ଖଣ୍ଡଗିରି: ନୂଆଗାଁରୁ କାଟେଣୀ ପର୍ଯ୍ୟନ୍ତ ରାସ୍ତାକୁ ଚାରିଥାକିଆ କରିବା ପାଇଁ ଯୋଜନା ହେଲା। ସିଙ୍ଗିଲ୍‌ ଲେନ୍‌କୁ ସମ୍ପ୍ରସାରଣ କରିବା ପାଇଁ ୪ଟି ମୌଜାରୁ ଜମି ଅଧିଗ୍ରହଣ ଆରମ୍ଭ ହେଲା। ଘରୋଇ ଜମି ଥିବାରୁ ଅଧିଗ୍ରହଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ମଧ୍ୟ ଲେଖାଗଲା। ଯୋଜନା ଥିଲା କାମ ଆରମ୍ଭର ଗୋଟିଏ ବର୍ଷରେ କାମ ସରିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରିବାରେ ବିଳମ୍ବ ହେବାରୁ କାମ ଆଗେଇଲାନି। ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରଣ ହେବା ବିଳମ୍ବ ଯୋଗୁ କାମ ଆଗେଇ ପାରୁନି। ଏହା ଭିତରେ ୪ ବର୍ଷ ବିତିଲ‌ାଣି, କାମ ସରୁନଥିବାରୁ ଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି।

Advertisment

ପୂର୍ବରୁ ନୂଆଗାଁରୁ କାଟେଣୀ ପର୍ଯ୍ୟନ୍ତ ୫.୬୪ କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିଲା। ଏହି ରାସ୍ତା ସମ୍ପ୍ରସାରଣ ପାଇଁ ୨୦୧୯ ମସିହାରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୨୦୨୧ରେ ଜମି ଅଧିଗ୍ରହଣ ସରିଲା। ୨୪ କୋଟି ୮୬ ଲକ୍ଷ ଟଙ୍କାର ବ୍ୟୟବରାଦରେ କାମ ଆରମ୍ଭ ହେଲା। ଏବେ ସୁଦ୍ଧା କେବଳ କାଟେଣୀରୁ ଗୋଠପାଟଣା ଯାଏ ରାସ୍ତା କାମ ସରିଛି। ନୂଆଗାଁ-କାଟେଣୀ ରାସ୍ତା ପାର୍ଶ୍ବରେ ଆଇଆଇଆଇଟି, ଟାଇମ୍ସ ଗୁରୁକୁଳ, ଆଇଏମ୍‌ଆଇ ସମେତ ବହୁ ବଡ଼ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ରହିଛି। ଅନେକ ଘରୋଇ ଡାକ୍ତରଖାନା ଓ ହଷ୍ଟେଲ ମଧ୍ୟ ରହିଛି। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଆଦିର ସୁବିଧା ଥିବାରୁ ମଳିପଡ଼ା, ଗୋଠପଟଣା, ପାଇକରାପୁର, କ୍ରିଷ୍ଣାପୁରୀକଲୋନି, ଘଙ୍ଗାପାଟଣା, କାଟେଣୀ ଆଦି ଅଞ୍ଚଳର ବାସିନ୍ଦା ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।

ଏବେ ରାସ୍ତା ସମ୍ପ୍ରସାରଣ ପାଇଁ ୩୩ କେଭି ଭୂତଳ କେବଲ୍‌ ସ୍ଥାନାନ୍ତରଣ ବାଧକ ହୋଇଛି। ମିଳିଥିବା ସୂଚନା ଅନୁସାରେ କେବଲ୍‌ ସ୍ଥାନାନ୍ତରଣ ପାଇଁ ୭ କୋଟି ଟଙ୍କାର ବ୍ୟୟବରାଦ କରି ବିଦ୍ୟୁତ୍‌ ବିଭାଗ ପୂର୍ତ୍ତ ବିଭାଗକୁ ଦେଇଥିଲା। ହେଲେ ଏବେ ସୁଦ୍ଧା କେବଳ କାଟେଣୀରୁ ଗୋଠପାଟଣା ପର୍ଯ୍ୟନ୍ତ କେବଲ ସ୍ଥାନାନ୍ତରଣ ହୋଇପାରିଛି। ଗୋଠପାଟଣାରୁ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିମି ରାସ୍ତା ତଳେ ଥିବା କେବଲ୍‌ କାମ ବଜେଟ୍‌ ନଥିବାରୁ ଆଗେଇ ପାରୁ ନଥିବା ଜଣାପଡ଼ିଛି। 
ପୂର୍ତ୍ତ ବିଭାଗ ଡିଭିଜନ-୩ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥ‌ା, ବାମପାର୍ଶ୍ବ ରାସ୍ତା କାମ ସରିଛି। ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଖରେ କେବଳ ଗୋଟିଏ ଜମି ଅଧିଗ୍ରହଣ ବାକି ଅଛି। ଯଦି ୩୩କେଭି କେବଲ୍‌ ସ୍ଥାନାନ୍ତରଣ ହୋଇ ନପାରେ ଆମେ ଡ୍ରେନ୍‌କୁ ସାମାନ୍ୟ ଅଣ ଓସାରିଆ କରି ନେଇଯିବୁ।