ରୋମାଞ୍ଚ ଭରିଦେଲା ଓଡ଼ିଶୀରେ ଏକଲବ୍ୟ, ଗୁରୁ ‌ସ୍ନେହପ୍ରଭାଙ୍କୁ ନୃତ୍ୟ ନୈବେଦ୍ୟ ସମ୍ମାନ

ଭୁବନେଶ୍ବର: ଗୁରୁ ଶିଷ୍ୟ ପରମ୍ପରା ହେଉଛି ଭାରତୀୟ ସଂସ୍କୃ୍ତିର ମହାନତା। ଗୁରୁଙ୍କ ଆଦେଶ ମାନିବା ଓ ଶିକ୍ଷା ସମାପ୍ତ ପରେ ଗୁରୁଙ୍କୁ ଦକ୍ଷିଣା ଦେବା ହେଉଛି ଶିଷ୍ୟର ପରମ କର୍ତ୍ତବ୍ୟ। ଗୁରୁଦକ୍ଷିଣା ଯେତେ କଷ୍ଟକର ଓ ଯନ୍ତ୍ରଣାଦାୟକ ହେଲେ ବି ଉତ୍ତମ ଶିଷ୍ୟ ତାହା ପାଳନ କରେ। ମହାଭାରତରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ଶିଷ୍ୟ ଏକଲବ୍ୟଙ୍କ କାହାଣୀ ଆଜି ବି ମନରେ ରୋମାଞ୍ଚ ଭରିଦିଏ। ଗୁରୁଙ୍କୁ ଦକ୍ଷିଣା ଦେବାକୁ ସେ ନିଜ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଛେଦନ କରିଥିଲେ ଓ ସବୁଦିନ ପାଇଁ ଧନୁ ଧରିବାର କ୍ଷମତା ହରାଇଥିଲେ। ଆଜି ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ ୨୦୨୨ର ଉଦ୍‌ଯାପନୀ ସଂଧ୍ୟାରେ ଅନିକେତ ପଲ୍ଲବ ନାୟକ ଓଡ଼ିଶୀ ଛନ୍ଦରେ ଏହି କାହାଣୀ ପ୍ରଦର୍ଶନ କରି ଭଞ୍ଜ କଳାମଣ୍ଡପ‌ରେ ଦର୍ଶକମାନଙ୍କ ଭିତରେ ରୋମାଞ୍ଚ ଭରିଦେଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶୀ ମର୍ଦ୍ଦଳ ବାଦକ ରୋହିତ କୁମାର ପ୍ରଧାନଙ୍କ ଯାଦୁକରୀ ବାଦନ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ସନ୍ ତୋଷ ରାମ ଓ ସମୀର ପାଣିଗ୍ରାହୀଙ୍କ ‌ନୃତ୍ୟ ଏବଂ ବିଚିତ୍ରା ନନ୍ଦ ସ୍ବାଇଁଙ୍କ ନୃତ୍ୟ ସରଂଚନା ଉଦ୍‌ଯାପନୀ ସଂଧ୍ୟାକୁ ଅଧିକ ଆକର୍ଷଣ କରିଥିଲା। ଶେଷରେ ନୈବେଦ୍ୟ କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ତ୍ରା‌ହି ଦୁର୍ଗା ପରିବେଷଣ କରାଯାଇଥିଲା। ଆଜି କାର୍ଯ୍ୟକ୍ରମର ଅତିଥି ଭ‌ା‌ବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦ‌େଶକ ରଞ୍ଜନ କୁମାର ଦାସ, ଶ୍ୟ‌ାମହରି ଚକ୍ର, ଡ୍ୟାନ୍ସ କ୍ରିଟିକ୍ ଗୁରୁ ରାମହରି ଦାସ, ଅନୁଷ୍ଠାନର ସମ୍ପାଦକ ଗୁରୁ ଧନ‌େଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗୁରୁ ‌ସ୍ନେହପ୍ରଭା ସାମନ୍ତରାୟଙ୍କୁ ଷଷ୍ଠ ନୃତ୍ୟ ନୈବେଦ୍ୟ ସମ୍ମାନରେ ସମ୍ମ‌ାନିତ କରାଯାଇଥିଲା। ପ୍ରତିଭ‌ା ଅନ୍ବ‌େଷଣ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ହାସଲ କରିଥିବା ସମୀକ୍ଷା ଓ ସାଇ ସୌମ୍ୟକାନ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦ‌େଶକ ପ୍ରଭାତ କୁମାର ସ୍ବାଇଁ ଧନ୍ୟବ‌ାଦ ଦେଇଥିଲେ।

ସମ୍ବନ୍ଧିତ ଖବର