‘ସମ୍ବାଦ ସାହିତ୍ୟଘର’ର ନୂଆବର୍ଷରେ ନୂଆପଣ କାର୍ଯ୍ୟକ୍ରମ: ‘କବି ସବୁ ଭୋଗେ ବୋଲି ଲେଖିପାରେ’

ଭୁବନେଶ୍ବର: ଯିଏ ବେହୋସ ନୁହେଁ, ସେ ହୋସ୍‌ର କଥା କହିପାରିବନି। ଯେ ପାପ କରିନି ସେ ପୁଣ୍ୟ କରିପାରିବନି। କବି ସବୁ ଭୋଗେ ବୋଲି ସେ ଲେଖିପାରେ। ଭୁବନେଶ୍ବର ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଆୟୋଜିତ ନୂଆବର୍ଷର ପ୍ରଥମ ଆସରରେ ଯୋଗଦେଇ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। ଆମ ଓଡ଼ିଶା ସଭାକକ୍ଷରେ ଆୟୋଜିତ ‘ନୂଆବର୍ଷ ନୂଆପଣ’ ଶୀର୍ଷକ ଏହି ବିଶେଷ ଆସରରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଓ ଗାଳ୍ପିକ ରମେଶ ପଟ୍ଟନାୟକ, ବହୁଚର୍ଚ୍ଚିତ ଗୀତିକାର ପଞ୍ଚାନନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାହିତ୍ୟରେ ନୂଆପଣ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ଏବଂ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ।

ଏଥିରେ ସୁମିତ ପଣ୍ଡା ଉପସଭାପତି, ସୁବ୍ରତ ସେନାପତି ସଂପାଦକ, ତୃପ୍ତିରଞ୍ଜନ ଦାସ ଓ ଅନ୍ତର୍ଯ୍ୟାମୀ ମିଶ୍ର ସହସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ବିଶିଷ୍ଟ କବୀ ଡ. ଶୁଭଶ୍ରୀ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସଭାପତି ସରୋଜ ବଳ ସଭାପତିତ୍ବ କରିଥିଲେ। ସଂପାଦକ ସୁବ୍ରତ ସେନାପତିଙ୍କ ସଂଯୋଜନାରେ ଦିବଂଗତ କବି ଭାନୁଜୀ ରାଓ, ମାୟାଧର ମାନସିଂହ, ଗୁରୁପ୍ରସାଦ ମହାନ୍ତି, ରାଧାମୋହନ ଗଡ଼ନାୟକ, ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତା ଯଥାକ୍ରମେ ବେଦପ୍ରକାଶ ନାୟକ, ଅଂଶୁମାନ ସାହୁ, ତୃପ୍ତିରଂଜନ ଦାସ, ଅନ୍ତର୍ଯ୍ୟାମୀ ମିଶ୍ର, ସୁବ୍ରତ ସେନାପତି ଆବୃତ୍ତି କରିଥିଲେ। ମୌଳିକ କବିତା ପାଠ କରିଥିଲେ ପବିତ୍ରମୋହନ କର, ମୌସୁମୀ ଦାସ, ମାନି ଦାସ, ସୁଭାଶିଷ ପଟ୍ଟନାୟକ, ରାଧାରାଣୀ, ସ୍ମୃତିରଞ୍ଜନ ସେଠୀ, ସୁମିତ ପଣ୍ଡା, ଆକାଶ ଦାସ, ତନ୍ମୟ ଭୋଳ, ଇଂ ସରୋଜ ମହାପାତ୍ର, ଆଶିଷ ମିଶ୍ର ଓ ଇନ୍ଦିରା ମିଶ୍ର। ଯୁବଗାଳ୍ପିକ ତୃପ୍ତିରଂଜନ ଦାସ ଧନ୍ୟବାଦ ଦେଇଥିଲେ। କବି ମନୁଆ ଦାସ, କେଦାର ମିଶ୍ର, ସ୍ୱପ୍ନା ମିଶ୍ର, ଭାଷାବିପ୍ଳବୀ ପବିତ୍ର ମହାରଥା, ମନୋଜ ସାହୁ, ଶଙ୍କର ଲେଙ୍କା ପ୍ରମୁଖ ଅନେକ କବି ଓ ସାହିତ୍ୟାନୁରାଗୀ ଉପସ୍ଥିତ ରହି ଆସରକୁ ସଫଳ କରିଥିଲେ।

ସମ୍ବନ୍ଧିତ ଖବର