ବିଜୁଳି ପାଇଁ ତାତିଲେ: ନୂଆଗାଁ, ଆର୍‌.କେ ଷ୍ଟିଲ ଛକରେ ରାସ୍ତାରୋକ

ପୁରୁଣା ଭୁବନେଶ୍ବର/ଖଣ୍ଡଗିରି: ବିଦ୍ୟୁତ୍‌ ଯୋଗାଣ ଦାବିରେ ଆଜି ନୂଆଗାଁ ଛକ ଓ ୧୬ ନମ୍ବର ଜାତୀୟ ରାଜପଥର ଆର କେ ଷ୍ଟିଲ ଛକଠାରେ ରାସ୍ତାରୋକ କରାଯାଇଥିଲା। ଫଳ‌ରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବାତ୍ୟାକୁ ୯ଦିନ ବିତି ଯାଇଥିଲେ ହେଁ ଏଯାଏଁ ନୂଆଗାଁର କିଛି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ହୋଇନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ସକାଳ ୧୦ଟାରେ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ପୁଲିସ ସହ ସେମାନଙ୍କର ଠେଲାପଲା ହୋଇଥିଲା। ପରେ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ବଜିତ, ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ଏସିପି ସୁବାସ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଥାନା ଅଧିକାରୀ ସେସୁର ଯନ୍ତ୍ରୀଙ୍କ ସହ ଆ‌ଲୋଚନା କରି ବିଦ୍ୟୁତ୍‌ ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ଆର କେ ଷ୍ଟିଲ ଛକଠାରେ ବିଜୁଳି ସଂଯୋଗ ଦାବିରେ କଳିଙ୍ଗ ନଗରର ଶତାଧିକ ବାସିନ୍ଦା ରାସ୍ତା ଅବରୋଧ କରିଥି‌ଲେ। ଦୀର୍ଘ ୧ ଘଣ୍ଟା ଧରି ଜାତୀୟ ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତମାଣ୍ଡୋ ଥାନା ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର