ଖଣ୍ଡଗିରି: ପୂରା ଗାଁ ତ ନୁହେଁ, କେବଳ ଆଦିବାସୀ ସାହିକୁ ପାଇପ୍ ଦ୍ବାରା ପାନୀୟ ଜଳ ଯୋଗାଣ ହେଉଥିଲା। ଉକ୍ତ ପ୍ରକଳ୍ପ ବି ଭାଙ୍ଗିଗଲା। ମାସେ ହେଲା ପ୍ରକଳ୍ପ ଅଚଳ। ଫଳରେ ଏବେ ପୂରା ଗାଁ ପାନୀୟ ଜଳ ଯୋଗାଣରୁ ବଞ୍ଚିତ। ମୁଣ୍ଡ ଉପରେ ଖରା ଦିନ। ଏବେଠାରୁ ଗ୍ରାମବାସୀମାନେ ଡହଳବିକଳ ହେଲେଣି। କିନ୍ତୁ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ବସିଛି ବୋଲି ଗ୍ରାମବାସୀମାନଙ୍କ ଅଭିଯୋଗ। ଏ ହେଉଛି ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ମଦନପୁର ପଞ୍ଚାୟତ ଦେଉଳିଆପାଟଣା ଗାଁର ଅବସ୍ଥା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ହେଲା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହେଉଥିଲେ ବି ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଭୂତଳ ଜଳ ଅଭାବ ଦର୍ଶାଇ ଗ୍ରାମବାସୀମାନଙ୍କୁ ଭୁଆଁ ବୁଲାଯାଉଛି। ଭୂତଳ ଜଳ ଅଭାବ ବଦଳରେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରିବା ନାଁ ଧରୁନାହିଁ ଜିଲ୍ଲା ପ୍ରଶାସନ। ଗାଁ ଗହିରର ଏକ ଚୁଆରୁ ଆଦିବାସୀ ସାହିକୁ ପାଇପ୍ ଯୋଗେ ଜଳ ଯୋଗାଣ କରାଯାଉଥିଲା। ମାତ୍ର ଉକ୍ତ ଚୁଆର ଏକ ପାର୍ଶ୍ବସ୍ଥ ପାଚେରି ଭୁଶୁଡ଼ି ପଡ଼ିବା ଦିନଠାରୁ ସେହି ପ୍ରକଳ୍ପ ବି ବନ୍ଦ ହୋଇ ଯାଇଛି। ନିମ୍ନମାନର କାମ ହୋଇଥିବାରୁ ପାଚେରି ଭୁଶୁଡ଼ି ପଡ଼ିଲା ବୋଲି ଗ୍ରାମବାସୀମାନେ ଠିକାଦାର ବିରୋଧରେ ତଦନ୍ତ ଦାବି କରିଛନ୍ତି।
ଏ ନେଇ ମଦନପୁର ସରପଞ୍ଚ ରଶ୍ମିତା ନାଏକଙ୍କ କହିବା କଥା ଯେ ସେ ବାରମ୍ବାର ବିଭାଗୀୟ ଅଧିକାରୀ ଓ ବ୍ଲକ ପ୍ରଶାସନକୁ ଏ ବାବଦରେ ଜଣାଇ ଆସୁଛନ୍ତି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ସର୍ଭେ କରାଯାଇ ଏବେ ଦୁଇଟି ବୋର୍ୱେଲ୍ ଖନନ କରାଯାଇଛି ଓ ସେ ଦୁଇଟି ପୂରା ଗାଁକୁ ଜଳ ଯୋଗାଇ ପାରିବ ବୋଲି ଆଶା କରାଯାଉଛି। ମାତ୍ର ବୋର୍ୱେଲ୍ ଖନନକୁ ବାଦ୍ ଦେଲେ, ଅନ୍ୟ କିଛି ବି କାମ କରାଯାଇନାହିଁ। କିନ୍ତୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କ କହିବା କଥା, ଦେଉଳିଆପାଟଣା ଗାଁ ପାଇଁ ବଡ଼ ସମସ୍ୟା ହେଉଛି ଭୂତଳ ଜଳ ଅଭାବ। ମାତ୍ର ଏବେ ଖନନ ହୋଇଥିବା ଦୁଇଟି ବୋର୍ୱେଲ୍ ଏହି ସମାସ୍ୟାର ସମାଧାନ କରିପାରିବ ବୋଲି ଆଶା କରାଯାଉଛି। ଓଭରହେଡ୍ ପାଣିଟାଙ୍କି ନିର୍ମାଣ ଓ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ କରାଇବା ଆଦି ବଡ଼ କାମ ପାଇଁ ବଜେଟ୍ ପ୍ରସ୍ତୁତ କରାଯାଇଛି। ଖୁବ୍ ଶୀଘ୍ର ଏହା ଅନୁମୋଦନ ଲାଭ କରିବ ଓ କାମ ଆରମ୍ଭ ହୋଇଯିବ ବୋଲି ସେ କହିଥିଲେ। ସେହିଭଳି ଆଦିବାସୀ ସାହିର ପ୍ରକଳ୍ପକୁ ମଧ୍ୟ ମରାମତି କରାଇବା ପାଇଁ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଥିଲେ। ତେବେ ବଜେଟ୍ ଅନୁମୋଦନ ଓ ଟେଣ୍ଡର କରାଇ ଠିକାଦାର ଚୟନ ଭଳି କାର୍ଯ୍ୟ ଶେଷ ହେବାକୁ ଥିବାରୁ ଚଳିତ ବର୍ଷ ଖରାଦିନେ ଗ୍ରାମବାସୀମାନେ ପାଇପ୍ ଯୋଗେ ପାନୀୟ ଜଳ ପାଇବା ଆଶା ମୋଟେ ନାହିଁ ବୋଲି ଗ୍ରାମବାସୀମାନେ ଆଶଙ୍କା କରିଛନ୍ତି।
ଏବେଠୁ ପାଣି ପାଇଁ ଡହଳବିକଳ
ମାସେ ହେଲା ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ
/sambad/media/post_attachments/wp-content/uploads/2019/03/Untitled-26-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)