ଏଣିକି ପଞ୍ଚାୟତ ଟିମ୍‌ ଆଦାୟ କରିବ ଜରିମାନା

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତି ସଭା କକ୍ଷରେ ଆଜି କୋଭିଡ୍‌ ସତର୍କତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଧା ଜିଲ୍ଲାପାଳ ସନତ ମହାନ୍ତି ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ହାର ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ନୂତନ ନିୟମାନୁଯାୟୀ ସରପଞ୍ଚମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଏଣିକି ପ୍ରତି ପଞ୍ଚାୟତରେ ସରପଞ୍ଚମାନଙ୍କୁ ନେଇ ଗଠିତ କମିଟି ନିଜ ୱାର୍ଡରେ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବେ। ଛକ ବଜାରରେ ଅମାନିଆ ଏବଂ ସାହି ତଥା ବସ୍ତିରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କଠାରୁ ଜରିମାନା ଅସୁଲ କରିବେ। ଯଦି ଅମାନିଆମାନେ ସେମାନଙ୍କୁ ବିରୋଧ କରିବେ, ତେବେ ଥାନାରେ ଅଭିଯୁକ୍ତଙ୍କ ନାଁରେ ଏତଲା ଦାୟର କରିବେ। ସରପଞ୍ଚ, ୱାର୍ଡ ସଭ୍ୟ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ମହିଳାମଣ୍ଡଳ କାର୍ଯ୍ୟକର୍ତ୍ତା କମିଟିରେ ସଦସ୍ୟ ଅଛନ୍ତି।

ଏହାଛଡ଼ା ଗ୍ରାମ ଏବଂ ସାହିରେ ଅଧିକାଂଶ ବ୍ୟବସାୟୀ ଦିନ ୧୧ଟା ପରେ ଆଗପଟେ ଦୋକାନ ବନ୍ଦ କରି ଭିତରେ ରହି ଗଳାବାଟେ କାରବାର ଚଳାଇଛନ୍ତି। ସଂପୃକ୍ତ ଅମାନିଆ ବ୍ୟବସାୟୀମାନଙ୍କ ଗୁପ୍ତ ନାମ ତାଲିକା କମିଟି ସଦସ୍ୟମାନେ ସରପଞ୍ଚ, ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ପ୍ରଦାନ କରିବେ। ତହସିଲଦାର ଏବଂ ଥାନା ଅଧିକାରୀ ସେଠାରେ ଚଢ଼ଉ କରି ୫୦୦ରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବେ।
ବୈଠକରେ ବିଡିଓ ଜୟଦେବ ଦାଶଙ୍କ ସମେତ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ସରପଞ୍ଚ ଭାଗ୍ୟଧର ନନ୍ଦୀ, ସୂର୍ଯ୍ୟ ନାରାୟଣ ଦାସ ଏବଂ ଜୟଦେବ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର