ଚନ୍ଦ୍ରଶେଖରପୁର ଅଞ୍ଚଳ ମଙ୍ଗଳାବସ୍ତିର ପ୍ରଭାତ ସେଠୀ ବିରୋଧରେ ଏନ୍‌ଏସ୍‌ଏ

ଭୁବନେଶ୍ବର : ଚନ୍ଦ୍ରଶେଖରପୁର ଅଞ୍ଚଳ ମଙ୍ଗଳାବସ୍ତିର ପ୍ରଭାତ ସେଠୀ ବିରୋଧରେ ଏନ୍‌ଏସ୍‌ଏ(ଜାତୀୟ ନିରାପତ୍ତା ଆଇନ) ଦଫା ଲଗାଇଛି କମିସନରେଟ୍‌ ପୁଲିସ। ଯାଜପୁରରେ ଦଙ୍ଗା, ସରକାରୀ ଜାଗା ବିକ୍ରି, ଦାଦାବଟି, ହତ୍ୟା ଉଦ୍ୟମ, ଘରେ ପଶି ଗୁଳି ଫୁଟାଇ ଲୁଟ୍‌ ଭଳି ସଙ୍ଗିନ ଅଭିଯୋଗ ପାଇଁ କମିସନରେଟ୍‌ ପୁଲିସ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ୬ ମାସ ମଧ୍ୟରେ ଏନ୍‌ଏସ୍‌ଏ ଦଫା ବଳରେ ଗିରଫ ହୋଇଥିବା ଦୁର୍ଦାନ୍ତ ଅପରାଧୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ତେବେ ଏଭଳି ଆହୁରି ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସବାଡ଼୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ମୁତାବକ, ଯାଜପୁରର ମୂଳ ବାସିନ୍ଦା ପ୍ରଭାତ ସେଠୀ ଦୀର୍ଘ ଦିନ ହେବ ଚନ୍ଦ୍ରଶେଖରପୁର ଥାନା ମଙ୍ଗଳାବସ୍ତିରେ ରହି ଆସୁଥିଲା। ଯାଜପୁର ବଇରୀ ଥାନା ଅଞ୍ଚଳରେ ହୋଇଥିବା ଦଙ୍ଗା ବେଳେ ବ୍ୟାପକ କ୍ଷୟକ୍ଷତି ହେବା ସହ ଜନସାଧାରଣ ଆତଙ୍କିତ ହୋଇଥିଲେ। ସେଥିରେ ପ୍ରଭାତ ମୁଖ୍ୟ ଖଳନାୟକ ଥିଲା। ଏଠାକୁ ଚାଲି ଆସିବା ପରେ ସେ ସରକାରୀ ଜମି ଜବର ଦଖଲ କରି ବିକ୍ରି କରୁଥିଲା। ସରକାରୀ ଜମି ଉପରେ ଅନ୍ୟ କେହି ଜବର ଦଖଲ କଲେ ସେଠାରୁ ଦାଦା ବଟି ଆଣିବା ସହ ତାକୁ ସୁରକ୍ଷା ଯୋଗାଉ ଥିଲା। ନିକଟ ଅତୀତରେ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ବଟି ମାଗିଥିଲା। ବ୍ୟବସାୟୀ ଜଣକ ଟଙ୍କା ଦେଇ ନ ପାରିବାରୁ ତାଙ୍କୁ ନିର୍ଘାତ ପିଟିଥିଲା।

ସେହିଭଳି ଦାଦାବଟି ମାଗି ହତାଶ ହେବା ପରେ ଘରେ ପଶି ଏକ ଦମ୍ପତିଙ୍କୁ ମାଡ଼ ମାରିଥିଲା। ଫଳରେ ସେହି ଦମ୍ପତି ଏହି ଅଞ୍ଚଳ ଛାଡ଼ି ଦେଇଥିଲେ। ନିର୍ବାଚନ ସମୟରେ ଜଣେ ରାଜନେତ୍ରୀଙ୍କ ସମର୍ଥକଙ୍କୁ ରାସ୍ତା ମଝିରେ ମାଡ଼ମାରିବା ସହ ବନ୍ଧୁକ ଦେଖାଇଥିଲା। ସେହିଭଳି କେବଳ ଭୁବନେଶ୍ବର କିମ୍ବା ଯାଜପୁର ନୁହେଁ, ବରଂ କଟକରେ ମଧ୍ୟ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ରହିଥିଲା। ତିନୋଟି ସହର‌ରେ ତା’ ନାମରେ ୭ରୁ ଊର୍ଦ୍ଧ୍ବ ମାମଲା ରହିଛି।

ଏଭଳି ଅପରାଧ ସମାଜ ପ୍ରତି ବିପଦ ହୋଇଥିବାରୁ କମିସନରେଟ୍‌ ପୁଲିସ ଏହି ସଙ୍ଗୀନ ଦଫା ଲଗାଇଛି। ଦାଦାବଟି ମାଗି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସେ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍‌ରେ ରହିଛି। ତାକୁ ଚନ୍ଦ୍ରଶେଖରପୁର ଥାନା ଗିରଫ କରିଥିଲା।

ସମ୍ବନ୍ଧିତ ଖବର