ଦୁର୍ବଳ ହେଲାଣି ପୁଲିସ୍‌ ଖବରି ବ୍ୟବସ୍ଥା, ଅଧିକାଂଶ ମାମଲାରେ ମିଳୁନି ସଫଳତା

ସଫଳ ଅନୁସନ୍ଧାନ ହାର ୨୦ ପ୍ରତିଶତ

ଭୁବନେଶ୍ବର(ବିବୁଧ ମହାନ୍ତି): ସମ୍ପ୍ରତି ଅପରାଧ ହାର ବଢ଼ିବଢ଼ି ଚାଲିଛି। କିନ୍ତୁ ପୁଲିସର ଅନୁସନ୍ଧାନ ହାର ସେହି ଅନୁପାତରେ ବଢ଼ି ପାରୁନି। କେତୋଟି ବଡ଼ବଡ଼ ସଂଗିନ୍ ମାମଲାକୁ ଛାଡ଼ି ଦେଲେ ପୁଲିସ ବହୁ ମାମଲାରେ ଅପରାଧୀଙ୍କୁ ଠାବ କରି ପାରୁନାହିଁ। ଏକ ଆକଳନ ଅନୁସାରେ, ସଫଳ ଅନୁସନ୍ଧାନ ହାର ମାତ୍ର ୨୦ ପ୍ରତିଶତ। ଅର୍ଥାତ୍ ୮୦ ଶତକଡ଼ା ମାମଲାରେ ପୁଲିସର ଅନୁସନ୍ଧାନ ସଫଳ ଭାବେ କାମ କରୁନାହିଁ। ଏହା ପଛରେ ଥିବା ମୂଳ କାରଣଟି ହେଉଛି ପୁଲିସର ଖବରି ବ୍ୟବସ୍ଥା(ସୋର୍ସ) ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ପୁଲିସ୍‌ ଲୋକଙ୍କଠାରୁ ଦୂରେଇ ରହୁଥିବାରୁ ଏଭଳି ସ୍ଥିତି ଉପୁଜୁଛି। ବିଭିନ୍ନ ମାମଲାରେ ପୁଲିସ ଲୋକଙ୍କ ବିଶ୍ବାସଭାଜନ ହୋଇପାରୁ ନଥିବାରୁ ଲୋକେ ପୁଲିସର ନିକଟତର ହୋଇ ପାରୁନାହାନ୍ତି। ‘ଆମ ପୁଲିସ, ଆମ ସୁରକ୍ଷା’ ସ୍ଲୋଗାନ୍ କେବଳ କଥାରେ ରହି ଯାଇଛି। ପତି-ପତ୍ନୀ କନ୍ଦଳ, ଜମିବାଡ଼ି ଗଣ୍ଡଗୋଳ, ପ୍ରେମ-ପ୍ରତାରଣା ମାମଲା ଓ ସଡ଼କ ଦୁର୍ଘଟଣା ଭଳି ଘଟଣାରେ ସାଧାରଣ ଲୋକେ ପୁଲିସର ସହଯୋଗ ପାଇଲେ, ପୁଲିସ ସେମାନଙ୍କର ବିଶ୍ବାସଭାଜନ ହୋଇଥାଏ। ପରବର୍ତ୍ତୀ ସମୟରେ ପୁଲିସଠାରୁ ସହଯୋଗ ପାଇଥିବା ଲୋକମାନେ ହିଁ ପୁଲିସର ଖବରି ପାଲଟି ଯାଆନ୍ତି। ସେମାନଙ୍କ ଜରିଆରେ ସାହି, ବସ୍ତି ଓ କଲୋନିର ଛୋଟବଡ଼ ସମସ୍ତ ଘଟଣାର ବିବରଣୀ ପୁଲିସ ପାଖରେ ପହଞ୍ଚି ଯାଇଥାଏ। ଫଳରେ ବିଭିନ୍ନ ମାମଲା ସମାଧାନରେ ପୁଲିସକୁ ସହଜ ହୋଇଥାଏ। କିନ୍ତୁ ଏବେ ସେମିତି ସମୟ ଆଉ ନାହିଁ। ପୁଲିସକୁ ଲୋକେ ଭରସା କରି ପାରୁନାହାନ୍ତି, ବରଂ ପୁଲିସଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି। ଫଳରେ ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ଅପରାଧୀଙ୍କ ରେକର୍ଡ ପୁଲିସ ନିକଟରେ ନାହିଁ। ବିଭିନ୍ନ ନୂଆ କଲୋନି ବା ବସ୍ତିମାନଙ୍କରେ ଛପି ରହୁଥିବା ଅପରାଧୀଙ୍କ ବାବଦରେ ପୁଲିସ ସୁରାକ୍‌ ପାଉନାହିଁ। ତେଣୁ ରାଜଧାନୀରେ ଅପରାଧ ଘଟାଇ ଦୁର୍ବୃତ୍ତମାନେ ବଡ଼ ଅନାୟାସରେ ଚମ୍ପଟ ମାରୁଛନ୍ତି ଓ ସେହି କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଅନ୍ତ ଘଟୁନାହିଁ। ନିକଟରେ ଏକ ବାଇକ୍‌ ଲୁଟେରା ଚୋରା ବାଇକ୍‌ ଧରି ସହର ସାରା ଚକ୍କର କାଟୁଥିଲେ ବି ତାକୁ ଠାବ ନ କରି ପାରିବା ହେଉଛି ଏହାର ବଡ଼ ନମୁନା। ସେହିଭଳି ସିସିଟିଭି କ୍ୟାମେରାରେ ଚୋରି, ଡକାୟତି ମାମଲାର ଅଭିଯୁକ୍ତମାନଙ୍କ ଫଟୋ ରହିଥିଲେ ମଧ୍ୟ ପୁଲିସ ଚିହ୍ନି ପାରୁନାହିଁ। ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ଘନଘନ ଲୁଟ୍‌ତରାଜ ଓ ଛିନ୍‌ତାଇ କରୁଥିବା ଦୁଇ ଲୁଟେରାଙ୍କ କଥା ମଧ୍ୟ ପୁଲିସର ଦୁର୍ବଳ ଖବରି ବ୍ୟବସ୍ଥାର ବଡ଼ ଉଦାହରଣ। ସେହିପରି ଗତ ୨୦ ତାରିଖ‌ ଦିନ ଧଉଳି ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଦୁଇ ସ୍ଥାନୀୟ କୁଖ୍ୟାତ ଲୁଟେରା ଚେନ୍‌ ଛିନ୍‌ତାଇ କରିଥି‌ଲେ ହେଁ ଧଉଳି ଥାନାରେ ସେମାନଙ୍କ ନାମରେ ମାମଲା ନଥିବା ଆଶ୍ଚର୍ଯ୍ୟର ବିଷୟ। ତେବେ ଲୁଟ୍‌ ବେଳେ ଦୁର୍ଘଟଣାର ଶିକାର ହେବା ପରେ ପୁଲିସ ସେମାନଙ୍କ ବିଷୟରେ ଜାଣିବାକୁ ପାଇଥିଲା। ପୁଲିସ୍‌ର ଦୁର୍ବଳ ଖବରି ବ୍ୟବସ୍ଥାର ଏହା ଆଉ ଏକ ନମୁନା ବୋଲି କୁହାଯାଉଛି।

ଖବର ପାଇଁ ‘ଆପୋସ’
ତେବେ ସୋର୍ସ ବା ଖବରି ତିଆରି କରିବା ପାଇଁ କମିସନରେଟ୍‌ ପୁଲିସ ‘ଆପୋସ’ ଯୋଜନା ଜରିଆରେ ଅଣ୍ଟା ଭିଡ଼ିଥିଲା। ବସ୍ତିରେ ଥିବା ବିଭିନ୍ନ କ୍ଲବ୍‌କୁ କ୍ରୀଡ଼ା ସରଞ୍ଜାମ ପ୍ରଦାନ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକମାନେ କ୍ରୀଡ଼ାରେ ମଜ୍ଜି ରହିଲେ ଅପରାଧ ଆଡ଼କୁ ମୁହାଁଇବେ ନାହିଁ ଓ ପୁଲିସକୁ ସେମାନେ ବିଭିନ୍ନ ଖବର ଯୋଗାଇବେ। କିନ୍ତୁ ଏହି ଯୋଜନାରେ ପୁଲିସକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ। କାରଣ ଖବରି ବ୍ୟବସ୍ଥା ଏକ ବ୍ୟକ୍ତିଗତ ବ୍ୟବସ୍ଥା ଓ ଏଥିରେ ସମ୍ପୃକ୍ତ ହେବାକୁ ଥିବା ବ୍ୟକ୍ତିର ରୋଜଗାର ନିହିତ ଥାଏ।

ଡରୁଛନ୍ତି ଖବରି
ଏବେ ପୁଲିସକୁ ଖବର ଦେବାକୁ ଲୋକେ ଡରୁଛନ୍ତି। ବେଳେବେଳେ ପୁଲିସ ସେମାନଙ୍କ ନାମ ପଦାରେ ପକାଇ ଦେଉଥିବାରୁ ସେମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି, କଟକ ରୋଡ୍‌ରେ ଜଣେ ଶିଖ୍‌ ବ୍ୟକ୍ତିଙ୍କୁ ହୋଇଥିବା ଆକ୍ରମଣ ମା‌ମଲା‌। ଆକ୍ରମଣର ଶିକାର ହେବା ଆଶଙ୍କାରେ ସେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଫୋନ୍‌ କରି ବାହାରକୁ ଡାକିବାରୁ ସେ ଆକ୍ରମଣର ଶିକାର ହେଲେ। ପୁଲିସ୍‌ ଉପସ୍ଥିତିରେ ମାଡ଼ ମାରି ତାଙ୍କୁ ଅଭିଯୁକ୍ତମାନେ ଲହୁଲୁହାଣ କରିଥିଲେ। ତେଣୁ ପୁଲିସକୁ ଖବର ଜଣାଇବା ପରେ ଜଣେ ସାଧାରଣ ଲୋକ ପ୍ରାଣାନ୍ତକ ଆକ୍ରମଣର ଶିକାର ହେବାରୁ ଅନ୍ୟମାନେ ସ୍ବତଃ ଡରୁଛନ୍ତି। ଏଭଳି ଅନେକ ଉଦାହରଣ ରହିଛି ଯେଉଁଥିପାଇଁ ପୁଲିସକୁ ଖବର ଦେବାକୁ ଖବରିମାନେ ଡରୁଛନ୍ତି।

ସଫଳ ଅନୁସନ୍ଧାନ ହାର ନଗଣ୍ୟ
ତଥ୍ୟ ଅନୁସାରେ କେବଳ ଭୁବନେଶ୍ବରରେ ମାସକୁ ହାରାହାରି ୧୬୦ଟି ଚୋରି ମାମଲା ରୁଜୁ ହେଉଛି। କିନ୍ତୁ ସଫଳ ଅନୁସନ୍ଧାନ ହାର ମାତ୍ର ୨୦ ପ୍ରତିଶତ ରହିଛି। ଚୋରି ଭିନ୍ନ ଅନ୍ୟ ସମସ୍ତ ମାମଲାକୁ ହିସାବକୁ ନେଲେ ଅନୁସନ୍ଧାନ ହାର ଆହୁରି କମିବ ବୋଲି କୁହାଯାଉଛି। ତେବେ କାହିଁକି ପୁଲିସ୍‌ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ପାରୁନାହିଁ? କାହିଁକି ପୁଲିସ ଅପରାଧୀମାନଙ୍କ ବାବଦରେ ସୁରାକ୍‌ ପାଉନାହିଁ?

ଖବରି ଖର୍ଚ୍ଚ କାଟ୍
ଛୋଟ ବଡ଼ ଖବର ପହଞ୍ଚାଇବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ସୋର୍ସ ଖଞ୍ଜିଥାଏ। ସ୍ବତନ୍ତ୍ର ଖବରିଙ୍କୁ ପୁଲିସ ସୁରକ୍ଷା ଦେବା ସହ ସେମାନଙ୍କର ପରିଚୟ ଗୋପନ ରଖିଥାଏ। ଏଥିପାଇଁ ପୁଲିସକୁ କିଛି ଖର୍ଚ୍ଚ କରିବାକୁ ପଡ଼େ ମଧ୍ୟ। ସୁରକ୍ଷା ସହ ଖବରିମାନଙ୍କୁ ଆର୍ଥିକ ସହାୟତା ବଡ଼ ପ୍ରସଙ୍ଗ। ବିଶେଷକରି ବସ୍ତି ଓ ବିଭିନ୍ନ ସାହିମାନଙ୍କ‌ରେ ସୋର୍ସ ରଖିବା ପାଇଁ ପୁଲିସକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସୋର୍ସ ବାବଦ ଖର୍ଚ୍ଚ ଟଙ୍କା ସରକାର ବହନ କରନ୍ତି। ଥାନାକୁ ମିଳୁଥିବା କଣ୍ଟିଜେନ୍‌ସି ପାଣ୍ଠିରୁ ଏହି ଖର୍ଚ୍ଚ କରାଯାଇଥାଏ। ଏବେ ସରକାର ଏହି ପାଣ୍ଠି ବାବଦରେ ମାସିକ ୪୦ ହଜାର ଟଙ୍କା ଖର୍ଚ୍ଚ ପାଇଁ ଦେଉଛନ୍ତି। କିନ୍ତୁ ଏଥିରୁ ସୋର୍ସ ବାବଦ ଖର୍ଚ୍ଚ କରାଯାଉନାହିଁ। ବରଂ ଥାନା ସାମ୍ନାରେ ଫୁଲକୁଣ୍ଡ ସଜା ଯାଇଛି। ବିଭିନ୍ନ ଥାନା ସାମ୍ନାରେ ଏବେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇ ଫୁଲକୁଣ୍ଡ ସଜା ଯାଉଛି। ତେବେ କେତେକ କ୍ଷେତ୍ରରେ ବରିଷ୍ଠ ନାଗରିକ, ଭଦ୍ର ମହିଳାମାନେ ମଧ୍ୟ ସୋର୍ସ ଭାବରେ କାମ କରିଥାନ୍ତି। ଏଭଳି କ୍ଷେତ୍ରରେ ପୁଲିସକୁ ଖର୍ଚ୍ଚ କରିବାକୁ ପଡ଼ିନଥାଏ।

ଦକ୍ଷ ଅଫିସରଙ୍କ ସୋର୍ସ ଭଲ
ଦକ୍ଷ ଅଫିସର୍‌ମାନେ ଭଲ ସୋର୍ସ ତିଆରି କରନ୍ତି। କାରଣ ସେମାନେ ସୋର୍ସ ପିଛା ଅଧିକ ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ। କଣ୍ଟିଜେନ୍‌ସି ପାଣ୍ଠିକୁ ଅପେକ୍ଷା ନକରି ସେମାନେ ନିଜ ହାତରୁ ଖର୍ଚ୍ଚ କରନ୍ତି। ଏଣୁ କେତେକ ଅଫିସରଙ୍କ ମାନସିକତାରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ୍‌।

ସମ୍ବନ୍ଧିତ ଖବର