ନୃତ୍ୟ ଉତ୍ସବ ‘ସମର୍ପଣ’ : ନୃତ୍ୟରେ ତ୍ରିବେଣୀ ସଙ୍ଗମ

ଭୁବନେଶ୍ବର : ପାଦର ଛନ୍ଦରେ, ଯାଦୁକରୀ ଅଭିନୟରେ ଓ ଭାବସ୍ପର୍ଶୀ ଭଙ୍ଗୀରେ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀ ମିଳନର ତ୍ରିବେଣୀ ସଙ୍ଗମକୁ ବର୍ଣ୍ଣନା କରିଥିଲେ ଓଡ଼ିଶୀ ଶିଳ୍ପୀବୃନ୍ଦ। ନୃତ୍ୟନିଳୟ ଅନୁଷ୍ଠାନ ଅନୁଗୁଳ ଓ ଭୁବନେଶ୍ବରର ଶିଳ୍ପୀଙ୍କ ଦଳଗତ ନୃତ୍ୟରେ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଏହି ସଙ୍ଗମର ବର୍ଣ୍ଣନା ବେଶ୍‌ ହୃଦୟସ୍ପର୍ଶୀ ହୋଇଥିଲା। ଆୟୋଜିତ ନୃତ୍ୟ ଉତ୍ସବ ‘ସମର୍ପଣ’ ଦର୍ଶକଙ୍କ ପାଇଁ ଏଭଳି ଏକ ଅବକାଶ ଆଣିଦେଇଥିଲା। ସ୍ବପ୍ନାରାଣୀ ସିହ୍ନାଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ରାମହରି ଦାସଙ୍କ ସଂଗୀତ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା ଏହି ନୃତ୍ୟ। ଏଥିସହ କଲ୍ୟାଣୀ ସାହୁ, ପ୍ରୀତିମୟୀ ସାହୁ, ପିନାକୀ ଦାସ, ଯୁଧିଷ୍ଠିର ପ୍ରଧାନଙ୍କ ନୃତ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ ଥିଲା। ଶିଳ୍ପୀ ଦେବୀ ପ୍ରଧାନ, ବିଦିଶା ପ୍ରିୟଦର୍ଶିନୀ, ଐଶ୍ବର୍ଯ୍ୟା ସୁମନ ଓ ସମୀକ୍ଷା ପାଣିଙ୍କ ଉପସ୍ଥାପନରେ ନୃତ୍ୟାଭିନୟ ଦର୍ଶକଙ୍କ ମନୋରଂଜନ କରିଥିଲା। ବିଶିଷ୍ଟ ନୃତ୍ୟଗୁରୁ ସୁଧାକର ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଗୁରୁ ରାମହରି ଦାସ, ବିଜୟ କୁମାର ଜେନା, ଦୁର୍ଗାଚରଣ ରଣବୀର, ଅନିତା ସିଂହଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ହେମନ୍ତ କୁମାର ଦାଶ ଓ ସ୍ବପ୍ନାରାଣୀ ସିହ୍ନା ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର