ପଲିଥିନ୍‌/ପ୍ଲାଷ୍ଟିକ୍‌ ବ୍ୟବହାରକାରୀ ସାବଧାନ! ଏଣିକି ତଣ୍ଡ

ଭୁବନେଶ୍ବର: ପଲିଥିନ୍‌/ପ୍ଲାଷ୍ଟିକ୍‌ ବ୍ୟବହାରକାରୀ ସାବଧାନ! ନିୟମ ନ ମାନିଲେ ଗଣିବାକୁ ପଡ଼ିପାରେ ତଣ୍ଡ। ୧୦ କି ୨୦ ଟଙ୍କା ନୁହେଁ। ସାଧାରଣ ଲୋକଙ୍କ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦ୍ବିତୀୟ ଥରକୁ ୫୦୦, ତୃତୀୟ ଥରକୁ ଏକ ହଜାର। ଆଉ ଶେଷକୁ ‌ଫୌଜଦାରୀ ମାମଲା ରୁଜୁ ହୋଇପାରେ। ଗତ ଅକ୍ଟୋବର ୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଲିଥିନ୍‌/ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଥିଲା। ତା’ ପରେ ବି ସହର ସାରା ବେଧଡ଼କ ଭାବେ ପଲିଥିନ୍‌ ବ୍ୟବହାର ହେଉଥିଲା। ସରକାରୀ କଟକଣାର କାର୍ଯ୍ୟକାରିତା ନେଇ ବିଭିନ୍ନ ଆଡ଼ୁ ପ୍ରଶ୍ନ ଉଠିବା ପରେ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଏଥିସହ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ବି ଚେଇଁ ଉଠିଛି। କଟକଣାକୁ ଆଜିଠାରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ୨୦୧୮ ସେପ୍ଟେମ୍ବର ୨୯‌ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୩୦ ଦିନ ସମୟ ଦିଆଯାଇଥିଲା। ବୁଧବାର ଏହାର ଅବଧି ଶେଷ ହେବା ପରେ ଆଜି ବିଏମ୍‌ସି ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଛି। ବିଏମ୍‌ସି ସ୍କ୍ବାଡ୍‌ଗୁଡ଼ିକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ପଲିଥିନ୍‌/ପ୍ଲିଷ୍ଟିକ୍‌ ସାମଗ୍ରୀଗୁଡ଼ିକୁ ଜବତ କରିଛି।

ଅନ୍ୟପକ୍ଷରେ ଆଜି ବସିଥିବା ବିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ପଲିଥିନ୍‌ ବ୍ୟବହାରକାରୀଙ୍କ ବିରୋଧରେ କେତେ ପରିମାଣର ଜରିମାନା ଲାଗୁ ହେବ ତାହା ନିଷ୍ପତ୍ତି ହୋଇଛି। କେଉଁ ପ୍ରକାର ସଂସ୍ଥା ବିରୋଧରେ କେତେ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ତାହାକୁ କାଉନସିଲ୍‌ ବୈଠକରେ ମୋହର ଲଗାଯାଇଛି। ଖାଦ୍ୟ ବ୍ୟବସାୟୀ ଯଥା: ମିଠା, ସ୍ନାକ୍ସ, ଫାଷ୍ଟଫୁଡ୍‌, ଆଇସ୍‌କ୍ରିମ୍‌, ଆଖୁ, ଜୁସ୍‌, ପରିବା, ମାଂସ ‌ଦୋକାନୀଙ୍କୁ ପ୍ରଥମ ଥର ପାଇଁ ୫୦୦ ଟଙ୍କା ଜରିମାନା ହେବ। ପରବର୍ତୀ ସମୟରେ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ଫୌଜଦାରୀ ମାମଲା ଓ ବ୍ୟବସାୟ ଲାଇସେନ୍ସ ବାତିଲ୍‌ ହେବା ପରି କାର୍ଯ୍ୟାନୁଷ୍ଠାନ ହୋଇପାରେ। ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କ ପାଇଁ ସର୍ବନିମ୍ନ ଏକ ହଜାର, ତାରକା ହୋଟେଲ ପାଇଁ ସର୍ବନିମ୍ନ ଦୁଇ ହଜାର ପର୍ଯ୍ୟନ୍ତ ଜରିମାନା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସରକାରୀ ଓ ଘରୋଇ ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡ଼ିକ ବିରୋଧରେ ୫୦ ହଜାର ଟଙ୍କା ଜରିମାନା ହେବାର ସମ୍ଭାବନା ରହିଛି। ଏହାପରେ ବି ଯଦି ପଲିଥିନ୍‌/ପ୍ଲାଷ୍ଟିକ୍‌ ବ୍ୟବହାର ହୁଏ ତେବେ ଫୌଜଦାରୀ ମାମଲା/ଲାଇସେନ୍ସ ବାତିଲ୍‌ ପରି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସ୍ଥିର ହୋଇଛି। ଅନ୍ୟପକ୍ଷରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ରାଜଧାନୀର କୌଣସି ହିତାଧିକାରୀ ଚିହ୍ନଟ ହୋଇ ନଥିବାରୁ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ବିଏମ୍‌ସି ବୈଠକରେ କିଛି ସମୟ ପାଇଁ ହୋହଲ୍ଲା ହୋଇଥିଲା। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଏଥିସହ ସହରର ରାସ୍ତାଘାଟଗୁଡ଼ିକ ମରାମତି ହେଉ ନଥିବାରୁ କର୍ପୋରେଟର୍‌ମାନେ ଗତଥର ପରି ଏଥର ମଧ୍ୟ ପ୍ରଶ୍ନ ଉଠାଇଥିଲେ। କେବେ ସୁଦ୍ଧା ମରାମତି କରାଯିବ ତାହାର ଜବାବ ମାଗିଥିଲେ। ହକି ବିଶ୍ବକପ୍‌ ପୂର୍ବରୁ ସମସ୍ତ ରାସ୍ତାର ମରାମତି ସରିବ ବୋଲି ଏଥର ବି ପ୍ରତିଶ୍ରୁତି ମିଳିଛି।

ଷ୍ଟ୍ରିଟ୍‌ ଲାଇଟ୍‌ ନଜଳିଲେ ଜରିମାନା
ସହରର ବିଭିନ୍ନ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇଥିବା ସଂସ୍ଥା ବିରୋଧରେ ଏଣିକି କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ସ୍ଥାନରେ ୪୮ ଘଣ୍ଟା ଧରି ଲାଇନ୍‌ ଜଳୁ ନଥିବା ଅଭିଯୋଗ ଆସେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯିବ। ସମ୍ପୃକ୍ତ ସଂସ୍ଥାଠାରୁ ଗୋଟିଏ ଲାଇଟ୍‌ ପିଛା ପ୍ରତିଦିନ ୧୫ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ।

ଆଜିଠାରୁ ବିଇସି ମାଧ୍ୟମରେ ସମସ୍ତ ଅଭିଯୋଗ
ଭୁବନେଶ୍ବର ସ୍ମାର୍ଟ ସିଟିର ଜନ ସହଯୋଗ କେନ୍ଦ୍ର ପ୍ରଚଳନ ଯୋଗୁଁ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରୁଥିବା ବର୍ଷା ଜଳ ନିଷ୍କାସନ ଅଭିଯୋଗ ଗ୍ରହଣ କେନ୍ଦ୍ର ଓ ସାଧାରଣ ଅଭିଯୋଗ କେନ୍ଦ୍ରକୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ନଭେମ୍ବର ପହିଲାରୁ ସମସ୍ତ ଅଭିଯୋଗ ଏକକ ବ୍ୟବସ୍ଥା ଭୁବନେଶ୍ବର ଅପରେସନ ‌ସେଣ୍ଟର(ବିଇସି) ମାଧ୍ୟମରେ ନିଃଶୁକ୍ଳ ନମ୍ବର (୧୮୦୦-୩୪୫-୦୦୬୧) ଓ ଭୁବନେଶ୍ବର ୱାନ୍‌ ହ୍ବାଟସ୍‌ ଆପ୍‌ ହେଲପ୍‌ ଲାଇନ୍‌ ନମ୍ବର ୮୫୯୯୦୭୧୯୦୦ ଦ୍ବାରା କରାଯିବା ପାଇଁ ସ୍ଥିର ‌ହୋଇଛି।

ପଦଯାତ୍ରା ଯୋଗୁଁ ଅପରାହ୍ଣରେ ବୈଠକ
ପ୍ରତିଥର ବିଏମ୍‌ସି କାଉନ୍‌ସିଲ୍‌ ବୈଠକ ପୂର୍ବାହ୍ଣରେ ବସିଥାଏ। ଏଥର କିନ୍ତୁ ବିଳମ୍ବରେ ବସିଛି। ଆଜି ପୂର୍ବାହ୍ନରେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହେଉଥିବାରୁ ସେଠାରେ ବିଜେଡିର ସମସ୍ତ କର୍ପୋରେଟର୍‌, ମେୟର, ବିଧାୟକ ଉପସ୍ଥିତ ଥିଲେ। ତେଣୁ କାଉନସିଲ୍‌ ବୈଠକକୁ ଅପରାହ୍ଣକୁ ଘୁଞ୍ଚାଇ ଦିଆଯାଇଥିଲା। ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଅତିରିକ୍ତ କମିସନର ଶୁଭମ୍ ସାକ୍ସସେନା ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର