ନୂଆପଲ୍ଲୀ ନୂଆ ହଟ୍‌ସ୍ପଟ୍, ୨୪ ଘଣ୍ଟାରେ ୩୩ ସଂକ୍ରମିତ

ଦୈନିକ ଆକ୍ରାନ୍ତ ରେକର୍ଡ ଭାଙ୍ଗିଲା, ପୁଣି ୩୦ ଆଇନଜୀବୀ ପଜିଟିଭ୍‌

ଭୁବନେଶ୍ବର : ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଜି ଚଳିତବର୍ଷର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୪୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ସ୍ଥାନୀୟ ସଂକ୍ରମିତ ୩୮୬ଜଣ, ୮୨ଜଣ ସଙ୍ଗରୋଧରୁ ଆକ୍ରାନ୍ତ ହୋଇଛନ୍ତି। ହେଲେ ନୂଆପଲ୍ଲୀ ସବୁ ରେକର୍ଡ ଭାଙ୍ଗି ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ଆଜି ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଗୋଟିଏ ଅଞ୍ଚଳରୁ ଏହା ସର୍ବାଧିକ। ନୂଆପଲ୍ଲୀରୁ ଆଜି ୨୭ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬ଜଣ ସଙ୍ଗରୋଧରୁ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ପଟିଆରୁ ୨୨ଜଣ, ପୁରୁଣା ଭୁବନେଶ୍ବରରୁ ୨୨ଜଣ, ସୁନ୍ଦରପଦାରୁ ୧୯ଜଣ, ଶୈଳଶ୍ରୀ ବିହାରରୁ ୧୬ଜଣ, ୟୁନିଟ-୩ରୁ ୧୫ଜଣ, ୟୁନିଟ-୯ରୁ ୯ଜଣ, ୟୁନିଟ-୬ରୁ ୫ଜଣ, ୟୁନିଟ-୮ରୁ ୩ଜଣ, ଚନ୍ଦ୍ରଶେଖରପୁରରୁ ୧୬ଜଣ, ବମିଖାଲରୁ ୧୧ଜଣ, ଜାଗମରାରୁ ୭ଜଣ, ରସୁଲଗଡ଼ରୁ ୧୩ଜଣ, ପୋଖରୀପୁଟରୁ ୧୪ଜଣ, ଲକ୍ଷ୍ମୀସାଗରରୁ ୧୪ଜଣ, ଖଣ୍ଡଗିରିରୁ ୧୬ଜଣ, ବଡ଼ଗଡ଼ରୁ ୯ଜଣ, ଝାରପଡ଼ାରୁ ୧୧ଜଣ, ନଖରାରୁ ୪ଜଣ, ରବି ଟକିଜ୍‌ରୁ ୪ଜଣ, ବରମୁଣ୍ଡାରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୨୭ରେ ପହଞ୍ଚିଛି।

ପୁଣି ୩୦ ଆଇନଜୀବୀ ପଜିଟିଭ୍‌
ଭୁବନେଶ୍ୱର : ଭୁବନେଶ୍ବର କୋର୍ଟରେ ପୁଣି ୩୦ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ କୋର୍ଟ‌ରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ଆଜିଠୁ କୋର୍ଟରେ ଅନ୍‌ଲାଇନ୍‌ କାର୍ଯ୍ୟ କଡ଼ାକଡ଼ି କରାଯାଇଛି। ଆଜିଠୁ କୋର୍ଟରେ ଅଫ୍‌ଲାଇନ୍‌ କାର୍ଯ୍ୟକୁ ବାରଣ କରାଯାଇଛି। ସେହିଭଳି ମାସ୍କ ନଥିଲେ କେହି ବି କୋର୍ଟ ପରିସରରେ ପ୍ରବେଶ କରିପାରିବେ ନାହିଁ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ସବୁ କୋର୍ଟରେ ଭର୍ଚୁଆଲ୍‌ରେ କାର୍ଯ୍ୟ କରାଯିବ ବୋଲି ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ ଓ ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର