ଦୁର୍ଦ୍ଦାନ୍ତ ବାବୁ ବିରୋଧରେ ଏନ୍‌ଏସ୍‌ଏ

୫ ମାସରେ ୪ ଜଣଙ୍କ ନାଁରେ ଲାଗିଲାଣି, ୫ ଜଣଙ୍କୁ ତଡ଼ିପାର୍‌ କଲାଣି କମିସନରେଟ୍‌ ପୁଲିସ୍‌

ଭୁବନେଶ୍ବର : କମିସନରେଟ ପୁଲିସ ଆଜି ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଜାତୀୟ ନିରାପତ୍ତା ଆଇନ( ଏନଏସଏ)ରେ ଗିରଫ କରିଛି। ସେ ହେଉଛି, ଚନ୍ଦକା ଥାନା ଅଧୀନ ଜଗନ୍ନାଥ ପ୍ରସାଦ ଗଡ଼ସାହିର ବାବୁ ଓରଫ ଦୀପକ ସ୍ବାଇଁ। ବାବୁ ନାଁରେ କେବଳ ଚନ୍ଦକା ଥାନାରେ ୧୨ଟି ସଂଗିନ ମାମଲା ରହିଛି। ହତ୍ୟା ଉଦ୍ୟମ, ରାହାଜାନୀ, ଲୁଟ୍, ଅପହରଣ, ଦାଦାବଟି ଆଦାୟ ଭଳି ମାମଲା ରହିଛି। ବାବୁର ଆତଙ୍କରେ ସ୍ଥାନୀୟ ଲୋକ ତ୍ରାହି ତ୍ରାହି ଡାକୁଥିଲେ। ସଂଧ୍ୟା ହେଲେ ବାବୁ ସେହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରୁଥିଲା। ନିଶା ସେବନ କରି ଯାହାକୁ ପାରୁଥିଲା ତାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିଲା।

ଚନ୍ଦକା ଥାନା ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ବାଳଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନୂଆ ବର୍ଷ ରାତିରେ ନିଶା ଖାଇ ବାବୁ ଗାଁ ଭିତରେ ଉତ୍ପାତ କରିଥିଲା। ହାତରେ ଖଣ୍ଡା ଧରି ଆତଙ୍କ ଖେଳାଇ ଥିଲା। ଗାଁରେ ରହୁଥିବା ଜଣେ ମହିଳାଙ୍କ ଘର ସମ୍ମୁଖରେ ଥୁଆ ହୋଇଥିବା ବାଇକକୁ ନେଇ ବାବୁ ସେହି ମହିଳାଙ୍କ ସହିତ ଯୁକ୍ତିତର୍କ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏହା ପରେ ମହିଳାଙ୍କ ଘର ଭିତରକୁ ପଶି ଖଣ୍ଡାରେ ସଂପୃକ୍ତ ମହିଳାଙ୍କୁ ହାଣି ପକାଇଥିଲା। ଏହି ସମୟରେ ମହିଳାଙ୍କ ପରିବାର ଲୋକ ପୁଲିସକୁ ଫୋନ୍ କରୁଥିଲେ। ବାବୁ ଏକଥା ଜାଣୁଥିଲେ ମଧ୍ୟ ସେ ଆକ୍ରମଣ କରି ଚାଲିଥିଲା। ଏ ନେଇ ଗାଁ ଲୋକ ପୁଲିସକୁ ଖବର ଦେବା ପରେ ସେଠାରୁ ଖସି ପଳାଇଥିଲା। ମହିଳା ଜଣକ ପରଦିନ ନିଜ ପୁତୁରା ପ୍ରତାପଙ୍କ ସହିତ ଥାନାକୁ ଯାଇ ବାବୁ ବିରୋଧରେ ଏତଲା ଦେଇଥିଲେ। ପୁଲିସ ବାବୁ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହି ଏତଲା ଦେବାର ଦୁଇ ଦିନ ପରେ ଅର୍ଥାତ ଚଳିତ ମାସ ୩ ତାରିଖରେ ପ୍ରତାପକୁ ଏକୁଟିଆ ପାଇ ବାବୁ ତାକୁ ଧମକ ଚମକ ଦେଇଥିଲା। କେହି ଏତଲା ଦେବାକୁ ଗଲେ ନାହିଁ, ତୁ କାହିଁକି ସେ ବୁଢ଼ୀ ସହିତ ଯାଇଥିଲୁ କହି ଏକ ଥଣ୍ଡା ବୋତଲ ତାଙ୍କ ମୁଣ୍ଡରେ ଛେଚି ଦେଇଥିଲା। ଏହା ପରେ ସେହି ଭଙ୍ଗା ବୋତଲକୁ ପ୍ରତାପଙ୍କ ପେଟରେ ଭର୍ତି କରି ଦେଇଥିଲା। ଗାଁ ଲୋକ ଏହା ଦେଖି ବାବୁକୁ ଛଡ଼ାଛଡ଼ି କରିବାବେଳେ ସେ ସମସ୍ତଙ୍କୁ ହାଣି ପକାଇବାକୁ ଗୋଡ଼ାଇ ଥିଲା। ଏହା ପରେ ପ୍ରତାପଙ୍କ ଅଭିଯୋଗ ଆଧାରରେ ପୁଲିସ ବାବୁ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା। ପୁଲିସ ଏହି ମାମଲାରେ ବାବୁକୁ ଗିରଫ କରିଥିଲା।

ପରବର୍ତୀ ସମୟରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଜାଣିବାକୁ ପାଇଥିଲେ କି, ବାବୁ ଜଣେ ପେସ‌ାଦାର ଅପରାଧୀ। ତାର ଅପରାଧ କାରଣରୁ ରାଜଧାନୀ ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଶାନ୍ତିଶୃଙ୍ଖଳା‌ ବ୍ୟାହତ ହେଉଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଆଣିବା ପାଇ ତା ବିରୋଧରେ ଏନଏସଏ ଲଗାଇବାକୁ ସ୍ଥିର କରିଥିଲା କମିସନରେଟ ପୁଲିସ। ଏ ସମ୍ପର୍କରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଦୁର୍ଦାନ୍ତ ଅପରାଧୀଙ୍କୁ ଆଉ ନିସ୍ତାର ମିଳବ ନାହିଁ। ବାରମ୍ବାର ଗଣ୍ଡଗୋଳ କରି ସହରରେ ଆତଙ୍କ ଖେଳାଉଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଗତ ୫ ମାସ ମଧ୍ୟରେ ୪ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନଏସଏ ବଳରେ ଗିରଫ କରାଯାଇ ସାରିଲାଣି। ଆହୁରି ୧୦ ଜଣ ଅପରାଧୀଙ୍କୁ ଏନଏସଏ ବଳରେ ଗିରଫ କରାଯିବାକୁ ପ୍ରସ୍ତୁତି ଚାଲିଛି। ସେହିପରି ଏହି ୫ ମାସ ମଧ୍ୟରେ ୫ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏକ ବର୍ଷ ପାଇଁ ରାଜଧାନୀରୁ ତଡ଼ିପାର କରି ଦିଆଯାଇଛି। ସେମାନେ କମିସନରେଟ ପୁଲିସ ଅଞ୍ଚଳରେ ପାଦ ରଖିଲା ମାନେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ମାତ୍ର ୫ ମାସ ମଧ୍ୟରେ ଏତେ ସଂଖ୍ୟକ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବ ରେକର୍ଡକୁ ଟପି ଯାଇଛି। ଯାହାକୁ ସହରବାସୀ ସମର୍ଥନ ଜଣାଇଛନ୍ତି।

ପ୍ରକାଶଥାଉକି, ଏହା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ରାଜୁ ପଠାଣ, ଚନ୍ଦ୍ରଶେଖରପୁର ଥାନା ପୁଲିସ ସାଗର ପରିଡ଼ା ଓ ଆଜି ଚନ୍ଦକା ଥାନା ପୁଲିସ ବାବୁ ବିରୋଧରେ ଏନଏସଏ ଲାଗୁ କରିଛି।

ପୂର୍ବରୁ ଜଟଣୀ ଥାନା ପୁଲିସ କାଳିଆ ସୁନ୍ଦରାୟ ଓ ଖଣ୍ଡିଗିରି ଥାନା ପୁଲିସ ନକୁଳ ମହାକୁଡ଼କୁ ଏନଏସ‌ଏ ବଳରେ ଗିରଫ କରିଥିଲା। ୨୦୧୫ ମସିହାରେ କଟକ ପୁଲିସ ରାଜେଶ ପାଲ ନାମକ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌ଏସ୍‌ଏ ବଳରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର