ଶୋଚନୀୟ ସ୍ଥିତିରେ ନୂଆପଲ୍ଲୀ ରାସ୍ତା, ୯ ବର୍ଷରେ ୮୦ ଲକ୍ଷ ପାଣିରେ

ଭୁବନେଶ୍ଵର: ରାସ୍ତାର ଲମ୍ବା ମାତ୍ର ଗୋଟିଏ କିଲୋମିଟର। ତା’ ଭିତରେ ଛୋଟ ବଡ଼ ହେଇ ପାଖାପାଖି ୨ଶହ ଖାଲ। କେଉଁଠି ୨୫ ଫୁଟ ଓସାର ତ’ କେଉଁଠି ୧୨ ଫୁଟ। ସେଥିରୁ ଅଧା କଂକ୍ରିଟ୍‌, ଅଧା ମାଟି। ବର୍ଷା ହେଇଗଲେ କଥା ସରିଲା। ମାଟି ରାସ୍ତାରେ ଯିବା ଅସମ୍ଭବ। ମାତ୍ର ୬ ଫୁଟ ଓସାର କଂକ୍ରିଟ୍‌ ରାସ୍ତାରେ ଯିବାଆସିବା ହୁଏ। ଯେଉଁଥିପାଇଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୁଏ। ଅଧ କିଲୋମିଟର ପର୍ଯ୍ୟନ୍ତ ଏଭଳି ଅବସ୍ଥା। ବାକି ଅଧ କିଲୋମିଟର କଥା ନ କହିବା ଭଲ। ଏହା ଭିତରକୁ ‘ମୋ ବସ୍‌’ ଚାଲିବାକୁ ଯୋଜନା ହୋଇଥିଲେ ମଧ୍ୟ ଅଣଓସାରିଆ ଓ ବର୍ଷ ବର୍ଷ ଧରି ଖରାପ ରହୁଥିବା ରାସ୍ତା ପାଇଁ ସମ୍ଭବ ହୋଇ ନାହିଁ। ରାସ୍ତାର ଦୁରବସ୍ଥା ଯୋଗୁ ଭିତରକୁ ଅଟୋ ଯାଉନି। ଛକ ଉପରେ ଯାତ୍ରୀଙ୍କୁ ଛାଡ଼ି ଚାଲି ଯାଉଛି କିମ୍ବା ଭିତରକୁ ଯିବାକୁ ହେଲେ ୩ ଗୁଣ ଭଡ଼ା ଦାବି କରୁଛି।

ଏହା କୌଣସି ଅନଗ୍ରସର କିମ୍ବା ଉପାନ୍ତ ଅଞ୍ଚଳ ନୁହେଁ, ବରଂ ରାଜଧାନୀ ଛାତି ଉପରେ ୱାର୍ଡ ନମ୍ବର ୩୭ରେ ରହିଥିବା ୟୁରେକା(ଦ ୱାର୍ଲ୍ଡ) ଛକରୁ ବେହେରା ସାହି ପର୍ଯ୍ୟନ୍ତ ରାସ୍ତାର ଏଭଳି ସ୍ଥିତି। ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୯ ବର୍ଷରେ ରାସ୍ତା, ଡ୍ରେନ୍‌ ପାଇଁ ଦଫା ଦଫାରେ ୮୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସିନାହିଁ। ୩୭ ନମ୍ବର ୱାର୍ଡରେ ବାସ କରୁଥିବା ପ୍ରାୟ ୩୦ ହଜାର ବାସିନ୍ଦା ରାଜଭବନ, ଏଜି ଛକ, ମାଷ୍ଟରକ୍ୟାଣ୍ଟିନ୍‌, ରାଜମହଲ, ସହିଦନଗର, ଖାରବେଳ ନଗର ପ୍ରଭୃତି ଅଞ୍ଚଳକୁ ଆସିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ନୂଆପଲ୍ଲୀରେ ରହିଥିବା ହାଇସ୍କୁଲ, ବଡ଼ ବଡ଼ ଆପାର୍ଟମେଣ୍ଟ ଓ ଅନ୍ୟାନ୍ୟ ଜାଗାକୁ ଯିବାକୁ ହେଲେ ଏହି ରାସ୍ତା ଦେଇ ଯିବାକୁ ହୋଇଥାଏ।

୨୦୧୩ ମସିହାରେ କ୍ରିଷ୍ଣା ଟାୱାର ଠାରୁ କାଞ୍ଚନ ଭିଲ୍ଲା ପର୍ଯ୍ୟନ୍ତ ରାସ୍ତା ପାଇଁ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରେ ‘ଦ ୱାର୍ଲଡ’ ଛକରୁ ବନଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ୨୩ ଲକ୍ଷ ବ୍ୟୟରେ ରାସ୍ତା ତିଆରି ହୋଇଥିଲା। ସେହିଭଳି ଏହି ରାସ୍ତାରେ ଥିବା ଆଖଣ୍ଡଳମଣି ମନ୍ଦିର ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାଇଁ ୨୦୧୭ ମସିହାରେ ୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରେ ଉଭୟ ପିଚୁ ଓ କଂକ୍ରିଟ୍‌ ରାସ୍ତା ତିଆରି ହୋଇଥିଲା। ରାସ୍ତା ନିର୍ମାଣ ସରିବା ପରେ ଆଇଆର୍‌ସି ଭିଲେଜରୁ ବେହେରା ସାହି ଭିତର ଦେଇ ‘ଦ ୱାର୍ଲଡ୍‌ ’ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ କରାଗଲା। ରାସ୍ତା ତିଆରି ପୂର୍ବରୁ ଏହି ଡ୍ରେନ୍‌ ଯୋଜନା କରାଗଲା ନାହିଁ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା‌ ସରିବା ପରେ ରାସ୍ତାକୁ ଖୋଳି ଡ୍ରେନ୍‌ ତିଆରି ହେଲା। କେତେକ ଜାଗାରେ ରାସ୍ତା ମଝିରେ ଡ୍ରେନ୍‌ ହେଲା। ଏଣୁ ନୂଆ ରାସ୍ତାକୁ ଖୋଳିବାକୁ ପଡ଼ିଲା। ସେବେ ଠାରୁ ରାସ୍ତାର ଏଭଳି ସ୍ଥିତି ରହିଛି। ଖୋଳା ହୋଇଥିବା ରାସ୍ତାରେ ମାଟି ରହିଛି। ବର୍ଷା ହେଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି।

ତେବେ କର୍ପୋରେଟର ବନ୍ଦିତା ପାଲ୍‌ଙ୍କ ସୂଚନା ଅନୂଯାୟୀ ରାସ୍ତା କାମ ପାଇଁ ୪ କୋଟି ୫ ଲକ୍ଷ ୧୩ହଜାର ୯୩୯ ଟଙ୍କା ମଞ୍ଜୁର ହୋଇଛି। କାମ ମଧ୍ୟ ଆରମ୍ଭ ହୋଇଛି। ୪ ମାସ ମଧ୍ୟରେ କାମ ସାରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହି ରାସ୍ତା କାମ ହୋଇଗଲେ ଆଉ ସମସ୍ୟା ରହିବ ନାହିଁ।

ସମ୍ବନ୍ଧିତ ଖବର