସଂକ୍ରମଣ ପ୍ରବଣ ସହର ପାଲଟିଛି ଭୁବନେଶ୍ବର। ହେଲେ ଏବେ ରାଜଧାନୀରେ ଲକ୍ଡାଉନ୍, ସଟ୍ଡାଉନ୍ କି ନାଇଟ୍ କର୍ଫ୍ୟୁ ଲାଗୁ ହେବାର କୌଣସି ଯୋଜନା ନାହିଁ ବୋଲି ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ରାଜଧାନୀବାସୀ ଆତଙ୍କିତ ଅଛନ୍ତି। ହେଲେ ଅଧିକାଂଶ ସଟ୍ଡାଉନ୍, ଲକ୍ଡାଉନ୍ ସପକ୍ଷରେ ନାହାନ୍ତି। ରାଜ୍ୟର ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି। ଭୁବନେଶ୍ବରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ଥିବାରୁ ଏଠାରେ ସପ୍ତାହାନ୍ତ ସଟ୍ଡାଉନ୍, ଲକ୍ଡାଉନ୍ ବା ନାଇଟ୍ କର୍ଫ୍ୟୁ ଲାଗୁ ହେବାର ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ବିଏମ୍ସି କମିସନର୍ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହା ପରେ ରାଜଧାନୀବାସୀ ଆଶ୍ବସ୍ତ ହୋଇଛନ୍ତି। ହେଲେ କମିସନର କହିଛନ୍ତି ଯେ ରାଜଧାନୀରେ କୋଭିଡ୍ କଟକଣା ଯାଞ୍ଚ କଡ଼ାକଡ଼ି କରାଯିବ। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କୁ କୋଭିଡ୍ କଟକଣା ମାନିବାକୁ ଅନୁରୋଧ କରାଯାଉଛି। ଯିଏ ମାସ୍କ ନ ପିନ୍ଧିବେ, ସାମାଜିକ ଦୂରତା ରଖିବେନି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନ, ଛାତ୍ରାବାସଗୁଡ଼ିକରେ ଫ୍ଲାଇଂ ସ୍କ୍ବାଡ୍ ଚେକିଂ କରୁଛି। ହାଟ, ବଜାର, ମଲ୍, ସୋ’ରୁମ୍, ପାର୍କ ଆଦିରେ ଚେକିଂ ଚାଲିଛି। ତେଣୁ ଲୋକମାନେ କୋଭିଡ୍ କଟକଣା ମାନି ସବୁ କାମ କରିବାକୁ କମିସନର୍ ଅନୁରୋଧ କରିଛନ୍ତି।
ଅପରପକ୍ଷେ ଆଜି ଲଗାତର ତୃତୀୟ ଦିନ ପାଇଁ ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଆଜି ସର୍ବାଧିକ ୧୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୨୦ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୮୮ଜଣ। ଖଣ୍ଡଗିରିରୁ ସର୍ବାଧିକ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୁଣା ଭୁବନେଶ୍ବରରୁ ୭ଜଣ, ନୂଆପଲ୍ଲୀ ଓ ପଟିଆରୁ ୫ଜଣ ଲେଖାଏଁ, ସତ୍ୟନଗର ଓ ଶୈଳଶ୍ରୀବିହାରରୁ ୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ରାଜଧାନୀର ସବୁ ଅଞ୍ଚଳରୁ ଜଣେ, ଦୁଇଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ଗତ ତିନି ଦିନରେ ପୂରା ରାଜଧାନୀରେ କରୋନା ଆକ୍ରାନ୍ତ ଛାଇଗଲେଣି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୪୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/m30.jpg)