ରାଜଧାନୀରେ ଏନ୍‌ଏସ୍‌ଜି କମାଣ୍ଡୋ

ଆଜି ସଚିବାଳୟ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟ ସଚିବାଳୟ ସମେତ କେତେକ ସରକାରୀ କାର୍ଯ୍ୟାଳୟ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆଜି ଏନ୍‌ଏସ୍‌ଜିର ସ୍ୱତନ୍ତ୍ର କମାଣ୍ଡୋ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ସଚିବାଳୟ ଯାଇ ଏହି କମାଣ୍ଡୋମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଦୁଇ ଦିନ ଧରି ସଚିବାଳୟରେ ଏ ନେଇ ମକ୍‌ଡ୍ରିଲ୍‌ କରାଯିବ। ଏଥିରେ ଓଡ଼ିଶା ପୁଲିସର ଏସ୍‌ଓଜି, ସ୍ପେସାଲ୍‌ ଟାକ୍‌ଟିକାଲ୍‌ ୟୁନିଟ, କମିସନରେଟ୍‌ ପୁଲିସର ବଛାବଛା ଅଧିକାରୀମାନେ ଯୋଗ ଦେବେ। ଆଜି ଏନ୍‌ଏସ୍‌ଜି ଆଇଜି ଶଶାଙ୍କ କୁମାର ମିଶ୍ର, ଏନ୍‌ଏସ୍‌ଜିର ଅନ୍ୟ ଅଧିକାରୀମାନଙ୍କ ସହିତ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା , ଗୁଇନ୍ଦା ନିର୍ଦେଶକ ସୁନୀଲ ରାୟ, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଆଇଜି ଅପରେସନ୍‌ ଆର୍‌ପି କୋଚେ, ଡିସିପି ସତ୍ୟବ୍ରତ ଭୋଇ, କମାଣ୍ଡାଣ୍ଟ ଏସ୍‌ଓଜି ଅନୁପ୍‌ କ୍ରିଷ୍ଣା ପ୍ରମୁଖଙ୍କ ମଧ୍ୟରେ ଏକ ବୈଠକ ବସିଥିଲା।ଦୁଇ ଦିନ ଧରି ହେବାକୁ ଥିବା ଏହି ମକ୍‌ଡ୍ରିଲ୍‌ରେ ଏନ୍‌ଏସ୍‌ଜିର ପାଖାପାଖି ୪୦ ଜଣ କମାଣ୍ଡୋ ଯୋଗ ଦେବେ। କମାଣ୍ଡୋମାନଙ୍କୁ ତଦାରଖ କରିବେ ୫ ଜଣ ଅଫିସର। ହାଇଦ୍ରାବାଦରୁ ଆସିଥିବା ଏହି କମାଣ୍ଡୋ ୟୁନିଟ ସହିତ ରାଜ୍ୟ ପୁଲିସ ସମର‍୍ୟାଭ୍ୟାସରେ ସାମିଲ୍‌ ହୋଇ ଆତଙ୍କବାଦୀ ସହିତ ଲଢ଼ିବାର ରଣ କୌଶଳ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ। ଦେଶର ଅନ୍ୟ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉଥିଲେ ମଧ୍ୟ ଓଡ଼ିଶାକୁ ଆଜିର ସମୟରେ କୌଣସି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣର ଆଶଙ୍କା ନାହିଁ। ଏହା ଏକ ରୁଟିନ୍‌ ରେକି ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର