ଏବେଠୁ ଡହଳବିକଳ, ଟ୍ୟାପ୍ ଅଛି ପାଣି ଆସୁନି

ଭୁବନେଶ୍ବର: ମାର୍ଚ୍ଚ ମାସ ନସରୁଣୁ ରାଜଧାନୀରେ ଜଳ ସଂକଟ ଦେଖାଦେଲାଣି। ଲୋକଙ୍କୁ ପିଇବାକୁ ପାଣି ମିଳୁନି। ପାଣି ପାଇଁ ରାଜଧାନୀବାସୀ ପୂରା ଡହଳବିକଳ ହେଲେଣି। ସମ୍ଭ୍ରାନ୍ତ ଅଞ୍ଚଳରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ ସବୁଠି ଏବେ ପାଣି ସଙ୍କଟ। ନା ନଳକୂପରୁ ବାହାରୁଛି ନା ଜନସ୍ବାସ୍ଥ୍ୟ ବିଭାଗ ପାଣି ଯୋଗାଇ ପାରୁଛି। କେଉଁଠି ୧୦ଥର ଟ୍ୟୁବୱେଲ୍‌ ମାରିଲେ ପାଣି ବୁନ୍ଦେ ବାହାରିବା ଦୂରର କଥା ପବନ ସୁ ସୁ ହୋଇ ବାହାରିଯାଉଛି ତ କେଉଁଠି ଟ୍ୟାପ୍ ଲାଗିଛି ପାଣି ଆସୁନି। ଯେଉଁଠି ଟିକେ ପାଣି ମିଳୁଛି ସେଠାରେ ଗରା, ଡେକ୍‌ଚି ଥାକ ମାରି ଲୋକ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ପାଣି ପାଇଁ ଏହି ବିକଳ ଅବସ୍ଥା ଦେଖା ଦେଇଥିଲେ ହେଁ ସମସ୍ତେ ଉପାୟଶୂନ୍ୟ। ବସ୍ତି ଏବଂ ବିଭିନ୍ନ ଅଞ୍ଚଳରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ମାଧ୍ୟମ‌ରେ ପାଣି ଯୋଗାଇବାରେ ବିଏମ୍‌ସି ଓ ଜନସ୍ବାସ୍ଥ୍ୟ ବିଭାଗ ଫେଲ୍‌ ମାରିଥିବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ଯେତେବେଳେ ପାଣି ଯୋଗାଇବା ନିତାନ୍ତ ଆବଶ୍ୟକ ସେତିକିବେଳେ ଏହି ଦୁଇ ସଂସ୍ଥା ହାତ ଟେକି ବସି ଯାଇଛନ୍ତି। ପ୍ରତ୍ୟେକ ବର୍ଷ ଖରାଦିନ ଆସିଲେ ବିଏମ୍‌ସି ଓ ଜନସ୍ବାସ୍ଥ୍ୟ ବିଭାଗ ଟ୍ୟୁବ୍‌ୱେଲ୍‌ ଖୋଳିବା, ଷ୍ଟାଣ୍ଡପୋଷ୍ଟ ଲଗାଇବା, ନୂଆ ସଂଯୋଗ ଦେବା ଆଦି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଖରାଦିନେ ଲୋକ ପାଣି ପାଇଁ ଯେମିତି ବିକଳ ହେବା କଥା ହେଉଛନ୍ତି।

ପାଇପ୍‌ରୁ ବାହାରୁଛି ଗୋଳିଆ ପ‌ାଣି
ପୁରୁଣା ଭୁବନେଶ୍ୱର: ପିଏଚ୍‌ଡି ପାଇପରୁ ବାହାରୁଛି ନର୍ଦ୍ଦମା ମିଶା ପାଣି। ଗୋସା‌ଗରେଶ୍ୱର, ବ୍ୟାଙ୍କ କଲୋନି, ଗୋବି‌ନ୍ଦେଶ୍ୱର ରୋଡ୍‌ ଅଞ୍ଚଳରେ ରହୁଥିବା ଲୋକେ ଆଜି ଏପରି ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଘରକୁ ଆସୁଥିବା ଯୋଗାଣ ପାଣି ଗୋଳିଆ ଓ ଦୁର୍ଗନ୍ଧଯୁକ୍ତ। ୩ ଦିନ ହେଲା ଏପରି ସମସ୍ୟା ଯୋଗୁଁ ଲୋକେ ପାଣିକୁ ଫୁଟାଇ ପିଉଛନ୍ତି। ସେହିପରି ଏହି ଗୋଳି ପାଣିରେ ଲୋକେ ଗାଧୋଉ ନାହାନ୍ତି। ପ୍ରାୟ ଶତାଧିକ ପରିବାର ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେବା ପରେ ପିଏଚ୍‌ଡି କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପିଏଚ୍‌ଡି ଏସ୍‌ଡିଓ ନୃସିଂହ ଚରଣ ସାହୁ ବିଭିନ୍ନ ଗଳି ବୁଲି ଡ୍ରେନ୍‌ ସହ ପିଏଚ୍‌ଡି ଲାଇନ୍‌ର ସଂଯୋଗକୁ ଖୋଜିଥିଲେ। କିନ୍ତୁ କେଉଁ ଜାଗାରେ ପିଏଚ୍‌ଡି ପାଣି ସହ ଡ୍ରେନ୍‌ ପାଣି ମିଶୁଛି, ତାହା ପାଇବାରେ ସଫଳ ହୋଇପାରିନାହାନ୍ତି। ଏସ୍‌ଡିଓ ଗଳିକନ୍ଦି ବୁଲିବା ବେଳେ ଲୋକେ ତାଙ୍କୁ ଗୋଳିଆ ପାଣି ଦେଖାଇବା ସହ ଡ୍ରେନ୍‌ ସହ କେଉଁଠାରେ ସଂଯୋଗ ହୋଇଛି ବୋଲି କହିଥିଲେ।
ଅପରପକ୍ଷେ ପାଣି ଯୋଗାଣ ଠିକ୍ ହେଉ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଏଚ୍‌ଡି ପକ୍ଷରୁ ହେଉଥିବା ପାଣି ଯୋଗାଣ ଲୋକଙ୍କୁ ନିଅଣ୍ଟ ହେଉଛି। ବିଶେଷକରି ହରଚଣ୍ଡୀ ସାହି, ନାରଦ ସାହି, ଗୋଡ଼ିପୋଖରୀ ସାହି, ଚେମେଡ଼ି ସାହି, ଗୋବିନ୍ଦେଶ୍ବର ଲେନ୍‌, ବଡ଼ଦାଣ୍ଡ ସାହି, ପୂଜାପଣ୍ଡା ସାହି, ପାଟଣା ସାହି, ରାମେଶ୍ବର ପାଟଣା ଆଦି ଅଞ୍ଚଳରେ ପାଣି ପାଇଁ ସମସ୍ୟା ଦେଖାଦେଇଛି। ଗ୍ରୀଷ୍ମଦିନ ହେତୁ ଏଠାରେ କୂଅଗୁଡ଼ିକର ଜଳସ୍ତର ଲଗାତାର କମୁଛି। ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ପିଏଚ୍‌ଡି ପକ୍ଷରୁ ଅଧିକ ସମୟ ପାଣି ଯୋଗାଣ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର