ଏଣିକି ସହରରେ ଆତଙ୍କ ଖେଳାଉଥିବା ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଲାଗୁ ହେବ ଏନ୍‌ଏସ୍‌ଏ

ଡାକ୍ତରଙ୍କ ଟେବୁଲ ଉପରେ ଲେଖିଥିଲା ‘ରାଜୁ ପଠାଣ’

ଭୁବନେଶ୍ବର : ଏଣିକି ଦୁର୍ଦାନ୍ତ ଅପରାଧୀଙ୍କୁ ଆଉ ନିସ୍ତାର ମିଳବ ନାହିଁ। ବାରମ୍ବାର ଗଣ୍ଡଗୋଳ କରି ସହରରେ ଆତଙ୍କ ଖେଳାଉଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆଜି ଖଣ୍ଡଗିରି ଥାନା ଅଧୀନରେ ଏଭଳି ଜଣେ ଅପରାଧୀଙ୍କୁ ଜାତୀୟ ନିରାପତ୍ତା ଆଇନ(ଏନଏସଏ)ରେ ବୁକ୍ କରିବାକୁ କମିସନରେଟ ପୁଲିସ ଚିିଠି ଜାରି କରିଛି। ଆସନ୍ତାକାଲି ତା’ ବିରୋଧରେ ଏନଏସଏ ଲାଗୁ ହେବ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ଏନଏସଏ ଲାଗୁ ହେବାକୁ ଥିବା ଦୁର୍ଦାନ୍ତ ଅପରାଧୀ ହେଉଛି ରାଜୁ ପଠାଣ। ଘର ଯଦୁପୁରରେ।

କିଛି ଦିନ ତଳେ ଉକ୍ତ ଥାନା ଅଧୀନ ଏକ ଘରୋଇ ହସ୍ପିଟାଲରେ ରାଜୁ ଆତଙ୍କ ଖେଳାଇଥିଲା। ହସ୍ପିଟାଲ ପରିସରରେ ସେ ରକ୍ତର ହୋଲି ଖେଳି ରୋଗୀ, ସମ୍ପର୍କୀୟ, ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ଥରହର କରିଥିଲା। ଏସବୁର ଦୃଶ୍ୟ ହସ୍ପିଟାଲରେ ଲାଗିଥିବା ସିସିଟିଭିରେ ମହଜୁଦ୍ ଅଛି। ସିସିଟିଭି ଫୁଟେଜ ଦେଖିବା ପରେ କମିସନରେଟ ପୁଲିସ ତା’ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କେବଳ ରାଜୁ ପଠାଣ କାହିଁକି, ଆଗାମୀ ଦିନରେ ଯିଏ ଏଭଳି କାଣ୍ଡ କରିବ, ତା’ ବିରୋଧରେ ଏଭଳି ଆଇନଗତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ମାସ ୯ ତାରିଖ ରାତି ପ୍ରାୟ ୧୨ଟା। ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ଜଣେ ୧୫ବର୍ଷର ନାବାଳିକା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପରିବାରଲୋକେ ତାକୁ ନିକଟସ୍ଥ କିଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମାତ୍ର ସେତେବେଳେ କୌଣସି ଡାକ୍ତର ନଥିବା ଦର୍ଶାଇ କର୍ମଚାରୀମାନେ ଅସୁସ୍ଥ ନାବାଳିକାକୁ ଅନ୍ୟତ୍ର ନେଇଯିବାକୁ କହିଥିଲେ। ଏମିତିକି ତାଙ୍କୁ ପ୍ରାଥମିକ ଚିକିତ୍ସା ମଧ୍ୟ କରିବାକୁ ଆଗ୍ରହ ଦେଖାଇନଥିଲେ ବୋଲି ଅଭି‌ଯୋଗ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାଙ୍ଗରେ ଆସିଥିବା ରାଜୁ ପଠାଣ ସେଠାରେ ଆତଙ୍କ ଖେଳାଇଥିଲା। ହସ୍ପିଟାଲ ଚେୟାର, ଟେବୁଲ, କାଚ, ଫୁଲ କୁଣ୍ଡ ଆଦି ଭଙ୍ଗାରୁଜା କରିବା ସହ ତାଣ୍ଡବ ରଚିଥିଲା।

ହସ୍ପିଟାଲ କର୍ମଚାରୀ ବସିର ବାଗଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏ ସଂପର୍କରେ ହସ୍ପିଟାଲ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଯଦୁପୁର ଅଞ୍ଚଳର ସୟଦ୍ ଫାରୁକ୍‌ ଅଲ୍ଲୀ(୨୩), ସେକ୍ ସବିର୍(୨୬) ଓ ଡୁମୁଡୁମା ହାଉସିଂବୋର୍ଡ ଫେଜ୍-୫ର ସୟଦ୍ ତୌଫିକ୍‌ ଅଲ୍ଲୀ(୨୪) ଓ ରାଜୁ ପଠାଣଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ଯେତେବେଳେ ପୁଲିସ ସିସିଟିଭି ଫୁ‌ଟେଜ ଦେଖିଥିଲା, ସେଥିରେ ପୁଲିସର ଦେହ କିଛି ସମୟ‌ ଲାଗି ଶିହିରି ଉଠିଥିଲା। ରାଜୁ ହସ୍ପିଟାଲ ପରିସରରେ ଏମିତି ଆତଙ୍କ ଖେଳାଇଥିଲା ଯେ ରୋଗୀମାନେ ଟେବୁଲ ତଳେ ପଶି ଯାଇଥିଲେ, ସମ୍ପର୍କୀୟମାନେ ପାଇଖାନା ଘରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ଡାକ୍ତରମାନେ ଯିଏ ଯୁଆଡ଼େ ପାରିଲେ, ଦୌଡିଥିଲେ। ହସ୍ପିଟାଲ କର୍ମଚାରୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ହସ୍ପିଟାଲ ସାରା ପଡ଼ିଥିଲା ରକ୍ତଛିଟା। ରାଜୁ ଏମିତି ହିଂସ୍ର ହୋଇ ପଡ଼ିଥିଲା ଯେ ଡାକ୍ତରଙ୍କ କାଚର ଟେବୁଲ ଉପରେ ରକ୍ତରେ ଲେଖିଥିଲା ‘ମୁଁ ରାଜୁ ପଠାଣ’। ଏଭଳି ଲେଖା ଦେଖିବା ପରେ ପୁଲିସ ରାଜୁର ମାନସିକତାକୁ ମାପି ନେଇଥିଲା ଯେ ଏ ଜଣେ ଦୁର୍ଦାନ୍ତ ଅପରାଧୀ। ଯିଏ କି ବାହାରେ ରହିଲେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକିବେ। ଆଗକୁ ପୂଜା ଆସୁଛି। ଏହି ସମୟରେ ରାଜୁ ସଂପୃକ୍ତ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏ ନେଇ ଖଣ୍ଡଗିରି ଥାନା ଇନ୍ସପେକ୍ଟର, ଏସିପି ଓ ଡିସିପି ପ୍ରମୁଖ ରାଜୁ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସୁପାରିସ କରିଥିଲେ। ବିଳମ୍ବିତ ରାତିରେ କମିସନର ଶ୍ରୀ ଷଡ଼ଙ୍ଗୀ ରାଜୁ ବିରୋଧରେ ଏନଏସଏ ଲାଗୁ କରିବାକୁ ସହମତି ପ୍ରଦାନ କରିଛନ୍ତି। ଆସନ୍ତାକାଲି ଏନେଇ ଚିଠି ଜାରି କରାଯିବ।

ପୂର୍ବରୁ ଜଟଣୀ ଥାନା ପୁଲିସ କାଳିଆ ସୁନ୍ଦରାୟ ଓ ଖଣ୍ଡିଗିରି ଥାନା ପୁଲିସ ନକୁଳ ମହାକୁଡ଼କୁ ଏନଏସ‌ଏ ବଳରେ ଗିରଫ କରିଥିଲା। ୨୦୧୫ ମସିହାରେ କଟକ ପୁଲିସ ରାଜେଶ ପାଲ ନାମକ ଜଣେ ଦୁର୍ଦାନ୍ତ ଅପରାଧୀକୁ ଏନଏସଏ ବଳରେ ଗିରଫ କରିଥିଲା। ଅନ୍ୟପକ୍ଷରେ ଘଟଣା ଘଟିବା ପରେ ରାଜୁ ପଠାଣକୁ ଗିରଫ ନ କରିବା ଖଣ୍ଡଗିରି ଥାନାଠାରୁ ଆରମ୍ଭ କରି ଏସିପି ଓ ଡିସିପିଙ୍କ ଉପରେ କେତେକ ରାଜନେତାଙ୍କ ଚାପ ପଡ଼ିଥିଲା। କିନ୍ତୁ ଏ ସବୁକୁ ଖାତିର ନ କରି କମିସନରେଟ ପୁଲିସ ରାଜୁକୁ ଗିରଫ କରି ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ପୁଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର