ବାଣୀବିହାରରେ ନୂଆଁଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ନାଚ, ଗୀତ ସାଙ୍ଗକୁ ଦୁଲୁଦୁଲି ବାଦ୍ୟରେ ଶୁକ୍ରବାର ଦୁଲୁକିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ। ଅବସର ଥିଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ। ଗତ ଅଗଷ୍ଟ ମାସରୁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳିତ ହୋଇ ସାରିଥିବା ବେଳେ ବାଣୀବିହାର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏବେ ନୂଆଁଖାଇ ପାଳନ କରାଯାଇଛି।

ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ‘ନୂଆଁଖାଇ’ ପଶ୍ଚିମ ଓଡ଼ିଶାର ଗଣପର୍ବ। କ୍ୟାମ୍ପସରେ ଏହି ଉତ୍ସବ ପାଳନ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧତା ମଧ୍ୟରେ ଏକତାର ଭାବ ସୃଷ୍ଟି ହେଉଛି। ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ମୁଖ୍ୟବକ୍ତାଭାବେ ଯୋଗଦେଇ ନୂଆଁଖାଇର ପରମ୍ପରା ଓ ରୀତିନୀତି ଉପରେ ଆଲୋକପାତ କରିଥିଲେ। ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶାଶ୍ୱତ ତ୍ରିପାଠୀ, ନବୀନ କହଁର, ଯୋଗେଶ୍‌ ଜୋଜୋ ଏବଂ ସ୍ମିତାରଥ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକେଶ୍‌ କୁମାର ଜଗତ ସ୍ୱାଗତ ଭାଷଣ ଦେଇଥିବାବେଳେ ରିଙ୍କୁ ଭୋଇ ଧନ୍ୟବାଦ ଦେଇଥିଲେ।

ମା’ ସମଲେଶ୍ୱରୀଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଶାଶ୍ୱତ ତ୍ରିପାଠୀ ‘ମାଗୋ ମା ସମଲେଇ…’ ପରିବେଷଣ କରିଥିଲେ। ଏହାପରେ ‘ଦିଲ୍‌ ରସିଆ ନେଇଗଲା ମୋର୍‌ ଗୁଡ୍‌ ପଇଁରି…’, ‘ମୋର ହଲଦି ଗିନା…’, ‘ତୁର୍‌ ଫୁଲ୍‌ ଗଜରା…’, ‘ମର୍‌ ଚୁଡ଼ି କରୁଚେ ଛନ୍‌ ଛନ୍‌…’, ‘ଝୁମ୍‌ ଝୁମ୍‌ ବାଜେରେ ଝୁମ୍‌କା…’, ‘ଏ କିଆ ଫୁଲ ଚୁମ୍‌କୁ ଚୁମା…’, ପରି ଗୀତର ଗୀତର ତାଳେ ତାଳେ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର